/odishatv-khabar/media/media_files/2026/02/08/t20-2026-02-08-19-30-09.jpg)
T20 Photograph: (OTV)
ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୁଗ ଶେଷ ହେବାର ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରମ କଲାଣି । ୨୦୨୪ ସଂସ୍କରଣର ଟ୍ରଫି ହାସଲ ପରେ ଉଭୟ ଏହି ଫର୍ମାଟରୁ ବିଦାୟ ନେଇଥିଲେ ।
ଏହାପରେ ସ୍ଥାୟୀ ଅଧିନାୟକ ହୋଇଥିବା ସୂର୍ଯ୍ୟକୁମାର ଯାଦବ ଟିମ୍ର ପୂର୍ବ ଆଧିପତ୍ୟକୁ ଏ ଯାବତ ବଜାୟ ରଖିଛନ୍ତି । ବଡ଼ କଥା ହେଉଛି ଯେ ସେ ଦାୟିତ୍ୱ ନେବା ପରଠାରୁ ଟିମ୍ କୌଣସି ଦ୍ୱିପାକ୍ଷିକ ସିରିଜ୍ ହାରି ନାହିଁ ଏବଂ ଏସିଆ କପ୍ ଭଳି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ବି ଜିତିଛି ।
ଏବେ ସୂର୍ଯ୍ୟକୁମାର ସବୁଠାରୁ ବଡ଼ ଚାଲେଞ୍ଜ୍ର ସମ୍ମୁଖୀନ ହୋଇଛନ୍ତି । ରୋହିତ ଯେଉଁ ବିଶ୍ୱ ମୁକୁଟ ଜିତାଇଥିଲେ, ତାହାକୁ ବଞ୍ଚାଇପାରିଲେ ତାଙ୍କ ଅଧିନାୟକୀୟ କ୍ୟାରିଅର୍ରେ ପୂର୍ଣ୍ଣତା ଆସିବ । ସମ୍ଭବତଃ ଏହା ତାଙ୍କ ପାଇଁ ଶେଷ ସୁଯୋଗ ହେବ ।
ଏଥର ଟି-୨୦ ବିଶ୍ୱଜପ୍ ୨୦୨୬ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଛି । ଏହା ସୂର୍ଯ୍ୟକୁମାରଙ୍କ ତାରକା-ସଜ୍ଜିତ ଟିମ୍ ପାଇଁ ଏକ ସକାରାତ୍ମକ ପକ୍ଷ । ଆଇସିସି ମାନ୍ୟତାର ଶୀର୍ଷ ଟିମ୍ ଭାବେ ଭାରତ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛି, ଯେଉଁଠି ଟିମ୍ ମୁକୁଟ ବଞ୍ଚାଇ ସର୍ବାଧିକ ତିନି ଥର ଚାମ୍ପିଅନ୍ ହେବା ପାଇଁ ଲକ୍ଷ୍ୟ ରଖିଛି ।
ଏହି ଟୁର୍ଣ୍ଣାମେଣ୍ଟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ, ଯିଏ ଟେଷ୍ଟ ଟିମ୍ର ବିଫଳତାକୁ ନେଇ କଡ଼ା ସମାଲୋଚନାର ଶରବ୍ୟ ହୋଇଛନ୍ତି । ଅନ୍ତତଃ କ୍ଷୁଦ୍ରତମ ଫର୍ମାଟ୍ରେ ବିଶ୍ୱମୁକୁଟ ଜିତାଇ ସେ ପ୍ରଶଂସକଙ୍କ କ୍ଷତରେ ମଲମ ଲଗାଇପାରିବେ ।
ଟି-୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆକୁ ମୁକୁଟର ସବୁଠାରୁ ବଡ଼ ଦାବିଦାର ବିବେଚନା କରାଯାଉଛି । ତେବେ ଦମ୍ଦାର ଫର୍ମ ଓ ଭାରତୀୟ ଉପମହାଦେଶରେ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ପାଥେୟ କରି ଟିମ୍ କ’ଣ ମୁକୁଟ ବଞ୍ଚାଇପାରିବ?
ଭାରତ କାହିଁକି ମୁକୁଟର ସବୁଠୁ ବଡ଼ ଦାବିଦାର ?
ଟୁର୍ଣ୍ଣାମେଣ୍ଟର ଇତିହାସ ଅନୁଯାୟୀ, ଆଜି ଯାଏଁ କୌଣସି ଟିମ୍ ନିଜ ମୁକୁଟ ବଞ୍ଚାଇପାରି ନାହିଁ କି ଘରୋଇ ଗ୍ରାଉଣ୍ଡରେ ଚାମ୍ପିଅନ୍ ହୋଇ ନାହିଁ । ସୂର୍ଯ୍ୟକୁମାରଙ୍କ ଟିମ୍ ଆଗରେ ଏହି ପରମ୍ପରା ଭାଙ୍ଗିବାର ଚାଲେଞ୍ଜ୍ ରହିଛି ।
ଭାରତରେ ଟି-୨୦ ପ୍ରତିଭାଙ୍କ ଗୁଣାତ୍ମକତା ଓ ଗଭୀରତା ଏତେ ଅଧିକ ଯେ ଏହି ଟିମ୍କୁ ପୂର୍ବ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ଭିନ୍ନ ଭିନ୍ନ ପରିସ୍ଥିତିରେ ଅପରାଜେୟ ଅଭିଯାନ ଜାରି ରଖି ଟ୍ରଫି ଜିତିଥିବା ଟିମ୍ଠାରୁ ମଧ୍ୟ ଉତ୍ତମ ବିବେଚନା କରାଯାଉଛି ।
୨୦୨୪ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରଠାରୁ ଟିମ୍ ଇଣ୍ଡିଆ ଏହି ଫର୍ମାଟ୍ରେ ୪୧ରୁ ୩୩ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୬ ମ୍ୟାଚ୍ ହାରିଛି । ଅନ୍ୟ ଦୁଇ ମ୍ୟାଚ୍ର ଫଳାଫଳ ବାହାରିପାରି ନାହିଁ । ଏହି ସମୟ ମଧ୍ୟରେ କୌଣସି ଟିମ୍ ଭାରତକୁ ଦ୍ୱିପାକ୍ଷିକ ସିରିଜ୍ରେ ହରାଇପାରି ନାହାନ୍ତି । ଏସିଆ କପ୍ରେ ମଧ୍ୟ ଭାରତ ମୁକୁଟ ଜିତିଥିଲା । ଟିମ୍ ନିକଟରେ ଦକ୍ଷିଣ ଆଫ୍ରିକାକୁ ୩-୧ ଓ ନ୍ୟୁଜିଲାଣ୍ଡକୁ ୪-୧ରେ ମାତ୍ ଦେଇଥିଲା ।
ଆଇସିସି ଟି-୨୦ ଆନ୍ତର୍ଜାତିକ ମାନ୍ୟତାରେ ଭାରତ କେବଳ ଏକ ନମ୍ବର ଟିମ୍ ନୁହେଁ, ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି ।
ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପାଇଁ ବିଶେଷ ଅସୁବିଧା ନାହିଁ । ଭାରତ ଗ୍ରୁପ୍-ଏ’ରେ ପାକିସ୍ତାନ, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲାଣ୍ଡ୍ସ ଓ ନାମିବିଆ ସହିତ ରହିଛି । ପାକ୍ ଟିମ୍ ଭାରତ ବିପକ୍ଷରେ ଖେଳିବା ପାଇଁ ମନା କରିଦେଇଛି, ଯାହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି ।
ତେବେ ଟିମ୍ ଇଣ୍ଡିଆ ସୁପର୍-୮ରେ ଅସଲି ଚାଲେଞ୍ଜ୍ର ସମ୍ମୁଖୀନ ହେବ । ଭାରତ ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମ୍ ମଧ୍ୟ ଟ୍ରଫି ଦୌଡ଼ରେ ରହିବେ । ଏହାଛଡ଼ା ଆଫଗାନିସ୍ତାନ ଭଳି ଟିମ୍ ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ରଖେ ।
ଟିମ୍ର ଶୀର୍ଷକ୍ରମଠାରୁ ନେଇ ମଧ୍ୟକ୍ରମ ଓ ଫିନିଶର୍ଙ୍କ ପର୍ଯ୍ୟନ୍ତ - ପ୍ରାୟ ସବୁ ବ୍ୟାଟର୍ ଦମ୍ଦାର ପ୍ରଦର୍ଶନ କରୁଛନ୍ତି । ଟିମ୍ରେ ଅଭିଷେକ, ଈଶାନ କିଶନ, ସଞ୍ଜୁ ସାମ୍ସନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ରିଙ୍କୁ ସିଂହଙ୍କ ଭଳି ଦକ୍ଷ ବ୍ୟାଟର୍ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍ ଓ ୱାଶିଂଟନ ସୁନ୍ଦରଙ୍କ ଭଳି ଅଲ୍ରାଉଣ୍ଡର୍ ଅଛନ୍ତି ।
ଅଭିଷେକ ଜଣେ ନିର୍ଭୀକ ଓ ବିପଜ୍ଜନକ ବ୍ୟାଟର୍ । ସେ କ୍ରିଜ୍ରେ ଆସ୍ଥାନ ଜମାଇବା ପୂର୍ବରୁ ହିଁ ପ୍ରତିପକ୍ଷ ଟିମ୍କୁ ରକ୍ଷଣାତ୍ମକ ଫିଲ୍ଡିଂ କରିବାକୁ ଏକପ୍ରକାର ବାଧ୍ୟ କରିଥା’ନ୍ତି । ତାଙ୍କ ବିସ୍ଫୋରକ ପ୍ରଦର୍ଶନର ଝଲକ ସମସ୍ତେ ଦେଖିସାରିଲେଣି । ଈଶାନ ଓ ଅଧିନାୟକ ସୂର୍ଯ୍ୟକୁମାର ବି ଭଲ ଫର୍ମରେ ରହିଛନ୍ତି ।
ତେବେ ସଞ୍ଜୁ ଏବେ ଫର୍ମରେ ନାହାନ୍ତି । ତାଙ୍କୁ ଶୁବମନ ଗିଲ୍ଙ୍କ ସ୍ଥାନରେ ଟିମ୍ରେ ଅଗ୍ରାଧିକାର ଦିଆଯାଇଥିଲା, କିନ୍ତୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ସମସ୍ତ ପାଞ୍ଚ ମ୍ୟାଚ୍ ଖେଳି ୫୦ ରନ୍ ବି କରିପାରି ନ ଥିଲେ ।
ଭାରତୀୟ ଟି-୨୦ ଟିମ୍ର ବ୍ୟାଟିଂ ଏକ ସରଳ ନିୟମ ଉପରେ ଆଧାରିତ । ରନ୍ରେଟ୍ କେବେ ଧିମା ହେବ ନାହିଁ । ୱିକେଟ୍ ପଡ଼ିପାରେ ଓ ରଣନୀତି ନିଷ୍ଫଳ ହୋଇପାରେ, ହେଲେ ସ୍କୋର୍ ଆଗକୁ ବଢ଼ିବା ଦରକାର ।
ବୋଲିଂ ଲାଇନ୍ଅପ୍ରେ ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ବରୁଣ ଓ କୁଲଦୀପ ଯାଦବ ରହିଛନ୍ତି । ପେସର୍ ହର୍ଷିତ ରାଣା ୱାର୍ମଅପ୍ ମ୍ୟାଚ୍ ସମୟରେ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ପେସର୍ ସିରାଜଙ୍କୁ ଟିମ୍ରେ ସାମିଲ୍ କରାଯାଇଛି ।
ଅଲରାଉଣ୍ଡରଙ୍କ ମଧ୍ୟରେ ପାଣ୍ଡ୍ୟା ଓ ଦୁବେ ପେସର୍ ଏବଂ ଅକ୍ଷର ଓ ସୁନ୍ଦର ସ୍ପିନର୍ । ଟିମରେ ବହୁତ ଲମ୍ବା ବ୍ୟାଟିଂ ଲାଇନ୍ଅପ୍ ଥିବା ବେଳେ ବୋଲିଂରେ ଅନେକ ବିକଳ୍ପ ଅଛନ୍ତି, ଯାହା ଭାରତକୁ ଅନ୍ୟ ଟିମ୍ ତୁଳନାରେ ଅଧିକ ମଜଭୁତ କରିପାରିଛି ।
ସୂର୍ଯ୍ୟକୁମାରଙ୍କ ପାଇଁ ହୋଇପାରେ ଶେଷ ଟି-୨୦ ବିଶ୍ୱକପ୍
ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହା ଶେଷ ଟି-୨୦ ବିଶ୍ୱକପ୍ ହୋଇପାରେ । ପରବର୍ତ୍ତୀ (୨୦୨୮) ବିଶ୍ୱକପ୍ ବେଳକୁ ତାଙ୍କ ବୟସ ୩୭ କି ୩୮ ବର୍ଷ ହୋଇଯିବ । ଦେଶରେ ପ୍ରତିଭାଶାଳୀ ଖେଳାଳିଙ୍କ ଉଦୟକୁ ଦୃଷ୍ଟିରେ ରଖି ଏହି ବିଶ୍ୱକପ୍ ଶେଷ ହେବା ସହିତ ସୂର୍ଯ୍ୟକୁମାରଙ୍କ ବିକଳ୍ପ ଖୋଜାଯିବା ଓ ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବାର ସମ୍ଭାବନା ରହିଛି ।
ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଆସିବା ପୂର୍ବରୁ ସୂର୍ଯ୍ୟକୁମାର ଭାରତୀୟ ଟିମର ପ୍ରମୁଖ ଟି-୨୦ ବିଶେଷଜ୍ଞ ବ୍ୟାଟର୍ ଥିଲେ, ଯେଉଁଥିପାଇଁ ରୋହିତ ଶର୍ମାଙ୍କ ପରେ ତାଙ୍କୁ ଟିମର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା ।
ଟି-୨୦ ଏକ ଅନିଶ୍ଚିତତାର ଖେଳ । ଶେଷ ଓଭର୍ରେ ମ୍ୟାଚ୍ ବଦଳି ଯାଇପାରେ । ତେଣୁ ଟିମ୍ର ଯୁବ ଖେଳାଳିମାନଙ୍କୁ ଅତି ଉତ୍ସାହରୁ ଦୂରେଇ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଫୋକସ୍ କରିବାକୁ ହେବ । ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ସୂର୍ଯ୍ୟକୁମାରଙ୍କ ପାଖରେ ଟିମ୍କୁ ସମ୍ଭାଳିବାର ବଡ଼ ଦାୟିତ୍ୱ ରହିଛି । କେବଳ ଭଲ ବ୍ୟାଟିଂ କି ଭଲ ବୋଲିଂ ଯଥେଷ୍ଟ ନୁହେଁ, ଭଲ ଫିଲ୍ଡିଂ ବି ଜରୁରୀ । ଅଧିନାୟକଙ୍କୁ ଏ ଦିଗରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।
ଯଦି ସବୁକିଛି ଦକ୍ଷତା ଓ ମାନ୍ୟତା ଆଧାରରେ ଚାଲେ, ତା’ହେଲେ ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ୍ର ମୁକୁଟ ବଞ୍ଚାଇବାରେ ପ୍ରଥମ ଅଧିନାୟକ ହେବେ । ତାଙ୍କ ନେତୃତ୍ୱ କାଳରେ ହିଁ ଟିମ୍ ସର୍ବାଧିକ ମୁକୁଟ ଜିତିବାର ଗୌରବ ଅର୍ଜନ କରିବ । ସୂର୍ଯ୍ୟକୁମାର ଏହି ଉପଲବ୍ଧି ସହ ବିଶ୍ୱକପ୍ର ସମାପନ କରିବାକୁ ଚାହିଁବେ ।
Past Haunts Present: ତିନି ସ୍ତ୍ରୀ, ୨୦୧୫ରେ ଲିଭ-ଇନ୍ ପାର୍ଟନରଙ୍କ ମୃତ୍ୟୁ... ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲାର ନୂଆ ମୋଡ଼

Baba Vanga’s Forecast on Precious Metals: ସୁନା ଓ ରୁପା ଉପରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେଉଛି କି ? କାହିଁକି ଏତେ ଚର୍ଚ୍ଚା

Baragada Incident Sparks Political Debate: ବିଧାୟକଙ୍କ ପୁଅକୁ ଆକ୍ରମଣ ମାମଲା, ସନ୍ଦେହରେ ପୋଲିସ ଭୂମିକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)