Advertisment

KIIT Students Create Chaos: ବିଚ୍ ରାସ୍ତାରେ ଉତ୍ପାତ କଲେ, ପୁରା ଅଞ୍ଚଳ ନିଜ କବ୍ଜାକୁ ନେଲେ

କିଟ୍ ମେନ୍ ଗେଟ୍ ଆଗରେ ହଲ୍ଲାବୋଲ୍। ରାସ୍ତାରେ କଲେ ଢୋ.. ଢା..। ଜାଳିଲେ, ଆତଙ୍କ ଖେଳାଇଲେ। ରାସ୍ତାରେ ଯାଉଥିବା ଲୋକେ ଭୟରେ ଥରିଲେ। କିଟକୁ କାଟୁ କଲାନି କମିଶନରେଟ ପୋଲିସ ଛାଟ।

author-image
Chinmayee Sahoo
KIIT

KIIT Photograph: (OTV)

ଦୀପାବଳି ରାତିରେ ଭୁବନେଶ୍ବରସ୍ଥିତ କିଟ୍ (KIIT University) ମେନ୍ ଗେଟ୍ ଆଗରେ ହଲ୍ଲାବୋଲ୍। ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପରିଚାଳିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି-KIIT କ୍ୟାଂପସ୍ ଦେଇ ଯାଇଥିବା ସର୍ବସାଧାରଣ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ବାଣ ଫୁଟାଇବା ନାଁରେ ବିଶୃଙ୍ଖଳିତ ହୋଇ ପଡ଼ିଥିଲେ ଛାତ୍ରମାନେ। ସେ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ ତ ବାଣ ନିଆଁରେ ଗଛ ଜଳିଥିଲା। ପୋଲିସ ଓ ଫାୟାର ଟିମ୍ ସବୁ ଦେଖି ଜଳକା ଭଳି ଚାହିଁଥିଲେ।
ଦୀପାବଳି ରାତିର କିଟ୍ ବିଶ୍ବବିଦ୍ୟାଳୟ ସାମନା ରାସ୍ତାରେ ନିଆଁ ସହ ଖେଳିଥିଲେ ଛାତ୍ର। ଶହ ଶହ ପିଲା ଏକାଠି ହୋଇ ଅତି ବିପଦଜ୍ଜନକ ଭାବରେ ବାଣ ଫୁଟାଉଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ସେହି ରାସ୍ତା ଦେଇ ଯିବାକୁ ଭୟ କରିଥିଲେ ପଥଚାରୀ। 
ଉଶୃଙ୍ଖଳ ଛାତ୍ରଙ୍କ ମଧ୍ୟରୁ କିଏ ଫାୟାର ଗାଡି ଉପରେ ଚଢିଥିଲା ତ କିଏ ଫାୟାରମ୍ୟାନଙ୍କଠୁ ପାଇପ୍ ଛଡ଼ାଇ ନିଜେ ପାଣି ପକାଇଥିଲା। ବାଣ ନିଆଁରେ ଗଛ ଜଳୁଥିଲା। ସମସ୍ତେ ଏତେ ବେଫିକର ଥିଲେ ଯେ, କାହାରିକୁ ପରିବେଶ ପରୱା ନଥିଲା। ବେଶ୍ କିଛି ଘଣ୍ଟା ଧରି ରାସ୍ତା ଉପରେ ଚାଲିଥିଲା ଏଭଳି ହଙ୍ଗାମା। 
ଫାୟାର ଗାଡ଼ି ଉପରେ ଚଢ଼ି ନାଚିବା ସହ ହାତରେ ବାଣ ଧରି ବି ଫୁଟାଇଥିଲେ ଉଶୃଙ୍ଖଳ ଛାତ୍ର। ପୋଲିସ୍ ଓ ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ହଙ୍ଗାମା ଚାଲିଥିଲା, ହେଲେ ସମସ୍ତେ ଥିଲେ ନାଚାର। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।
ତେବେ ଏଠି ପ୍ରଶ୍ନ, କିଟ୍ ପାଇଁ ପୋଲିସର ଏତେ ଦରଦ କାହିଁକି ? ପ୍ରତିକ୍ରିୟାରେ ବୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି ଯେ, କିଟ୍ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ସେଠି ଆଉ ଫାୟାର ଟିମର ଦରକାର ପଡ଼ିନଥିଲା। ପରେ ପୋଲିସ୍ ପହଞ୍ଚି ପିଲାଙ୍କୁ ଘଉଡ଼ାଇ ଦେଇଥିଲା। 
ତେବେ ଅନୁମତି ନେଇ ନିଜର ଫାୟାର ଉଇଙ୍ଗ କରିଛି ତ କିଟ୍ ? ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ପିଲା ଉତ୍ପାତ କରୁଥିଲା ବେଳେ କେଉଁଠି ଥିଲେ ସଂସ୍ଥାର ସୁରକ୍ଷା ଅଧିକାରୀ? ଏ ସଂପର୍କରେ ଆମେ କିଟ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅଧିକ ଦେଖନ୍ତୁ:

KIIT University
Advertisment
Related Articles
Advertisment