/odishatv-khabar/media/media_files/2025/10/23/idco-2025-10-23-20-36-45.jpg)
IDCO Photograph: (OTV)
ଇଡ଼କୋ ଜରିଆରେ ହେଉଛି ଜମି ଦୁର୍ନୀତି। ଶିଳ୍ପ ନାଁରେ ଜମି କେଳେଙ୍କାରୀରେ ମାତିଛନ୍ତି ଜାଲ୍ ଶିଳ୍ପପତି। ଇଡକୋକୁ ହାତକରି ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମିରେ କିଛି ନକରି ଦଶନ୍ଧି ପରେ ଜମିର ଦର ବଢ଼ିଲେ ବିକି ଦିଆଯାଉଛି। ଆରଟିଆଇ ତଥ୍ୟକୁ ଅସ୍ତ୍ର କରି ପଟିଆର ଚନ୍ଦକା ଶିଳ୍ପାଞ୍ଚଳରେ ସାମ୍ନାକୁ ଆସିଥିବା ଏଭଳି ଜମି ଦୁର୍ନୀତିର ଉଜାଗର କରିଛି ଓଟିଭି।
ଭଦ୍ରକ ଚରମ୍ପାର ରାଜକିଶୋର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଶିଳ୍ପ ପାଇଁ ନେଇଥିବା ଜମି ୧୪ ବର୍ଷ ପକେଇ ରଖିବା ପରେ ଏବେ କିଟ୍ ଓ କିସ୍ ସହ ସଂପୃକ୍ତ ଏକ ସଂସ୍ଥାକୁ ଟ୍ରାନ୍ସଫର କରିବାକୁ ଅନୁମତି ମାଗିଛନ୍ତି। ବଡ଼ କଥା ହେଉଛି ଇଡ଼କୋ ଏହି ଜମି ଲିଜ୍ ବାତିଲ ନକରି ସଂସ୍ଥାକୁ ନିର୍ମାଣ ଅନୁମତି ଦେଇଛନ୍ତି। ପଢ଼ନ୍ତୁ ଏହି କାରସାଦି ନେଇ ଅନୁସନ୍ଧାନମୂଳକ ରିପୋର୍ଟ।...
ଶିଳ୍ପ ନାଁରେ ସରକାରୀ ଜମି ବେପାର ଘୋଟାଲା । ରାଜଧାନୀ ଛାତି ଉପରେ ଇଡକୋ ଜମି ଦୁର୍ନୀତିର ପୋଲ୍ ଖୋଲ୍ । ନିଜ କେଳେଙ୍କାରୀ ପେଡ଼ି ନିଜେ ଖୋଲିଦେଲା ଇଡକୋ!
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଓଟିଭିକୁ ମିଳିଥିବା ଏ ତଥ୍ୟ କହୁଛି ସାଂଘାତିକ କାହଣୀ । ୧୪ ବର୍ଷ ଧରି ପଡ଼ି ରହିଥିବା ଜମି ଲିଜ୍ ବାତିଲ ବଦଳରେ ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ଦେଉଛି ଇଡକୋ। ବିଲଡିଂ ନିର୍ମାଣ ଚାଲିଥିଲା ବେଳେ ଚାଲିଛି ଜମି ଟ୍ରାନ୍ସଫର ଉଦ୍ୟମ।
ତେବେ କିଏ କରୁଛି ନିର୍ମାଣ ? ଯିଏ ଜମି ଟ୍ରାନ୍ସଫର କରିବାକୁ ଚାହୁଁଛି ସେ, ନା ଯେ ଜମି ନେବାକୁ ଚାହୁଁଛି ସେ? ଯିଏ ଯେଉଁଥିପାଇଁ ଜମି ନେଇଥିଲା ତାହା କରିନାହିଁ। ଯିଏ ନେବ ସେ କ’ଣ କରିବ ତାହାର ପ୍ଲାନ ଇଡ଼କୋରେ ନାହିଁ। ଅଥଚ ଚାଲିଛି ବେଧଡ଼କ ନିର୍ମାଣ।...
ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଏରିଆର ପ୍ରାୟ ଏକ ଏକରର ଶିଳ୍ପ ଜମିରେ ନିର୍ମାଣାଧୀନ ଇଏ ସେଇ ବିଶାଳ ବିଲଡିଂ। ଯାହାକୁ ଏକ ସଫ୍ଟୱେର କମ୍ପାନି ଖୋଲିବା ପାଇଁ ୧୪ ବର୍ଷ ତଳେ ଲିଜ୍ ନେଇଥିଲା ଆଲିୟାନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରା. ଲି. ନାମକ ଏକ ସଂସ୍ଥା। ୬୫ ବର୍ଷିଆ ଲିଜ୍ ଅବଧି ପାଇଁ ମୂଲ୍ୟ ଥିଲା ମାତ୍ର ୨୦.୫୨ ଲକ୍ଷ ଟଙ୍କା। ସର୍ତ୍ତ ଅନୁସାରେ ଲିଜ୍ ର ୬ ମାସ ଭିତରେ ନିର୍ମାଣ ଓ ୨ ବର୍ଷ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବା କଥା। ନହେଲେ ନିୟମ ଅନୁଯାୟୀ ଲିଜ୍ ବାତିଲ କରି ପାରିବ ଇଡକୋ। କିନ୍ତୁ ତା ତ ହେଲାନି, ଓଲଟି ଜମିକୁ ୧୪ ବର୍ଷ କାଳ ବ୍ୟବହାର ନକରି ପକେଇ ରଖିଥିବା ସଂସ୍ଥାକୁ ଗତ ଡିସେମ୍ବର ୧୯ ତାରିଖରେ ନିର୍ମାଣ ପାଇଁ ଅନୁମତି ଦେଇଦେଲା ଇଡକୋ।
ଏହା କି ପ୍ରକାର ଦୁର୍ନୀତି?
ତାହା ପୁଣି ସେତିକିବେଳେ ଯେତେବେଳେ ଜମିରେ ଶିଳ୍ପ କରି ନପାରି ଇଡକୋକୁ ଲିଜ ଜମି ଟ୍ରାନ୍ସଫର ପାଇଁ ଆବେଦନ କରିଛି ସଂପୃକ୍ତ ଆଲିଆନ୍ସ ସଂସ୍ଥା। କ’ଣ ଏହା ପଛରେ ମତଲବ ? ଜମିର ବଜାର ମୂଲ୍ୟ ଏବେ ୧୦୦ ଗୁଣରୁ ଅଧିକ ହେବ। ପଟିଆରେ ପ୍ରାୟ ଏକ ଏକର ଶିଳ୍ପ ଜମି ମେସର୍ସ କଳିଙ୍ଗ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ପ୍ରା. ଲି. ନାମକ କିଟ୍ ଓ କିସ୍ ସହ ଜଡ଼ିତ ଏକ କମ୍ପାନୀକୁ ଟ୍ରାନ୍ସଫର ଫାଇଲ ଏବେ ଇଡ଼କୋରେ। ଟ୍ରାନ୍ସଫର ଅନୁମତି ମିଳିନାହିଁ। ଅଥଚ ଜମିରେ ନିର୍ମାଣ ହେଉଛି କିଟ୍ ପାଇଁ। ଏହା କି ପ୍ରକାର ଦୁର୍ନୀତି?
ଏହି ଦୁର୍ନୀତି ପଛରେ ଇଡ଼କୋ ଓ କିଟ୍ (KIIT) ର ଅସାଧୁ ମେଣ୍ଟ ନାହିଁ ତ? କାହିଁକି ଏହି ଜମିରେ ସଫ୍ଟୱେୟାର କମ୍ପାନୀ ଖୋଲିଲା ନାହିଁ ଆଲିୟାନ୍ସ? କାହିଁକି ୧୪ ବର୍ଷ ଧରି ଜମି ରହିଲା ପଡ଼ିଆ? ଏବେ କାହିଁକି ଆରମ୍ଭ କରିଛି ନିର୍ମାଣ? ଏକା ସମୟରେ ପୁଣି ଜମି ଟ୍ରନ୍ସଫର ଉଦ୍ୟମ?
ଆଲିୟାନ୍ସ ନିର୍ଦ୍ଦେଶକମାନଙ୍କୁ ଆମେ ପଚାରିଥିଲୁ ଏମିତି କେତେକ ପ୍ରଶ୍ନ। ମାତ୍ର, କୌଣସି ପ୍ରତିକ୍ରିୟା ନଦେଇ ନିରବ ରହିଲେ କମ୍ପାନୀର ଦୁଇ ନିର୍ଦ୍ଦେଶକ ରାଜକିଶୋର ଅଗ୍ରୱାଲ ଓ ସଞ୍ଜୟ ଅଗ୍ରୱାଲ। ନିୟମ ଅନୁସାରେ ଶିଳ୍ପ ନକଲେ କମ୍ପାନି ଇଡ଼କୋକୁ ଜମି ଫେରେଇବା କଥା। ଇଡ଼କୋ ଏହା ଜାଣି ମଧ୍ୟ ନିଷ୍କ୍ରିୟ।
କମ୍ପାନୀ ଏହା ଜାଣି ମଧ୍ୟ କରିବାକୁ ଚାହିଁଛି କୋଟିକୋଟି ଟଙ୍କାର ଭିତିରି କାରବାର। ଆଉ ନିୟମ ଅନୁସାରେ ଜମି ଟ୍ରାନ୍ସଫର ହୋଇ ନଥିଲେ ମଧ୍ୟ ଜମିରେ ବହୁ ତଳ ବିଶିଷ୍ଟ ସୌଧ ନିର୍ମାଣ କରୁଛି କିଟ୍। ପୁଣି ଜମି ନିଆଯାଇଥିଲା ସଫ୍ଟୱେର ପାର୍କ ପାଇଁ, ହେଲେ ତିଆରି ହେଉଛି କିଟ (KIIT UNIVERSITY)ର ଅଡିଟୋରିୟମ୍।...ଯାହା ବାହାରୁ ଜଳ ଜଳ ଦିଶୁଛି।...
ପୂର୍ବରୁ କିଭଳି କିଟ୍ ସଂସ୍ଥା ୧୪ ଏକର IDCO ଜମି ଜବରଦଖଲ କରି ପରେ ତାହାକୁ ନିୟମିତ କରାଇନେଇଥିଲେ ତାହା ସିଏଜି ତାଙ୍କ ୨୦୧୩ ରିପୋର୍ଟରେ ଦର୍ଶାଇଥିଲେ। ଇଡକୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ମାଣ କାମ ସରିନଥିବାରୁ ଏବେ କିଭଳି ଜମି ଟ୍ରାନସଫର ହେବ ସେ ନେଇ Alliance Computerକୁ IDCO ପକ୍ଷରୁ ନୋଟିସ ଦିଆଯାଇଛି। ...
ପ୍ରଶ୍ନଉଠୁଛି- ଏଭଳି ଭାବେ ମୂଲ୍ୟବାନ ଇଡକୋ ଜମିକୁ ମାତ୍ର କିଛି ଲକ୍ଷ ଟଙ୍କାରେ ଲିଜରେ ନେଇ ପରେ ଏହାକୁ କୋଟିକୋଟି ଟଙ୍କାରେ ବିକିବା ପାଇଁ ଫେକ୍ କମ୍ପାନୀ ତିଆରି କରାଯାଉନାହିଁ ତ? କିଟ୍ ଠାରୁ ପଛ ଦ୍ୱାରରେ ଟଙ୍କା ନେଇ ଜମି ବିକା ଯାଇନାହିଁ ତ? ଏନେଇ ହ୍ୱାଟ୍ସଆପ୍ ଯୋଗେ ଉତ୍ତର ଦେଇଛନ୍ତି କିଟ୍ ର ମୁଖ୍ୟ ଲୋକସଂପର୍କ ଅଧିକାରୀ। କହିଛନ୍ତି, କିଟ୍ ଏଥିସହ କୌଣସି ଭାବେ ଜଡିତ ନୁହେଁ।
SI Recruitment Mega Scam to Be Exposed: ଖୋଲିବ ପୋଲିସ୍ SI ନିଯୁକ୍ତି ମହାଦୁର୍ନୀତି ପେଡ଼ି, ଜାଲିଆତି ସିଣ୍ଡିକେଟରେ ଜଡିତ ବଡ଼ବଡ଼ିଆଙ୍କ ଛାତି ଧଡ଼ଧଡ଼

Pitabas Panda Murder Case: ଧରାପଡ଼ି ନାହାନ୍ତି ପୀତବାସଙ୍କ ମର୍ଡର ପ୍ଲଟର ୨ ମାଷ୍ଟରମାଣ୍ଡ, ସୁଦର୍ଶନଙ୍କ ସରେଣ୍ଡର ପରେ ବଢ଼ିଲା ବିକ୍ରମ ପଣ୍ଡାଙ୍କ ଅଡୁଆ

Magistrate Involved in Spat with CNG Pump Worker: 'ତୁମେ ଜାଣିଛ ମୁଁ କିଏ?' ମାଜିଷ୍ଟ୍ରେଟଙ୍କ ସହ ସିଏନଜି ପମ୍ପ କର୍ମଚାରୀଙ୍କ ଝଗଡ଼ା ପରେ ପତ୍ନୀ ଦେଲେ ଏତଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)