/odishatv-khabar/media/media_files/2025/12/21/kiss-2025-12-21-21-02-47.jpg)
kiss Photograph: (OTV)
ନିରୀହ ଆଦିବାସୀ ଛାତ୍ରଙ୍କ ଅକାଳ ବିୟୋଗ ପଛର ସତକୁ ଆଉ କେତେ ଚାପିବେ ‘କିସ୍’ କର୍ତ୍ତୃପକ୍ଷ ? ଆଉ କେତେ ଛାତ୍ର ମରିବା ପରେ ସତ କହିବେ ନିଜ ରକ୍ତର ସନ୍ତାନକୁ ହରାଇ ଭାଙ୍ଗିପଡ଼ିଥିବା ବାପା, ମା’ଙ୍କୁ ? ଆଉ କେତେଦିନ ‘କିସ୍’ କର୍ତ୍ତୃପକ୍ଷ ଖେଳିବେ ସତ-ମିଛର ଲୁଚକାଳି ଖେଳ ? କେନ୍ଦୁଝରର ନବମ ଶ୍ରେଣୀର ଆଦିବାସୀ ଛାତ୍ରକୁ ହତ୍ୟା ବୋଲି ଜାଣି ବି ଗପ କହିଥିବା କିସ୍ କର୍ତ୍ତୃପକ୍ଷଙ୍କ ମୁଖା ଖୋଲିବା ପରଠୁ ଏବେ ବଢ଼ିଚାଲିଛି ଅଭିଯୋଗର ଧାରା। ମିଡ଼ିଆରେ ନୁହେଁ, ସିଧା ଥାନାରେ ଏତଲା ଦେଇଛନ୍ତି ପରିବାର। ଏଇ ଯେମିତି ସେହି କେନ୍ଦୁଝରର ଆଉ ଜଣେ ପରିବାର। ଯାହାଙ୍କ ପୁଅ ୨୦୨୩, ସେପଟେମ୍ବର ୫ରେ ହରାଇଥିଲା ଜୀବନ। ପ୍ରଥମେ କୁହାଗଲା ଜ୍ବର ହୋଇଛି, ପରେ କୁହାଯାଇଥିଲା ହାର୍ଟ ଆଟାକ୍। ଏଭଳି ନାନା ଗପ ଶୁଣାଇ ‘କିସ୍’ର ଜଣେ ଏଜେଣ୍ଟ ଆସି କାରରେ ବାପାଙ୍କୁ ନେଇଗଲେ। ସେଠାକୁ ଗଲାବେଳକୁ ତାଙ୍କ ପୁଅର ମୃତ୍ୟୁ ହୋଇସାରିଥିଲା। କିନ୍ତୁ ନା ବ୍ୟବଛେଦ କଲେ, ନା ମୃତ୍ୟୁର କାରଣ ସଂପର୍କରେ ସ୍ପଷ୍ଟ କଲେ। ବରଂ ଆମ୍ବୁଲାନ୍ସ ସହ ମଲାଦେହକୁ ଧରାଇ ଦେଇ ବାପାଙ୍କୁ ପଠାଇଦେଲେ କେନ୍ଦୁଝର ଘଷିପୁରା ଅଞ୍ଚଳରେ ଥିବା ଗାଁକୁ। କିସ୍ କ୍ୟାମ୍ପସରେ କ୍ରମାଗତ ସନ୍ଦେହଜନକ ଛାତ୍ରମୃତ୍ୟୁ ଅଭିଯୋଗ ପରେ ଏହି ନୀରିହ ବାପା ବି ଘଷିପୁରା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ପୁଅକୁ ବି ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ସେ।
ଉଦବେଗଜନକ କଥା ହେଉଛି, ଗତ ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ଆଦିବାସୀ ଇଲାକାରୁ ଆସିଲାଣି ଚାରି ଚାରିଟି ଅଭିଯୋଗ। ତା’ଭିତରୁ କେନ୍ଦୁଝର ଜିଲ୍ଲାରୁ ୩ ଏବଂ ଗଜପତି ମୋହନା ଅଞ୍ଚଳରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। କେଉଁ ଛାତ୍ର ୨୦୧୬ ତ ଆଉ କିଏ ୨୦୨୩, ପୁଣି ଆଉ କିଏ ୨୦୨୫। ଏହି ୪ ଜଣଙ୍କ ମଧ୍ୟରୁ କାହାକୁ ହତ୍ୟା ଅଭିଯୋଗ ତ ଆଉ କାହାର ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଦାବି କରିଛନ୍ତି ମୃତ ଛାତ୍ର ମାନଙ୍କ ପରିବାର ଲୋକେ। ନବମ ଛାତ୍ରକୁ ହତ୍ୟା ସତ୍ତ୍ବେ ପୋଷ୍ଟମର୍ଟମ ନକରି ଯେଉଁ ଫଣ୍ଡା ଆପଣାଇ ପରିବାର ଲୋକଙ୍କୁ ଧରାଇ ଦିଆଗଲା ମୃତଦେହ, ସେହି ସମାନ ଉପାୟରେ ଅନ୍ୟମାନଙ୍କ ମୃତଦେହକୁ ବି ହସ୍ତାନ୍ତର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅର୍ଥାତ ସବୁ ନିୟମ କାନୁନର ଉଲଂଘନ ସହ ଶିଶୁ ସୁରକ୍ଷା ଅଧିକାର ଆଇନକୁ ପାଦରେ ଦଳି କେମିତି ଘଣ୍ଟ ଘୋଡ଼ାଇ ଆସୁଥିଲେ କିସ୍ କର୍ତ୍ତୃପକ୍ଷ, ମୁଖା ଖୋଲିଛି। ପୂର୍ବ ସରକାର ଅମଳରେ ‘କିସ’ରୁ ଏକାଧିକ ଛାତ୍ର ଅଘଟଣ ସତ୍ତ୍ବେ ସାମ୍ନାକୁ ଆସିପାରୁନଥିଲା ସତ। ଏବେ ଥାନାକୁ ଯାଇ ଜଣଙ୍କ ପରେ ଜଣେ ମୃତ ଛାତ୍ରଙ୍କ ପରିବାର ଏତଲା ଦେବାରେ ଲାଗିଛନ୍ତି। ତେଣୁ ଏସବୁର ବିଚାର ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପଦକ୍ଷେପ ନେବେ ତ ? ଏହି ସମସ୍ତ ଅଭିଯୋଗକୁ ଗ୍ରହଣ କରି ନିଜ ଆଡୁ ମାମଲା ରୁଜୁ କରିବେ କି OSCPCR ? ଶିକ୍ଷାବିତ ଓ ଆଇନଜୀବୀଙ୍କ ମତ, ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କରି ସରକାର ବି ତ୍ବରିତ ଆକ୍ସନ ନେବା ଜରୁରୀ।
ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ ଭାବେ ନିରୀହ ଆଦିବାସୀ ପିଲାଙ୍କ ଦୁର୍ଦ୍ଦଶା ସଂପର୍କରେ ଓଟିଭି ସତକୁ ସାମ୍ନାକୁ ଆଣୁଛି, ତଥ୍ୟ ଆଉ ପ୍ରମାଣ ଆଧାରରେ ଖବର ଦେଖାଇ ଆସୁଛି। କିନ୍ତୁ ‘କିସ୍’ ମଡେଲର ଅନ୍ଧାର ଅଧ୍ୟାୟ ଭିତରେ ଛାତ୍ର ଅଘଟଣର ଧାରା ସତ୍ତ୍ବେ ବହପ ଦେଖାଇ ଆସୁଥିବା କିସ୍ ଏବଂ କିଟ୍ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିପାରୁନାହାଁନ୍ତି। ଜଘନ୍ୟ ଛାତ୍ର ହତ୍ୟାକାଣ୍ଡର ଖୁଲାସା ପରଠୁ କେବଳ ଛେପ ଢୋକୁଛନ୍ତି ସିନା, ସତ କହିବାକୁ ସାହସ କରୁନାହାଁନ୍ତି। ଆନନ୍ଦପୁରରୁ ମୁନା ସିଂ, କଟକରୁ ପ୍ରଭାତ ବିଶୋୟୀ ଏବଂ ଭୁବନେଶ୍ବରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି।
Shubman Gill's T20 World Cup Sacking: କାହିଁକି T20 ବିଶ୍ବକପ୍ ଖେଳିବେନି ଶୁଭମନ୍ ଗିଲ୍? ଖରାପ ଫର୍ମ ନାଁ ରହିଛି ଅନ୍ୟ କାରଣ...

Off-the-Cuff Remark: କହୁ କହୁ କହିଦେଲେ ସମ୍ୱିତ; ପାଣ୍ଡିଆନ ଜଣେ ମ୍ୟାନେଜର୍, ନେତା ନୁହଁ

ISI Shadow Over Bangladesh Unrest: ବାଂଲା ହିଂସା ପଛରେ ପାକ୍ ISI ହାତ, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଲେ

Good News for Private Employees: ପ୍ରାଇଭେଟ୍ ଚାକିରି ସରିବା ପରେ ମିଳିବ ପେନସନ୍, ଜାଣନ୍ତୁ ଏଇ ଯୋଜନା ବିଷୟରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)