Advertisment

Heartwarming Send-Off: ଅବସର ନେବା ପରେ ପ୍ରସେସନ କରି ଶିକ୍ଷକଙ୍କୁ ଗାଁ ବୁଲାଇଲେ ଲୋକେ, ଅବଦାନ ସ୍ମରଣୀୟ ହୋଇରହିବ

ଦୀର୍ଘ ୩୬ ବର୍ଷ ଧରି ଗାଁ ବିଦ୍ୟାଳୟରେ ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିଛନ୍ତି, ଅନେକ ପ୍ରତିଭା ତିଆରି କରିଛନ୍ତି ନିରାକାର ସାର l ଜଣେ ଆଦର୍ଶ ଶିକ୍ଷକ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଗ୍ରାମବାସୀ କରିଥିଲେ ବିରାଟ ପଟୁଆରର ଆୟୋଜନ।

author-image
Tapan Swain
Teacher

Teacher Photograph: (OTV)

ବାଜୁଥିଲା ବାଜା, ଚାଲିଥିଲା ପ୍ରସେସନ୍। ଗାଁ ସଡ଼କରେ ଫୁଲରେ ସୁସଜ୍ଜିତ ଗାଡ଼ିରେ ଆସୁଥିଲେ ଜଣେ ବ୍ୟକ୍ତି । ମୁଣ୍ଡରେ ପିନ୍ଧିଥିଲେ ପଗଡ଼ି, ବେକରେ ପଡ଼ିଥିଲା ଫୁଲମାଳ। ଏ ଦୃଶ୍ୟ ଗୋଟିଏ ବାହାଘରର ଭ୍ରମ ସୃଷ୍ଟି କରିଥିଲା । ହେଲେ ପ୍ରକୃତରେ ଏଠି ଚାଲିଛି ଜଣେ ମହାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା।

Advertisment

ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର। ଏଠାରେ ଥିବା କାଳନ୍ଦୀଚରଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରାକାର ପାଣିଗ୍ରାହୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଦୀର୍ଘ ୩୬ ବର୍ଷ ଧରି ଗାଁ ବିଦ୍ୟାଳୟରେ ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିଛନ୍ତି, ଅନେକ ପ୍ରତିଭା ତିଆରି କରିଛନ୍ତି ନିରାକାର ସାର l

ଜଣେ ଆଦର୍ଶ ଶିକ୍ଷକ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଗ୍ରାମବାସୀ କରିଥିଲେ ବିରାଟ ପଟୁଆରର ଆୟୋଜନ। ଗାଁ ଲୋକଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସବୁଦିନ ପାଇଁ ମନେରହିବ ବୋଲି କହିଛନ୍ତି ନିରାକାର ସାର୍ l

Advertisment

ବ୍ୟାଣ୍ଡପାର୍ଟିର ତାଳେ ତାଳେ ସ୍କୁଲ ପିଲା 

ତେବେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରଥମେ ନିରାକାର ସାରଙ୍କୁ ମାନପତ୍ର ସହିତ ଉତ୍ତରୀୟ ଓ ଉପହାର ପ୍ରଦାନ କରାଯାଇଥିଲାl ପରେ ଆରମ୍ଭ ହୋଇଥିଲା ପ୍ରସେସନ। ସାରଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ ଗାଁ ବୁଲାଇଥିଲେ ଗ୍ରାମବାସୀl ବ୍ୟାଣ୍ଡପାର୍ଟିର ତାଳେ ତାଳେ ସ୍କୁଲ ପିଲାମାନେ ନାଚି ନାଚି ତାଙ୍କୁ ଗ୍ରାମ ପରିକ୍ରମା କରିଥିଲେ l ଏହି ବିଶାଳ ପ୍ରସେସନ ଶିକ୍ଷକଙ୍କ ଘର ପର୍ଯ୍ୟନ୍ତ ଯାଇଥିଲା। ନିରାକର ସାରଙ୍କ ସ୍କୁଲ ପ୍ରତି ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ବୋଲି କହିଛନ୍ତି ଗ୍ରାମବାସୀ l

ନିରାକାର ସାର ଜଣେ ଆଦର୍ଶ ଶିକ୍ଷକ ଭାବେ ୩୬ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ। ପିଲାଙ୍କ ଦାୟିତ୍ୱ ସେ ସଠିକ ଭାବେ ତୁଲାଉଥିଲେl ଏପରି ଶିକ୍ଷକ ଭାଗ୍ୟରେ ଥିଲେ ମିଳିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । 

ନିରାକର ସାରଙ୍କ ପରି ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ପାଇଁ ପ୍ରେରଣା ସାଜିବ। ଏଥିରେ ସନ୍ଦେହ ନାହିଁ । 

Teacher Emotional Farewell
Advertisment
Related Articles
Advertisment