• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।

ଗତ କିଛି ଦିନ ଧରି କେରଳରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଏବେ ବର୍ଷାର ପରିମାଣ ବଢ଼ିଛି। ଦେଶର ଉତ୍ତରପୂର୍ବ ଭାଗ ଅର୍ଥାତ ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ଆସାମରେ ସାଧାରଣତଃ ଜୁନ ୫ ତାରିଖରେ ମୌସୁମୀ ପହଞ୍ଚିଥାଏ । ତେବେ ବାତ୍ୟା ରେମାଲ ପ୍ରଭାବରେ ମୌସୁମୀ ଆଗୁଆ ପ୍ରବେଶ କରିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଜଳୁଛି ପଶ୍ଚିମ ଓଡ଼ିଶା; ସକାଳୁ ସକାଳୁ ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି

ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ତାହା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ସୂଚନା ଦିଆଯାଇନାହିଁ । ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ତେବେ ଏଥର ସ୍ବାଭାବିକ ସମୟର ୨ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି ।

ତେବେ ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।

ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ଜାରି ରହିଛି। ଗତକାଲି ବଲାଙ୍ଗିରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢିଯାଇଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହର କଷ୍ଟକୁ ଆହୁରି ବଢ଼ାଇ ଦେଉଛି ବିଦ୍ୟୁତ ବିଭ୍ରାଟ ଓ ପିଇବା ପାଣି ସମସ୍ୟା । ଆଜି ରାଜଧାନୀରେ ଆକାଶ ସାମାନ୍ୟ ମେଘୁଆ ଥିବା ବେଳେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now