Advertisment

Weather Updates: କାଳ ସାଜି ଦୁଃଖ ଆଣିଦେଲା କାଳବୈଶାଖୀ; ଦେଇଗଲା କ୍ଷତି-କ୍ଷତ...

ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାଇଁ ସାଇଁ ଗର୍ଜନ କରି ବହିଲା ପ୍ରଳୟଙ୍କାରୀ ପବନ। ତୁହାକୁ ତୁହା ବର୍ଷିଲା। ଆକାଶରୁ ଖସିଲା କୁଆପଥର।

author-image
Sujit kumar Swain
Weather Updates

Weather Updates

ଖରା ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା। କିନ୍ତୁ ଝଡ଼ତୋଫାନ ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ। ସେପଟେ କେନ୍ଦୁଝର ଜିଲ୍ଲାରେ ବି ତାଣ୍ଡବ ରଚିଛି କାଳବୈଶାଖୀ। ବ୍ରହ୍ମପୁରରେ ବେହାଲ୍ କରିଛି ଅସରାଏ ବର୍ଷା। ଆଜି କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସାଙ୍ଗକୁ ଆକାଶରୁ ଖସିଛି କୁଆପଥର। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି।

Advertisment

କାଳ ସାଜିଲା କାଳବୈଶାଖୀ। ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାଇଁ ସାଇଁ ଗର୍ଜନ କରି ବହିଲା ପ୍ରଳୟଙ୍କାରୀ ପବନ। ତୁହାକୁ ତୁହା ବର୍ଷିଲା। ଆକାଶରୁ ଖସିଲା କୁଆପଥର। ତାତିରୁ ତ୍ରାହି ଆଣିଥିବା ଝଡ଼ବର୍ଷା ଦେଇଯାଇଛି ଦାରୁଣ ଦୁଃଖ। ଟାଙ୍ଗରା ଭୂଇଁ ପାଲଟିଛି ଗାଁ। ମାଟିରେ ମିଶିଛି ଆଜବେଷ୍ଟସ ଘର । ଗାଡିମୋଟର କାଚ ଭାଙ୍ଗି ଚୁରମାର । ବର୍ଷାରେ ଜଳବନ୍ଦୀ ସ୍ଥିତି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମନାକୁ ଆସିଛି ଏମିତି ଘଟଣା । କେଉଁଠି ପ୍ରବଳ ଭିଜାଇଛି ତ କେଉଁଠି ଛାଡି ଯାଇଛି କ୍ଷତ ଓ କ୍ଷତି। ଲୋକଙ୍କ ଉପରେ ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । କୁଆପଥର ମାଡ଼ରେ ଭଙ୍ଗା ଟାଇଲ୍ ଓ ଆଜବେଷ୍ଟସ ଘରୁ ଅନାଇଲେ ଜଳ ଜଳ ଦିଶୁଛି ଜହ୍ନ ତାରା। ଚାରିଆଡେ ପକ୍ଷୀ ମଡକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଗାଁରେ ଏମିତି ଦୁର୍ଦ୍ଦଶା। ଗତ ଗୁରୁବାର ରାତିରେ ବର୍ଷା ପବନ ସାଙ୍ଗକୁ ବଡ଼ ବଡ଼ କୁଆପଥର ଖସିଥିଲା। ଏଥିରେ ୧୭ଟି ପଞ୍ଚାୟତର ଶହେରୁ ଅଧିକ ଗାଁ ପ୍ରଭାବିତ ହୋଇଛି। କ୍ଷତିପୂରଣ ଦାବିରେ ଦୁଇ ଦିନ ହେବ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରୁଛନ୍ତି। 

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା

Advertisment

କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ବାଂଶପାଳ ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ । କୁଆପଥର ମାଡ଼ରେ ଆଜବେଷ୍ଟସ ଘର ଚୁରମାର ହୋଇଛି। ପବନରେ ଉପୁଡିଛି ବଡ଼ ବଡ଼ ଗଛ । ଏପଟେ ବ୍ରହ୍ମପୁରରେ ବି ବେହାଲ୍ କରିଛି କାଳବୈଶାଖୀ ବର୍ଷା। ବେଶ କିଛି ସମୟ ନିର୍ଧୁମ ବର୍ଷିଲା। ସହର ଭିତରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବିଭିନ୍ନ ଅଞ୍ଚଳ ହୋଇଥିଲା ଜଳବନ୍ଦୀ। କେଉଁଠି ଗଛ ଭାଙ୍ଗିଥିଲା ତ ଆଉ କେଉଁଠି ବର୍ଷା ପାଣି କିଛି ସମୟ ପାଇଁ ପଥଚାରୀଙ୍କ ବାଟ ଅଟକାଇଥିଲା। କାଳବୈଶାଖୀ ବର୍ଷାରେ ଟୁଇନ୍ ସିଟିରେ ପାଗର ମିଜାଜ୍ ବଦଳିଛି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। 

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୨୪ ଘଣ୍ଟା ରହିବ କାଳବୈଶାଖୀ ପ୍ରଭାବ। କିଛି ସ୍ଥାନରେ ପ୍ରବଳ ବର୍ଷିପାରେ। ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୪ ତାରିଖ ଯାଏଁ ଝଡ଼ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ୨୫ରୁ ପାଗରେ ପରିବର୍ତ୍ତନ ହୋଇପାରେ। ଝଡ଼ବର୍ଷା କେଉଁଠି ଲୋକଙ୍କ ବେଉସା ଉଜାଡିଛି ତ କେଉଁଠି କୁଆପଥର ମାଡ଼ ବିପନ୍ନଙ୍କୁ ବେଘର କରିଛି। ଏବେ ଅପେକ୍ଷା ସରକାରୀ ସହାୟତାକୁ।

ଅଧିକ ପଢ଼ନ୍ତୁ: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ

Odisha Weather IMD Rainfall Weather Updates Thunderstorms
Advertisment
Advertisment