ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି। ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ଅର୍ଥାତ୍ ଗଜଲକ୍ଷ୍ନୀ ପୂଜାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି।
ଆନ୍ଧ୍ର ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତେଣୁ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହାସହ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ହୋଇଥିଲା। ତେବେ ୯ ତାରିଖ ଯାଏ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।
୯ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।