• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆରମ୍ଭ ହୋଇନି ବୈଶାଖ...ତାଣ୍ଡବ ରଚୁଛି କାଳବୈଶାଖୀ । ପ୍ରକୃତିର କରାଳ ରୂପ ସବୁ କିଛି ଛାରଖାର କରିଦେଇଛି । କୁଆପଥର ସହ ବର୍ଷା ପବନ ଭାଙ୍ଗିଛି ଲୋକଙ୍କ ମେରୁଦଣ୍ଡ । ଗତ କୋଡ଼ିଏରୁ ତିରିଶି ବର୍ଷ ଭିତରେ ଏମିତି ତଣ୍ଡବ ଲୋକ ଦେଖିନଥିବା କହିଛନ୍ତି । ଅନେକ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଉଡିଯାଇଛି । ଆଉ ଲୋକମାନଙ୍କ କିଭଳି ଦୟନୀୟ ସ୍ଥିତି ଆପଣ ଭିଜୁଆଲ୍‌ ଦେଖିଲେ ବୁଝିପାରିବେ । 

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ମହୁଲବରେହି ଗାଁ । ଏଠି ସମସ୍ତଙ୍କ ଘରର ଅବସ୍ଥା ସମାନ । ଆଜବେଷ୍ଟସ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇପଡିଛି । ଠିକ୍ ରାତି ଆଠଟା ବେଳକୁ କାହିଁ କେଉଁଆଡ଼ୁ ପବନ ସହ ପ୍ରବଳ କୁଆପଥର ବର୍ଷା ଆସି ଏଠି ସବୁ କିଛି ଶେଷ କରିଦେଇଛି । କୁଆପଥର ମାଡ଼ ଏତେ ଭୟଙ୍କର ଥିଲା ଯେ କୁହାଯାଉଛି ଗୋଟିଏ ଗୋଟିଏ କୁଆପଥର ପାଞ୍ଚ ଶହ ଗ୍ରାମ ଓଜନ ପର୍ଯ୍ୟନ୍ତ ଥିଲା ।

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା

ମୟୂରଭଞ୍ଜ ଜିଲ୍ଲାର କେବଳ ବାଙ୍ଗିରପୋଷି ବ୍ଲକ ନୁହେଁ, କୁଳିଅଣା ଓ ସାରସକଣା ଆଦି ବ୍ଲକର କିଛି ଗାଁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏମିତିକି କୁଆପଥର ମାଡ଼ରେ ଲୋକ ଆହତ ଓ ଗରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ ପୁଣି କାହା ଶରୀରରେ ଲାଗିଛି ଗଭୀର ଆଘାତ । ଏମିତିକି ଶତାଧିକ ବାଇକ୍, କାର ଆଦିର କାଚ ମଧ୍ୟ ଭାଙ୍ଗିରୁଜି ଚୁମାର ହୋଇଯାଇଛି । ଏହି ଅଞ୍ଚଳ ଗୁଡ଼ିକରେ ପ୍ରାୟ ୫ଶହ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । 

ଆଜି ବି ସାରା ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ୩୦ ଜିଲ୍ଲାକୁ ବଜ୍ରପାତ ଓ ପବନ ବହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିପାରେ । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବୋହିବା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ଆଜି ବର୍ଷା ପବନ ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଦେବଗଡ଼ । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କାଁ ଭାଁ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ ତୋଫାନ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ୍ ଲାଇନ୍ । ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । ୨୫ ତାରିଖ ପରଠୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । 

ଅଧିକ ପଢ଼ନ୍ତୁ: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ