• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

୮ ତାରିଖ ସକାଳେ ଏହା ଉତ୍ତର ତାମିଲନାଡ଼ୁ-ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ତେବେ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ରହିବନି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମ୍ଭାବ୍ୟ ବାତ୍ୟାର ନାଁ ମାଣ୍ଡୋସ୍ ରହିବ । ୟୁନାଇଟେଡ୍ ଆରବ ଏମିରେଟସ୍ ବା ୟୁଏଇ ଏହାର ନାମକରଣ କରିଛି । ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଆସିଥିଲା ବାତ୍ୟା ସି-ତ୍ରାନ୍ । ଯାହାକି ବାଂଲାଦେଶ ଉପକୂଳରେ ସ୍ଥଳ ଭାଗକୁ ଛୁଇଁଥିଲା ।

ସେପଟେ ଆଜି ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା କମ୍ପନ । ଏମିତିକି ବାଂଲାଦେଶ ରାଜଧାନୀ ଢାକାରେ ଅନୁଭୂତ ହୋଇଥିଲା ମୃଦୁ ଭୂକଂପ । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲଜି ପକ୍ଷରୁ ସୂଚନା ଦିଆଯାଇଛି ଯେ, ସକାଳ ୮ଟା ୩୨ରେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୫.୧ । ଭୁବନେଶ୍ୱରଠାରୁ ୪୩୪ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ତଥା ପୁରୀଠାରୁ ୪୨୧ କିଲୋମିଟର ପୂର୍ବ ଦିଗରେ ବଙ୍ଗୋପସାଗରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସମୁଦ୍ର ପତନଠାରୁ ୧୦ କିଲୋମିଟର ଗଭୀରତାରେ ଭୂକମ୍ପ ସୃଷ୍ଟି ହୋଇଥିବାରୁ ପ୍ରଭାବ ଢେର୍ କମ୍ ଥିଲା । ଓଡ଼ିଶାରେ ଏହାର କୌଣସି ପ୍ରଭାବ ଅନୁଭୂତ ହୋଇ ନ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।

ଉପକୂଳ ଓଡ଼ିଶାରେ ଏବେ ଧାନ ଅମଳ ଚାଲିଛି, ବିଲରେ କଟା ହୋଇ ପଡ଼ିରହିଛି ଧାନ କେଣ୍ଡା । ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଯଦି ବର୍ଷା ହୁଏ, ତାହେଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।