• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟକୁ ଫେରିଛି ଶୀତଲହରୀ । ସଂଜ ନଇଁଲେ ପାରଦ ଖସୁଥିବା ବେଳେ ରାତି ସହ ତାଳ ଦେଇ ବଢୁଛି ଜାଡ଼ । ଥିଲା ଲୋକ ସିନା ଘରେ ଆରାମରେ ରହିଯାଉଛି, ହେଲେ ବାସହୀନଙ୍କ କଥା କିଏ ପଚାରେ । ଖୋଲା ଆକାଶ ତଳେ, ମଞ୍ଜ ଥରା ଶୀତରେ କଟୁଛି ଜୀବନ । ସମ୍ବଲପୁର ସହରରେ ଶୀତୁଆ ରାତିରେ ଛକକୁ ଛକ ବୁଲି ବାସହୀନଙ୍କ ଦୁର୍ଦ୍ଦଶାକୁ କ୍ୟାମେରାରେ କଏଦ କରାଯାଇଛି ।

ଚଳଚଞ୍ଚଳ ସମ୍ବଲପୁର ସହର, ହଠାତ ହୋଇଯାଇଛି ଶୂନଶାନ୍ । ସତେ ଯେମିତ ଶୀତ ଲଗାଇଛି ୧୪୪ ଧାରା । ଷ୍ଟ୍ରିଟ୍ ଲାଇଟର ଆଲୁଅରେ କଳା ମଚମଚ ରାସ୍ତା ଆହୁରି ପରିଷ୍କାର ଦିଶୁଛି । ବାସହୀନ ଲୋକଙ୍କ ମୁହଁରୁ ଦୁର୍ଦ୍ଦଶାର କାହାଣୀ ଶୁଣିବା ସହ ଭେଟିଥିଲା ରାତିରେ ଡ୍ୟୁଟି କରୁଥିବା କିଛି ଘରୋଇ କର୍ମଚାରୀଙ୍କୁ । ଏମାନଙ୍କ ଭିତରୁ କିଏ ପେଟପାଟଣାର ଯୁଦ୍ଧ ଲଢୁଥିଲା, ଆଉ କିଏ ଦଇବକୁ ନିନ୍ଦି ରାତି କଟାଉଥିଲା । ପ୍ରଥମେ ଟିମ୍ ପହଞ୍ଚିଥିଲା ଷ୍ଟେସନ ଅଞ୍ଚଳରେ । ସେଠାରେ ଥିବା କିଛି ଯୁବକ ନିଆଁ ଜାଳି ବସିଥିଲେ । ଗାଡ଼ି ଷ୍ଟାଣ୍ଡରେ ଡ୍ୟୁଟି କରୁଥିବା ଯୁବକ ମାନଙ୍କ ପାଇଁ ଶୀତୁଆ ରାତି ଦେହସୁଆ ହୋଇଯାଇଥିବା ବେଳେ ଶୀତରୁ ରକ୍ଷା ପାଇଁ ନିଆଁ ହିଁ ଏକମାତ୍ର ଭରସା ।

ଅଧିକ ପଢ଼ନ୍ତୁ: ସରକାରୀ ବ୍ୟବସ୍ଥାକୁ ଅଟ୍ଟହାସ୍ୟ ! ଖୋଲା ଆକାଶ ତଳେ ଫୁଟପାଥକୁ ଶେଯ କରିଛନ୍ତି ନିରାଶ୍ରୟ

ସହର କେନ୍ଦ୍ରସ୍ଥଳରେ ଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାର ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏଠିବି ଖୋଲା ଆକାଶ ତଳେ ରାତି ବିତାଇବାକୁ ସଂଘର୍ଷ କରୁଥିଲା ଜୀବନ । କିଏ ରିକସା ଉପରେ କିଏ ବାରଣ୍ଡାରେ ଶୋଇ ଅପେକ୍ଷା କରିଥିଲେ ସକାଳକୁ । ଯଦିଓ ରାତ୍ର ଆଶ୍ରୟସ୍ଥଳୀର ବ୍ୟବସ୍ଥା ରହିଛି, ହେଲେ ଏମାନେ ସେ ସଂପର୍କରେ ଜାଣିନାହାନ୍ତି ।

ସେହିପରି ରାତିରେ ବାସହୀନଙ୍କ ଦୁର୍ଦ୍ଦଶା ଦେଖିବା ପରେ ସହରର ବଙ୍ଗାଳୀପଡ଼ାରେ ଖୋଲିଥିବା ରାତ୍ରି ଆଶ୍ରୟସ୍ଥଳୀରେ ପହଞ୍ଚି ଟିମ୍ । ହେଲେ ଏଠି ବି ଦେଖିବାକୁ ମିଳିଥିଲା ଅବ୍ୟବସ୍ଥାର ଚିତ୍ର । ରାତିରେ ଫେରିବା ବେଳେ ତାଲା ପଡିଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଜଣେ ମହିଲା ଜରି ଗୋଟାଳି । ସେହିପରି ପରିଚାଳନା ଦାୟିତ୍ୱରେ ଥିବା ପରିଚାଳକ କିମ୍ବା କେୟାରଟେକରଙ୍କ ମଧ୍ୟ ଦେଖାନଥିଲା ।