• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୃଷ୍ଟି ହେଲା ଲଘୁଚାପ । ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ତେବେ ୨୩ରେ ବାତ୍ୟା ସୃଷ୍ଟି ହୋଇପାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି 'ଦାନା'। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ସେପଟେ IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ତା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୩ ତାରିଖରୁ ପବନ ଓ ବର୍ଷା ଆରମ୍ଭ ହେବ । ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ ତାରିଖରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୫ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ । କେତେକ ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଏବଂ ଆଉ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now