• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସପ୍ତାହେ ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ । ତେବେ ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏଁ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି । ଏହା କେଉଁ ଉପକୂଳକୁ ଗତି କରିବ, ତାହା ଆଉ ୪ ଦିନ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେହିଁ ଆକାଳନ କରିହେବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ତେବେ ୫ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଉ ସେପଟେ ଆଜି ବାତ୍ୟା ଫନିକୁ ପୂରିଛି ୪ ବର୍ଷ। ।

ମେ’ ୩, ୨୦୧୯ । ୪ ବର୍ଷ ତଳେ ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାରଖାର କରିଦେଇଥିଲା ଅତି ପ୍ରବଳ ସାମୁଦ୍ରିକ ଝଡ଼ ଫନି । ଅନେକଙ୍କ ମନରୁ ଏହାର କ୍ଷତ ଏବେବି ଶୁଖିନଥିବା ବେଳେ, ପୁଣି ଘାରିଛି ଆଉ ଏକ ଖରାଦିନିଆ ବାତ୍ୟା ଆଶଙ୍କା । ହେଲେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ କହିଛି ଭାରତୀୟ ପାଣିପାଗ ବିଭାଗ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପୁଣି ଏକ ଘୂର୍ଣ୍ଣିଝଡ଼ ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ବା ବାତ୍ୟା ସଂପର୍କିତ ପ୍ରାରମ୍ଭିକ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- ମେ ୬ରେ ଘୂର୍ଣ୍ଣିବଳୟ, ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ ।

ଏଥିପାଇଁ ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ହେଲେ ବାତ୍ୟା କୁଆଡ଼େ ଯିବ, କେତେ ଶକ୍ତିଶାଳୀ ହେବ, କେତେ ଜୋରରେ ପବନ ବହିବ, ଏ ସଂପର୍କିତ କୌଣସି ପୂର୍ବାନୁମାନ କରାଯାଇନାହିଁ । ଏଥିଯୋଗୁଁ ଓଡ଼ିଶାରେ ପବନ ତ ଦୂରର କଥା, ବର୍ଷା ହେବ ନା ନାହିଁ, ତାହା ବି ସ୍ପଷ୍ଟ ହୋଇନି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସଂପର୍କିତ ଆକଳନ କରାଯିବ। ପାଣିପାଗ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ଉତ୍ତର ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ । ତେବେ ଏହାର ପରବର୍ତ୍ତୀ ଗତିପଥ ବିଭିନ୍ନ କାରକ ଉପରେ ନିର୍ଭର କରୁଥିବାରୁ, ସେନେଇ ଏବେଠୁ ଆକଳନ କରିହେବନି ।

ଓଡ଼ିଶାର ପାଣିପାଗକୁ ଦେଖିଲେ ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ, ଏହା ଆଗାମୀ ୨ ଦିନ ମଧ୍ୟ ଜାରି ରହିବ । କାଳବୈଶାଖୀ ପ୍ରଭାବରେ ବର୍ତ୍ତମାନ ରାଜ୍ୟରେ ତାତି କମ୍ ରହିଛି । ତେବେ ୩ ଦିନ ପରେ ପାଗ ବଦଳିବା ସହିତ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି ସୂଚନା ମିଳିଛି ।

ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ବରରୁ ନିରଞ୍ଜନ ରେଡ୍ଡିଙ୍କ ରିପୋର୍ଟ, ଓଟିଭି

  • Reported by:
  • SIBANANDA ROUT , NIRANJAN REDDY