• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହାମାରୀ କରୋନା ପରଠୁ ବିଭିନ୍ନ ଟେକ୍‌ କମ୍ପାନୀ ପକ୍ଷରୁ କରାଯାଉଛି ଛଟେଇ। ସତେବେଳେ ମହାମାରୀ ପାଇଁ ବିଭିନ୍ନ ଟେକ୍‌ କମ୍ପାନୀ ଛଟେଇ କରୁଥିବାବେଳେ ଏବେ ଟେକ୍ନୋଲୋଜୀର ବ୍ୟବହାର ପାଇଁ ଛଟେଇ ବୃଦ୍ଧି ପାଇଛି। ତେବେ ଫେବ୍ରୁଆରୀରେ ମଧ୍ୟ ବଡ଼ ବଡ଼ କମ୍ପାନୀ ଚାକିରିରୁ ଛଟେଇ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ଅର୍ଥାତ ୨୦୨୪ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି।

କେଉଁ କମ୍ପାନୀ କେତେ ଛଟେଇ:

ସିସ୍‌କୋ- ସିସ୍‌କୋ କମ୍ପାନୀ ୪ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିଛି। କମ୍ପାନୀ ନିଜ ମୋଟ୍‌ କର୍ମଚାରୀର ୫ ପ୍ରତିଶତ ଅର୍ଥାତ ୪,୨୫୦ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। କମ୍ପାନୀ ହାଇ-ଗ୍ରୋଥ ଏରିଆରେ ନିଜର ବ୍ୟବସାୟ ବଢ଼ାଇବ ବୋଲି ଚିନ୍ତା କରି ଏହି ଛଟେଇ କରିଛି।

ଏକ୍ସପିଡିଆ- ଟ୍ରାଭେଲ୍ ୱେବ୍‌ସାଇଟ୍‌ କମ୍ପାନୀ ଏକ୍ସପିଡିଆ ୧୫୦୦ କର୍ମଚାରୀ ଛଟେଇ କରିଛି। ବିଶେଷ କରି ଟେକ୍ ଡିଭିଜନରୁ ଏହି ଛଟେଇ କରାଯାଇଛି। ଟେକ୍ନୋଲୋଜୀ କ୍ଷେତ୍ର ଋଣ ବଢ଼ିଯିବାକୁ ଯୋଗୁ ଛଟେଇ କରିବାକୁ ବାଧ୍ୟ ହେଲୁ ବୋଲି ଏକ୍ସିପିଡିଆ ସିଇଓ ସୂଚନା ଦେଇଛନ୍ତି।

ସୋନୀ- ସୋନୀ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଫେବ୍ରୁଆରୀ ମାସରେ ୯୦୦ କର୍ମଚାରୀ ଛଟେଇ କରାଯାଇଛି। ଏହା ହେଉଛି ସାରା ବିଶ୍ୱରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟାର ୮ ପ୍ରତିଶତ। ଛଟେଇ ନେଇ ସୋନୀ କହିଛି ଯେ ବିଶ୍ୱରେ ଥିବା ସୋନୀ ଷ୍ଟୁଡିଓରେ ନଟି ଡଗ୍‌ ଓ ଇନ୍‌ସମନିଆକ୍ ଗେମ୍‌ରେ କ୍ଷତି ହୋଇଛି। ଏଥିପାଇଁ କମ୍ପାନୀ ଛଟେଇ କରିଛି।

ଆମାଜନ- ଇ-କମର୍ସ କମ୍ପାନୀ ଆମାଜନ ନିଜର ମେଡିକାଲ ଓ ଫାର୍ମାସୀ ବିଭାଗରୁ ୪୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀରେ ପୁନଃବ୍ୟବସ୍ଥା କରିବା ଓ ସ୍ୱାସ୍ଥ୍ୟ ଦିଗରେ ଆହୁରି ଗୁରୁତର ସହ କାର୍ଯ୍ୟ କରିବା ପାଇଁ ଏହି ଛଟେଇ କରାଯାଇଛି ବୋଲି କମ୍ପାନୀର ପ୍ରବକ୍ତା କହିଛନ୍ତି।

ସେହିପରି ସ୍ନାପ ୫୨୮ କର୍ମଚାରୀ ଛଟେଇ କରିଥିବା ବେଳେ ଡେଟିଂ ଆପ୍ ବମ୍ବଲେ ୩୫୦ କର୍ମଚାରୀ, ପାରାମାଣ୍ଟ ୮୦୦, ଇଏ ୬୫୦ , ଇନ୍‌ଷ୍ଟାକାର୍ଟ ୨୫୦, ଗ୍ରାମାର୍ଲି ୨୩୦, ଫାୟାରଫକ୍ସ ମୋଜିଲା ୬୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ ୪୯,୦୦୦ କର୍ମଚାରୀ ଛଟେଇ କରାଯାଇଥିଲା। ଏଥିରେ ମାଇକ୍ରୋସଫ୍ଟ, ଆମାଜାନ, ସେଲ୍‌ଫୋର୍ସ ଭଳି ବଡ଼ ବଡ଼ କମ୍ପାନୀ ସାମିଲ ରହିଥିଲା।