• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାମ କରୁନି ୟୁପିଆଇ । ହଇରାଣ ହେଉଛନ୍ତି ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ । ନା କାହାକୁ ଟଙ୍କା ପଠାଇ ହେଉଛି ନା କିଏ ପଠେଇଲେ ଆସୁଛି । ଗତ ତିନି ଦିନ ହେଲା, ଫୋନପେ, ଗୁଗୁଲପେ, ପେଟିଏମ୍ ଓ ଭିମ୍ ଭଳି ୟୁପିଆଇ ଆପ୍ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ SBI ଗ୍ରାହକ ଏମିତି ଅସୁବିଧାର ସାମ୍ନା କରୁଛନ୍ତି । କେବଳ ସାଧାରଣ ଗ୍ରାହକ ନୁହନ୍ତି, ଏସବିଆଇ ଆକାଉଣ୍ଟ ଥିବା ବ୍ୟବସାୟୀ ବି ଢେର୍ ପ୍ରଭାବିତ ହେଲେଣି । ଯେମିତିକି ଭୁବନେଶ୍ୱରର ବ୍ୟବସାୟୀ ଦେବ ମହାପାତ୍ର ।

ପ୍ରତିଦିନ ତାଙ୍କର ବ୍ୟବସାୟରେ ଲକ୍ଷାଧିକ ଟଙ୍କାର ଦେଣନେଣ ହୋଇଥାଏ। ସେଥିରୁ ୮୦ ଭାଗ ଦେଣନେଣ ହୁଏ ୟୁପିଆଇ ଜରିଆରେ । ଶନିବାରଠୁ କିନ୍ତୁ ସବୁ ଠପ୍ । ଏପଟେ ୟୁପିଆଇ ବ୍ୟବହାରର ବଡ଼ ଅଂଶୀଦାର ଯୁବବର୍ଗ ବିଭିନ୍ନ ଅନଲାଇନ ସପିଙ୍ଗ୍ ପ୍ଲାଟଫର୍ମରେ ପାର୍ବଣ ଅଫର ଥିଲେ ମଧ୍ୟ ମନ ପସନ୍ଦର ଜିନିଷ କିଣି ପାରୁ ନଥିବାରୁ ପୂରା ନିରାଶ ।

ଅନ୍ୟପକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୋସିଆଲ ମିଡିଆ ‘X’ ଜରିଆରେ ସଫେଇ ଦେଇ କହିଛି, ବ୍ୟାଙ୍କର ଟେକ୍ନୋଲୋଜି ଅପଗ୍ରେଡେସନ ଚାଲୁଛି । ଯେଉଁଥିପାଇଁ ବ୍ୟାଙ୍କର ୟୁପିଆଇ ସେବା ପ୍ରଭାବିତ ହୋଇପାରେ । ଏଥିପାଇଁ ବ୍ୟାଙ୍କ ଦୁଃଖିତ । ବ୍ୟାଙ୍କରଙ୍କ ମତରେ, SBI ଏବେ ନିଜ ୟୁପିଆଇ ପ୍ଲାଟଫର୍ମରେ କେତେକ ନୂଆ ବୈଶିଷ୍ଟ ଯୋଡ଼ିବାକୁ ଯାଉଛି ।

ତେଣୁ ଏହା ନିଜର ଟେକ୍ନୋଲୋଜିକୁ ଅପଗ୍ରେଡ୍ କରୁଛି । ଏଥିପାଇଁ ଆଉ ଦିନେ ଦୁଇ ଦିନ ସମୟ ଲାଗିପାରେ । ଅନ୍ୟପଟେ ଆଇଟି ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଭାବେ ଟେକ୍ନୋଲୋଜି ଅପଗ୍ରେଡେସନ ଏତେ ସମୟ ନେଇ ନଥାଏ । ଏହାଛଡ଼ା ଶନିବାର, ରବିବାର ଭଳି ଛୁଟିଦିନ ବା ରାତି ସମୟରେ ହିଁ ଟେକ୍ନୋଲୋଜି ଅପଗ୍ରେଡ୍ ହୁଏ । ହୁଏତ ଅନ୍ୟ କୌଣସି ସମସ୍ୟା ଦେଖାଦେଇଥିବ, ଯେଉଁଥିପାଇଁ ଏହା ବିଳମ୍ବ ହେଉଛି ।