ହିଂସାକୁ ଅସ୍ତ୍ର କରିଥିବା ପାକିସ୍ତାନ ସର୍ବନିମ୍ନ ମାନବିକତା ଭୁଲିଗଲା । ଲାହୋର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣକୁ ମନା କରି ଦେଇ ବିଶ୍ୱ ଦରବାରରେ ନିଜର ମୁଖା ନିଜେ ହିଁ ଖୋଲି ଦେଇଛି ପାକିସ୍ତାନ । ପ୍ରମାଣ କରି ଦେଖାଇ ଦେଇଛି ତାର କୁତ୍ସିତ ମାନସିକତାକୁ । ବାର୍ତ୍ତା ଦେଇଛି, ଆମ ପାଖରେ ସାମାନ୍ୟ ମାନବିକତା ବି ନାହିଁ ।
ଇଣ୍ଡିଗୋ ଫ୍ଲାଇଟ 6E 2142 ବୁଧବାର ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିଲା । ଅମୃତସର ଉପରେ ଉଡୁଥିଲା, ହଠାତ ପାଗ ଖରାପ ହୋଇଯିବାରୁ ବିମାନ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ମୁସ୍କିଲ ହୋଇ ପଡିଥିଲା । ବିମାନରେ ୨୨୭ ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡିଥିଲା । ବିମାନରେ ଅନ୍ୟ ଯାତ୍ରୀଙ୍କ ସହ ୫ ଜଣ ଟିଏମସି ସାଂସଦ ବି ଥିଲେ । ପରିସ୍ଥିତିକୁ ଦେଖି ପାଇଲଟ ଲାହୋର ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ସହ ଯୋଗାଯୋଗ କରିଥିଲେ । ଏତେ ଯାତ୍ରୀଙ୍କ ଜୀବନ ମରଣର କଥା । ତେଣୁ କିଛି ସମୟ ପାଇଁ ପାକିସ୍ତାନ ଏୟାରବେସ ପଶିବାକୁ ଅନୁମତି ମାଗିଥିଲା ଇଣ୍ଡିଗୋ । ହେଲେ ଲାହୋର ଏଟିସି ଏହି ଅନୁରୋଧକୁ ଖାରଜ କରି ଦେଇଥିଲା । ଯାହା ବି ହେଉ, ମହାଶୂନ୍ୟରେ ଭୟଙ୍କର ଝଡକୁ ସାମ୍ନା କରି ବିମାନଟି ଶେଷରେ ଶ୍ରୀନଗର ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା ।
Also Read
ମେ’ ୨୧ ତାରିଖରେ ଉତ୍ତର ଭାରତରେ ପାଗ ବହୁତ ଖରାପ ଥିଲା । ଝଡ଼ ପରେ, କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ଏବଂ କେତେକ ସ୍ଥାନରେ କୁଆପଥର ବୃଷ୍ଟି ମଧ୍ୟ ହୋଇଥିଲା। ଫଳରେ ମହାଶୂନ୍ୟରେ ଉଡୁଥିବା ଇଣ୍ଡିଗୋ ବିମାନ ପ୍ରଭାବିତ ହୋଇଥିଲା । କୁଆପଥର ମାଡ ହେବା ଦ୍ୱାରା ବିମାନର ସମ୍ମୁଖ ଭାଗ ବା ନୋଜ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏଠି ପ୍ରଶ୍ନ, କୁଆପଥର ମାଡରେ କାହିଁକି ଭାଙ୍ଗିଯାଏ ବିମାନ ? କେଉଁ ଧାତୁରେ ତିଆରି ହୋଇଥାଏ ? ମହାକାଶରେ ଝଡ, କୁଆପଥର ମାଡ ବିମାନ ପାଇଁ କେତେ କ୍ଷତିକାରକ ? ଏହି ସମୟରେ କାହିଁକି ଉଡାଣରେ ସମସ୍ୟା ସୃଷ୍ଟି ହୁଏ ?
ବଡ ବିମାନର ନୋଜ କେଉଁ ଧାତୁରେ ତିଆରି ?
ବଡ ବଡ ବିମାନର ନୋଜ ଭିନ୍ନ ଭିନ୍ନ ଧାତୁରେ ନିର୍ମିତ ହୋଇଥାଏ । ବିମାନର ମଜବୁତି ତଥା ହାଲୁକାଭାବ ଏବଂ ଏରୋଡାଇନାମିକ ଗୁଣ ଆଧାରରେ ସାମଗ୍ରୀ ଚୟନ କରାଯାଇଥାଏ । ଫଳରେ ବିମାନର ଗୁଣବତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ ହୋଇଥାଏ ।
ଆଲୁମିନିୟମ ମିଶ୍ରଣ: ପାରମ୍ପରିକ ଢାଞ୍ଚାରେ ବିମାନର ନୋଜ ପାଇଁ ଆଲୁମିନିୟମ ମିଶ୍ରଣ (ଯେମିତି 2024-T3, 6061) ର ବ୍ୟବହାର କରାଯାଇଥାଏ । କାରଣ ଏହା ଯେମିତି ଶକ୍ତ ସେମିତି ହାଲୁକା । ତା ଛଡା ଅନ୍ୟ ଧାତୁ ତୁଳନାରେ ଏହା ଅପେକ୍ଷାକୃତ ଶସ୍ତା ।
କାର୍ବନ ଫାଇବର ରିଇନଫୋର୍ସଡ ପଲିମର: ଆଧୁନିକ ବିମାନରେ କାର୍ବନ ଫାଇବର କମ୍ପୋଜିଟ୍ସର ବ୍ୟବହାର ବେଶି କରାଯାଉଛି । ଏହି ଧାତୁ ହାଲୁକା ହେବା ସହ ମଜବୁତ ମଧ୍ୟ । ତା ଛଡା କୌଣସି ପ୍ରତିକୂଳ ସ୍ଥିତିକୁ ଏହା ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇଥାଏ ।
ଟାଇଟେନିୟମ ମିଶ୍ରଣ: କେତେକ ସ୍ୱତନ୍ତ୍ର ବିମାନ ରହିଛି ଯାହା ଅଧିକ ଶକ୍ତିଶାଳୀ ଏବଂ ତାପମାତ୍ରା ସହନଶୀଳ ହେବାର ଆବଶ୍ୟକତା ଥାଏ । ଏପରି ବିମାନରେ ଟାଇଟେନିୟମ ମିଶ୍ରଣର ବ୍ୟବହାର କରାଯାଇଥାଏ ।
ଅଧିକ ପଢ଼ନ୍ତୁ: ମଝି ଆକାଶରେ ଆକୁଳ ଚିତ୍କାର କରୁଥାନ୍ତି ୨୨୭ ମଣିଷ, ମୁହଁ ମୋଡିଦେଲା ଆତଙ୍କୀ ପାକିସ୍ତାନ
ଉଡନ୍ତା ବିମାନରେ କୁଆପଥର ମାଡ ହେଲେ କ’ଣ ହୁଏ ?
ଉଡୁଥିବା ବିମାନରେ ଯଦି କୁଆପଥର ମାଡ ହୁଏ ତେବେ ବିମାନ କ୍ଷତିଗ୍ରସ୍ତ ହୁଏ କି ? ହଁ, କୁଆପଥର ବିମାନର ବହୁତ କ୍ଷତିସାଧନ କରିଥାଏ । କୁଆପଥର ପଡିଲେ ସାଧାରଣତଃ ବିମାନର ନାକ, ବଡି ଏବଂ ଉଭୟ ୱିଙ୍ଗ ପ୍ରଭାବିତ ହୋଇଥାଏ । ବିମାନର ବାହ୍ୟଅଂଶକୁ ଏପରିଭାବେ ଡିଜାଇନ କରାଯାଇଥାଏ ଯାହା ପରିବର୍ତ୍ତିତ ପାଣିପାଗ ସହ ଖାପ ଖୁଆଇ ଉଡି ପାରିବ । ତଥାପି ଅନେକ ସମୟରେ ଛୋଟ ଏବଂ ବଡ କୁଆପଥର ତୀବ୍ର ଗତିରେ ଆସି ମାଡ ହେଲେ ବିମାନ କ୍ଷତିଗ୍ରସ୍ତ ହୋଇଥାଏ । ଅନେକ ସମୟରେ ବିମାନର ବଡ ଧରଣର କ୍ଷତି ହୋଇଥାଏ ଏବଂ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ବିମାନର ନାକ କ୍ଷତିଗ୍ରସ୍ତ ହେଲେ ଉଡାଣରେ କି ପ୍ରଭାବ ପଡେ ?
ବିମାନ ନାକର ଅଗ୍ରଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବିମାନ ଉଡାଣରେ ଏହାର ଭୂମିକା ରହିଛି । ବିଶେଷ କରି ଏହା ପବନ ପ୍ରତିରୋଧର କାମ କରିଥାଏ ଏବଂ ବିମାନକୁ ସ୍ଥିର ରଖିଥାଏ । ଯଦି ଏହି ନାକ କ୍ଷତିଗ୍ରସ୍ତ ହୁଏ ତେବେ ବିମାନଟି ପବନକୁ କାଟି ଆଗକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ବିମାନ ମହାକାଶରେ ସ୍ଥିର ହୋଇ ରହିପାରେ ନାହିଁ ଏବଂ ଭାରସାମ୍ୟ ନିୟନ୍ତ୍ରଣ କରିବାରେ ମଧ୍ୟ ଅକ୍ଷମ ହୋଇଥାଏ ।
ବିମାନ ନୋଜ ଅଗ୍ରଭାଗରେ ରାଡର, ପାଣିପାଗ ସେନ୍ସର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥାଏ । ଯଦି ନୋଜର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ ତେବେ ଏସବୁ ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । ଯଦ୍ୱାରା ପାଇଲଟକୁ ଦିଗ ଏବଂ ପାଣିପାଗର ସଠିକ ତଥ୍ୟ ମିଳି ପାରେ ନାହିଁ । ଏହା ଫଳରେ ବିମାନର ନେଭିଗେସନ ଏବଂ କମ୍ୟୁନିକେସନ କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।
ବିମାନ ଉଡାଣରେ ନୋଜର ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ନୋଜ କୋଣର ଚିକ୍କଣ ଅଂଶ ବିମାନକୁ ଦ୍ରୁତ ଗତିରେ ଏବଂ କମ ଇନ୍ଧନରେ ଉଡାଇବାରେ ସାହାଯ୍ୟ କରିଥାଏ । ଯଦି ଏହା ଭାଙ୍ଗିଯାଏ, ତେବେ ବର୍ଷା ପାଣି, ଧୂଳି ଏବଂ ଛୋଟ ଛୋଟ ଧୂଳିକଣା ବିମାନ ଭିତରକୁ ପଶି ଆସିବାର ଆଶଙ୍କା ଥାଏ । ଏସବୁ ବିମାନ ଭିତରେ ଥିବା ଉପକରଣର କ୍ଷତିସାଧନ କରିଥାଏ । ଏହା ବିମାନକୁ ଦୁର୍ବଳ କରିଦିଏ । ଫଳରେ ବିମାନର ଜରୁରୀ ଅବତରଣ କରାଇବାକୁ ପଡିଥାଏ ।
ନୋଜ କ୍ଷତିଗ୍ରସ୍ତ ହେଲେ ଯାତ୍ରୀ ଏବଂ ପାଇଲଟଙ୍କ ସୁରକ୍ଷା ପ୍ରଭାବିତ ହୁଏ କି ?
ନୋଜ ପାଖରେ କକପିଟ ଥାଏ । ଯଦି ନୋଜ ଅଗ୍ରଭାରେ କଣା ହୋଇଯାଏ କିମ୍ବା ଫାଟ ସୃଷ୍ଟି ହୁଏ ତେବେ କ୍ୟାବିନ ଭିତରେ ପ୍ରେସର କମ ହୋଇପାରେ । ଯଦ୍ୱାରା ପାଇଲଟ ଏବଂ ଯାତ୍ରୀଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରି ସ୍ଥିତିରେ ବିମାନ ଜରୁରୀ ଅବତରଣ କରିଥାଏ ।
କ୍ଷତିଗ୍ରସ୍ତ ନାକର ମରାମତି କିପରି ହୋଇଥାଏ ?
ବିମାନର ମରାମତି ତଥା ରକ୍ଷଣାବେକ୍ଷଣ ସୁବିଧା ଭାରତରେ ଦ୍ରୁତ ଗତିରେ ବିକଶିତ ହେଉଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ତ୍ରିଭେନ୍ଦ୍ରମ, ହାଇଦ୍ରାବାଦ, ନାଗପୁର ପରି ସହରରେ MRO କେନ୍ଦ୍ର ରହିଛି । ଏଠାରେ ବିମାନର ବିଭିନ୍ନ ଅଂଶର ମରାମତି ହୋଇଥାଏ । ଏହି କେନ୍ଦ୍ର ଏୟାରପୋର୍ଟ ଏରିଆରେ ହୋଇଥାଏ । ନୋଏଡା ଏୟାରପୋର୍ଟ ପରିସରରେ MRO ହବ ବିକଶିତ କରାଯାଉଛି । ଏଠାରେ ଯାତ୍ରୀବିମାନ ଏବଂ ଲଢୁଆ ଜେଟ ବିମାନର ମରାମତି ଓ ରକ୍ଷଣାବେକ୍ଷଣ କାମ କରାଯିବ । ଡସାଲ୍ଟ ପରି ବଡ ବଡ ବିଦେଶୀ କମ୍ପାନୀ ଭାରତରେ MRO ସୁବିଧା ଯୋଗାଇ ଦେଉଛନ୍ତି ।
ଦୁଇ ଦିନ ତଳେ କ୍ଷତିଗ୍ରସ୍ତ ହୋଇଥିବା ବିମାନକୁ ଏୟାରକ୍ରାଫ୍ଟ ଅନ ଗ୍ରାଉଣ୍ଡ ଘୋଷିତ କରାଯାଇ ମରାମତି ପାଇଁ ଭାରତରେ ହିଁ ରଖାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ନୋଜର ଅଗ୍ରଭାଗର ମରାମତି ଭାରତରେ କରାଯାଇ ପାରୁଛି । ଅବଶ୍ୟ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପାର୍ଟସ ପାଇଁ ବିଦେଶ ଉପରେ ନିର୍ଭର କରିବାକୁ ପଡିଥାଏ । କିଛି ଜଟିଳ ମରାମତି ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି ।
ବଡ ବଡ ଯାତ୍ରୀ ବିମାନର ନୋଜ କେତେ ବଡ ?
ବଡ ବଡ ଯାତ୍ରୀ ବିମାନର ନୋଜର ଆକାର ବିମାନର ମଡେଲ ଏବଂ ଏହାର ଆକାର ଉପରେ ନିର୍ଭର କରିଥାଏ । ବୋଇଂ 737, 777, 747 ପରି ବିଭିନ୍ନ ମଡେଲର ନାକର ଲମ୍ବା ଏବଂ ପରିଧି ଅଲଗା ଅଲଗା ହୋଇଥାଏ ।
ବୋଇଂ ୭୪୭ ସବୁଠାରୁ ବଡ ଜମ୍ବୋ ଜେଟ ଅଟେ । ଏହାର ଲମ୍ବା ପାଖାପାଖି ୨୩୧ ଫୁଟ ବା ୭୦.୬ ମିଟର । ଏହାର ନୋଜ ଅଂଶ ପାଖାପାଖି ୧୫-୨୦ ଫୁଟ ବା ୪.୫ରୁ ୬ ମିଟର ମଧ୍ୟରେ ହୋଇଥାଏ । ବ୍ୟାସ ୮ରୁ ୧୦ ଫୁଟ ବା ୨.୫ରୁ ୩ ମିଟର ମଧ୍ୟରେ ହୋଇଥାଏ ।
ସେହିପରି ବୋଇଂ ୭୭୭ ବିଶ୍ୱର ସବୁଠାରୁ ବଡ ଟୁଇନଜେଟ ଯାହାର ଲମ୍ବା ପ୍ରାୟତଃ ୨୦୯ ଫୁଟ ବା ୬୩.୭ ମିଟର ଥାଏ । ଏହାର ନୋଜ ସେକ୍ସନ ମଧ୍ୟ ୧୫ ଫୁଟ (୪.୫ ମିଟର) ଲମ୍ବ ଏବଂ ୬-୮ ଫୁଟ (୨ରୁ ୨.୫ ମିଟର) ବ୍ୟାସ ହୋଇଥାଏ ।
ନୋଜର ଆକାର ଏତେ ବଡ କରାଯିବାର କାରଣ ହେଉଛି, ଏହା ଭିତରେ ରାଡାର, ପାଣିପାଗ ସେନ୍ସର, ଏବିୟୋନିକ୍ସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ସହଜରେ ରଖାଯାଇ ପାରିବ । ବୋଇଂର ସବୁ ବଡ ବିମାନର ନୋଜ ସେକ୍ସନ ସାଧାରଣତଃ ୪ରୁ ୬ ମିଟର(୧୩ରୁ ୨୦ ଫୁଟ) ଲମ୍ବା ଏବଂ ୨ରୁ ୩ ମିଟର (୬ରୁ ୧୦ ଫୁଟ) ବ୍ୟାସ ବିଶିଷ୍ଟ ହୋଇଥାଏ । ଯାହା ବିମାନର ମୋଟ ଆକାରର ୭-୧୦% ହୋଇଥାଏ ।