• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିଲିଟ ହୋଇଯିବ ଆପଣଙ୍କ ଆକାଉଣ୍ଟ । ଯାହା ଡାଟା ଥିବ ସବୁ ଉଡ଼ିଯିବ । ଏକଥା ଶୁଣି ଆପଣ ଡରିଗଲେ କି ? ତେବେ ଡରନ୍ତୁ ନାହିଁ । ଆମେ ଯାହା କହୁଛୁ ସତ କହୁଛୁ, କିନ୍ତୁ ତାହା ଆପଣ ବ୍ୟବହାର କରୁଥିବା ଆକାଉଣ୍ଟ ପାଇଁ ନୁହେଁ । କାରଣ ଗୁଗୁଲ ନିଷ୍ପତ୍ତି ନେଇଛି ଯେ, ଯେଉଁ ସବୁ ଆକାଉଣ୍ଟ ଦୁଇ ବର୍ଷ ହେବ ଇନ୍‌ଆକ୍ଟିଭ୍‌ ରହିଛି ସେହି ସବୁକୁ ଡିଲିଟ୍ କରାଯିବ । ଅର୍ଥାତ ଆପଣ ବ୍ୟବହାର କରୁଥିବା ଆକାଉଣ୍ଟ ଡିଲିଟ୍ ହେବ ନାହିଁ ବରଂ ଆପଣ ଯେଉଁସବୁ ଆକାଉଣ୍ଟ ପ୍ରାୟ ଦୁଇ ବର୍ଷ ହେବ ବ୍ୟବହାର କରି ନାହାନ୍ତି ତାହା ଡିଲିଟ୍ ହୋଇଯିବ । ଏହାଦ୍ୱାରା ସେଥିରେ ଥିବା ତଥ୍ୟ ସବୁ ମଧ୍ୟ ଡିଲିଟ୍ ହେବ । ଗୁଗୁଲର ଏଭଳି ନିଷ୍ପତ୍ତି କେବଳ ୟୁଜରଙ୍କ ସୁରକ୍ଷା ପାଇଁ ବୋଲି କୁହାଯାଇଛି ।

ଗୁଗୁଲର କହିବାନୁଯାୟୀ, ସାରା ବିଶ୍ୱରେ ଛାଇ ରହିଛନ୍ତି ଗୁଗୁଲ ୟୁଜର । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଗୁଲ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ୨୦୨୦ରେ ମଧ୍ୟ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଗୁଗୁଲ ଦ୍ୱାରା ନିଆଯାଉଥିବା ଏହା ଏକ ନିୟମିତ ପ୍ରଣାଳୀ । କାରଣ ଇନ୍‌ଆକ୍ଟିଭ୍‌ ରହିଥିବା ଦ୍ୱାରା ଆକାଉଣ୍ଟ ହାକ୍‌ ହେବାର ସମ୍ଭାବନା ରହିଛି । ଥରେ ଆକାଉଣ୍ଟ ହାକ୍‌ ହେଲେ ହାକର ସେହି ଆକାଉଣ୍ଟ ସହ କିଛି ବି କରିପାରେ ।

ଏମିତିକି ଆପଣଙ୍କ ପରିଚୟ ବଦଳେଇବା ସହ ଆପଣଙ୍କ ନାଁରେ ଠକାମୀ ମଧ୍ୟ କରିପାରେ । ଆପଣଙ୍କ ଆକାଉଣ୍ଟରେ ଥିବା ତଥ୍ୟର ଦୁର୍ବ୍ୟବହାର ହେବାର ମଧ୍ୟ ସମ୍ଭାବନା ରହିଛି । ଆପଣଙ୍କୁ ବଦନାମ୍‌ ବି କରିପାରେ ହାକର । ଏମିତିକି ଆପଣଙ୍କ ବନ୍ଦ ପଡ଼ିଥିବା ଆକାଉଣ୍ଟକୁ ବ୍ୟବହାର କରି ହାକର ଅପରାଧ ମଧ୍ୟ ଘଟାଇପାରେ । ଯାହାଦ୍ୱାରା ଆପଣ ମଧ୍ୟ ଫସିବାର ସମ୍ଭାବନା ରହିଛି । ଗୁଗୁଲର କହିବାନୁଯାୟୀ ଏବେ ସୁଦ୍ଧା ଅନେକ ୟୁଜର ଟୁ ଷ୍ଟେପ୍‌ସ୍‌ ଭେରିଫିକେସନ୍‌ ବ୍ୟବସ୍ଥା ବ୍ୟବହାର କରିନାହାନ୍ତି ।

ଗୁଗୁଲ ଏହି ଇନ୍‌ଆକ୍ଟିଭ୍‌ ଆକାଉଣ୍ଟ ଡିଲିଟ୍‌ କରିବାର କାର୍ଯ୍ୟକ୍ରମ ଚଳିତ ବର୍ଷ ୧ ଡିସେମ୍ବରରୁ ଆରମ୍ଭ ହେବ ।

ଗୁଗୁଲ ବନ୍ଦ ପଡ଼ିଥିବା ଆକାଉଣ୍ଟ ସବୁ ଡିଲିଟ୍‌ କରିବା ସହ ଏହା ସହ ଜଡ଼ିତ ଜି-ମେଲ୍, ଡକ୍ୟୁମେଣ୍ଟ, ଗୁଗୁଲ ଡ୍ରାଭ୍‌, ଗୁଗୁଲ ମିଟ୍, କ୍ୟାଲେଣ୍ଡର, ଗୁଗୁଲ ଫଟୋ ସବୁ ମଧ୍ୟ ଡିଲିଟ୍ ହେବ ।

ତେବେ ସବୁଠୁ ଗୁରୁପୂର୍ଣ୍ଣ କଥା ହେଲା, କେବଳ ବ୍ୟକ୍ତିଗତ ଭାବେ ଖୋଲାଯାଇଥିବା ଆକାଉଣ୍ଟ ହିଁ ଡିଲିଟ୍‌ ହେବ । କୌଣସି ସଂସ୍ଥା ବା ଅନୁଷ୍ଠାନ ତଥା ବ୍ୟବସାୟିକ ଅନୁଷ୍ଠାନ ଦ୍ୱାରା ଖୋଲାଯାଇଥିବା ଆକାଉଣ୍ଟ ଡିଲିଟ୍ ହେବ ନାହିଁ ।