• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଇଲେକ୍ଟ୍ରିକ ଗାଡି ପରେ ଏବେ ଆସିଲା ଇଲେକ୍ଟ୍ରିକ ବିମାନ ବା ଏରୋପ୍ଲେନ୍ । ଏହି ବିମାନ ଯାତ୍ରୀଙ୍କୁ ନେଇ ଗୋଟିଏ ବିମାନ ବନ୍ଦରରୁ ଆଉ ଗୋଟିଏ ବିମାନ ବନ୍ଦରକୁ ଯାଇଛି । ଏହି ଇଲେକ୍ଟ୍ରିକ ବିମାନର ପ୍ରଥମ ଯାତ୍ରା ସଫଳତାର ସହ ଶେଷ ହୋଇଛି । କହିବାକୁ ଗଲେ, ପରୀକ୍ଷଣ ସଫଳ ହୋଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାରେ ଏହି ବିମାନ ଉଡାଣ କରିଛି । ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନ ବନ୍ଦରରେ ଅବତରଣ କରିଥିଲା ଏହି ବିମାନ । ଏହା ଇଷ୍ଟ ହାମ୍ପଟନ୍ ବିମାନ ବନ୍ଦରରୁ ଉଡାଣ ଭରିଥିଲା । ବିଟା ଟେକ୍ନୋଲୋଜିଜ୍ ଦ୍ୱାରା ପରିଚାଳିତ ଏହି ବିମାନ ୧୩୦ କିଲୋମିଟର ପଥ ୩୦ ମିନିଟରେ ଅତିକ୍ରମ କରିଥିଲା । ବିଟା ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ କାଇଲ୍ କ୍ଲାର୍କ କହିଛନ୍ତି, ସେ ନିଜେ ଏହାର ଅପରେସନକୁ ମ୍ୟାନେଜ୍ କରୁଥିଲେ । ଏହା ହେଉଛି ଏକ ଶତ ପ୍ରତିଶତ ଇଲେକ୍ଟ୍ରିକ ବିମାନ । ଯାତ୍ରୀଙ୍କୁ ଏହି ବିମାନ ନେଇ ଯାଇଥିଲା । ନ୍ୟୁୟର୍କ ବିମାନ ବନ୍ଦର ପାଇଁ ଏହା ପ୍ରଥମ ଘଟଣା ଥିଲା ବୋଲି ସେ କହିଛନ୍ତି । ୭୦ ନଟିକାଲ୍ ମାଇଲକୁ ଲାଗିଥିଲା ପ୍ରାୟ ୩୫ ମିନିଟ୍ ।

ସେ କହିଛନ୍ତି, ଏହି ଇଲେକ୍ଟ୍ରିକ ବିମାନରେ ଯାତ୍ରା ଶସ୍ତାରେ ହୋଇପାରିବ । ଏଥିରେ ମାତ୍ର ୭୦୦ ଟଙ୍କାରେ ଜଣେ ଯାତ୍ରା କରିପାରିବ । ଏହା ହେଲିକପ୍ଟର ଠାରୁ ଶସ୍ତା ବୋଲି ସେ କହିଛନ୍ତି । ସେତିକି ବାୟୁପଥ ହେଲିକପ୍ଟରରେ ଗଲେ, ପ୍ରାୟ ୧୩୮୮୫ ଟଙ୍କାର ଇନ୍ଧନ ଖର୍ଚ୍ଚ ହେବ ।
ଏହି ଇଲେକ୍ଟ୍ରିକ ବିମାନରେ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ମଧ୍ୟରେ ଭଲରେ କଥାବାର୍ତ୍ତା ହୋଇଥିଲେ । ଅନ୍ୟ ବିମାନ ଇଞ୍ଜିନ ଅପେକ୍ଷା ଏହି ବିମାନର ଇଲେକ୍ଟ୍ରିକ ମୋଟର ଅଧିକ ଶବ୍ଦହୀନ ବୋଲି ସେ କହିଛନ୍ତି ।

ଏହି ବିମାନର ପ୍ରସ୍ତୁତକାରୀ ବିଟା ଟେକ୍ନୋଲୋଜିଜ୍ ଭର୍ମେଣ୍ଟରେ ୨୦୧୭ରେ କାର୍ଯ୍ୟାରମ୍ଭ କରିଥିଲା । ଏହି ବିମାନର ପ୍ରଡକ୍ସନ, ସାର୍ଟିଫିକେସନ ଓ କମର୍ସିଆଲ୍ ଅପରେସନ ପାଇଁ ୩୧୮ ମିଲିଅନ୍ ଡଲାରର ପାଣ୍ଠି ଯୋଗାଡ କରିଛି । ଏହି ବିମାନ ହେଉଛି CX300 । ଥରେ ଚାର୍ଜରେ ୨୫୦ ନଟିକାଲ୍ ମାଇଲ୍ ଅତିକ୍ରମ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି କଂପାନୀ ଆମେରିକା ଫେଡେରାଲ୍ଏଭିଏସନ ଆଡମିନିଷ୍ଟ୍ରେସନ ( FAA) ଦ୍ୱାରା ସାର୍ଟିଫିକେସନ ହାସଲ କରିବାର ଲକ୍ଷ୍ୟ ରଖିଛି ।

କ୍ଲାର୍କ କହିଛନ୍ତି, ଇଲେକ୍ଟ୍ରିକ ବିମାନ ଗୁଡିକ ଅଧିକ ସଫା, କମ୍ ଶବ୍ଦକାରୀ ଓ ଶସ୍ତା । ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ କିମ୍ୱା ପାଖ ଅଞ୍ଚଳକୁ ଯିବାକୁ ଚାହୁଁଥିଲେ, ଏହି ବିମାନ ଭଲ ବୋଲି ସେ କହିଛନ୍ତି । ଏଥିରେ ପ୍ରତିଦିନ ଯାତ୍ରା କରିବାରେ କିଛି ଅସୁବିଧା ନାହିଁ । ଏଥିରେ ଖର୍ଚ୍ଚ କମ୍ ଓ ପ୍ରଦୂଷଣ କମ୍ ବୋଲି ସେ କହିଛନ୍ତି ।

ବିଭିନ୍ନ ପରିବହନ କଂପାନୀ ଏବେ ଏହି ବିମାନ ଚଳାଇବାକୁ ଚାହୁଁଛନ୍ତି । ଏହା ଭର୍ଟିକାଲ ଲ୍ୟାଣ୍ଡ କରିପାରିବ ଓ ଟେକ୍ ଅଫ୍ କରିପାରିବ । ଏହି ଏୟାର ଟ୍ୟାକ୍ସି ଗୁଡିକ ପାଇଁ ଏଫ୍ଏଏ ପାଇଲଟ୍ ଟ୍ରେନିଂ ଓ ସାର୍ଟିଫିକେସନ ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ଅଶାନ୍ତ ମଧ୍ୟପ୍ରାଚ୍ୟ; ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ


     
ଓଟିଭି ବିଜ୍ଞାପନ