Advertisment

Rishabh Pant:ପନ୍ତଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌କୁ ପ୍ରଭାବିତ କରିବ କି ଆଇପିଏଲ୍ ବିଫଳତା ?

ଆଇପିଏଲ୍ ୨୦୨୫ରେ ଉଭୟ ବ୍ୟାଟର୍ ଓ ଅଧିନାୟକ ଭାବେ ବିଫଳ ହୋଇଛନ୍ତି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ରିଷଭ ପନ୍ତ । ଏବେ ପ୍ରଶ୍ନ ଉଠୁଛି, ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ତାଙ୍କ କ୍ୟାରିଅର୍‌କୁ ପ୍ରଭାବିତ କରିବ କି ଆଇପିଏଲ୍ ବିଫଳତା? କେବଳ ଟେଷ୍ଟ କ୍ରିକେଟ୍ ମଧ୍ୟରେ ସୀମିତ ହୋଇରହିଯିବ କି ତାଙ୍କ କ୍ୟାରିଅର୍‌?

author-image
Biswajit Mohanty
ଅଦ୍ୟତନ ହୋଇଛି
Rishabh Pant

Rishabh Pant

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ରେ ବିଫଳ ହୋଇଛନ୍ତି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ରିଷଭ ପନ୍ତ । ସେ ନା ବ୍ୟାଟର୍ ଭାବେ ପ୍ରଭାବିତ କରିପାରିଛନ୍ତି ନା ଅଧିନାୟକ ଭାବେ ଟିମ୍‌କୁ ପ୍ଲେ-ଅଫ୍‌କୁ ନେଇପାରିଛନ୍ତି । ଟିମ୍‌ର ଖରାପ ପ୍ରଦର୍ଶନ ପଛରେ ଗୋଟିଏ କାରଣ ହେଉଛି ତାଙ୍କ ଦୁର୍ବଳ ବ୍ୟାଟିଂ ।

Advertisment

ମେ’ ୧୯ରେ ସନ୍‌ରାଇଜର୍ସ ହାଇଦରାବାଦ ଠାରୁ ହାରିବା ପରେ ଲକ୍ଷ୍ନୌ ଟିମ୍ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଟିମ୍‌ର ଶେଷ ଲିଗ୍ ମ୍ୟାଚ୍‌ରେ ପନ୍ତ ବିସ୍ଫୋରକ ଶତକ ଲଗାଇ ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲେ, ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଦୁର୍ଭାଗ୍ୟର ବିଷୟ, ଟିମ୍ ବଡ଼ ସ୍କୋର୍ ଛିଡ଼ା କରିବା ସତ୍ତ୍ୱେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ସେହି ମ୍ୟାଚ୍ ଜିତିପାରି ନ ଥିଲା ।

ଆଇପିଏଲ୍‌ର ପୂର୍ବ ନିଲାମୀରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ପନ୍ତଙ୍କୁ ୨୭ କୋଟି ଟଙ୍କାର ସର୍ବାଧିକ ଅର୍ଥରାଶି ଦେଇ କିଣିଥିଲା । ପନ୍ତଙ୍କ ଠାରୁ ଟିମ୍ ବଡ଼ ଆଶା କରୁଥିଲା, କିନ୍ତୁ ସେ ନିରାଶ କରିଛନ୍ତି । ସିଜନ୍‌ରେ ଏହି ବ୍ୟାଟର୍ ମାତ୍ର ଦୁଇ ଥର ୨୭ରୁ ଅଧିକ ରନ୍ କରିପାରିଛନ୍ତି ।

Advertisment

ତାଙ୍କ ନେତୃତ୍ୱର ଚମକ ବି ଦେଖିବାକୁ ମିଳି ନାହିଁ । ଲିଗ୍ ପର୍ଯ୍ୟାୟରେ ଲକ୍ଷ୍ନୌ ୧୪ ମ୍ୟାଚ୍‌ରୁ ଛଅ ବିଜୟ ସହ ୧୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଥିଲା । ଫ୍ରାଞ୍ଚାଇଜ୍ ଏଥର ଅଧିନାୟକ ବଦଳାଇଥିଲେ ବି ଟିମ୍‌ର ଭାଗ୍ୟ ବଦଳିପାରି ନାହିଁ ।

ଏବେ ପ୍ରଶ୍ନ ଉଠୁଛି, ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ପନ୍ତଙ୍କ କ୍ୟାରିଅର୍‌କୁ ପ୍ରଭାବିତ କରିବ କି ଆଇପିଏଲ୍ ବିଫଳତା? କେବଳ ଟେଷ୍ଟ କ୍ରିକେଟ୍ ମଧ୍ୟରେ ସୀମିତ ହୋଇରହିଯିବ କି ତାଙ୍କ କ୍ୟାରିଅର୍‌?

ଅଧିକ ପଢ଼ନ୍ତୁ: ଏଲିମିନେଟର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ୩ ବର୍ଷ ପରେ IPLରେ ହେଉଛି କମ୍‌ବ୍ୟାକ୍‌

କେଉଁ ସିଜନ୍‌ରେ କେତେ ରନ୍ କରିଛନ୍ତି

ୱିକେଟ୍‌କିପର୍‌-ବ୍ୟାଟର୍ ପନ୍ତ ୨୦୧୬ରେ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ । ସେହି ସିଜନ୍‌ରେ ସେ ୧୦ ମ୍ୟାଚ୍ ଖେଳି ୧୯୮ ରନ୍ ସଂଗ୍ରହ କରିଥିଲେ । ସେ ଏହାପରେ ୨୦୧୭ରେ ୧୪ ମ୍ୟାଚ୍‌ରେ ୩୬୬ ରନ୍‌, ୨୦୧୮ରେ ୧୪ ମ୍ୟାଚ୍‌ରେ ୬୮୪ ରନ୍‌, ୨୦୧୯ରେ ୧୬ ମ୍ୟାଚ୍‌ରେ ୪୮୮ ରନ୍‌, ୨୦୨୦ରେ ୧୪ ମ୍ୟାଚ୍‌ରେ ୩୪୩ ରନ୍‌, ୨୦୨୧ରେ ୧୬ ମ୍ୟାଚ୍‌ରେ ୪୧୯ ରନ୍‌, ୨୦୨୨ରେ ୧୪ ମ୍ୟାଚ୍‌ରେ ୩୪୦ ରନ୍ ଓ ୨୦୨୪ରେ ୧୩ ମ୍ୟାଚ୍‌ରେ ୪୪୬ ରନ୍ କରିଥିଲେ ।

ତାଙ୍କର ସର୍ବଶ୍ରେଷ୍ଠ ଇନିଂସ୍ ଅପରାଜିତ ୧୨୮ ରନ୍ । ସେ ୨୦୧୮ରେ ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ଏହି ସ୍କୋର୍ କରିଥିଲେ । ଆଇପିଏଲ୍‌ରେ ସେ ଦୁଇ ଥର ଶତକ ହାସଲ କରିଛନ୍ତି ।

କାର୍ ଦୁର୍ଘଟଣା ପରେ ପନ୍ତ ଗତ ବର୍ଷ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତିନି ଅର୍ଦ୍ଧଶତକ ଲଗାଇଥିଲେ । କିନ୍ତୁ ଚଳିତ ସିଜନ୍‌ରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଆଶାନୁରୂପ ହୋଇପାରି ନାହିଁ ।

ଖାଲି ବ୍ୟାଟିଂ ନୁହେଁ, ତାଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି । ଚଳିତ ସିଜନ୍‌ରେ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଟିମ୍‌ର ଆରମ୍ଭ ଭଲ ଥିଲା, ହେଲେ ମଝିରେ ଟିମ୍ ଲାଇନ୍‌ଚ୍ୟୁତ ହୋଇଥଲା ।

ଚଳିତ ଆଇପିଏଲ୍‌ରେ ସାତ ଥର ଛୁଇଁ ନାହାନ୍ତି ଦୁଇ ଅଙ୍କ

ଚଳିତ ସିଜନ୍‌ରେ ପନ୍ତ ୧୪ ମ୍ୟାଚ୍‌ର ୧୩ ଇନିଂସ୍‌ରେ ମାତ୍ର ୨୬୯ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ୍ ୨୪.୪୫ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୩୩.୧୬ ରହିଛି । ସେ ୦, ୧୫, ୨, ୨, ୨୧, ୬୩, ୩, ୦, ୪, ୧୮, ୭, ୧୬ (ଅପରାଜିତ) ଓ ଅପରାଜିତ ୧୧୮ (ଅପରାଜିତ) ରନ୍‌ର ଇନିଂସ୍ ଖେଳିଛନ୍ତି । ଏହା ଦର୍ଶାଉଛି ଯେ ସେ ସାତ ଥର ଦୁଇ ଅଙ୍କ ବି ଛୁଇଁପାରି ନାହାନ୍ତି ।

ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ସେ ୬୩ ରନ୍ କରିଥିବା ବେଳେ ବାଙ୍ଗାଲୋର ବିପକ୍ଷରେ ୧୧୮ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ । ଏହି ଦୁଇ ପ୍ରଦର୍ଶନକୁ ଛାଡ଼ିଦେଲେ, ଅନ୍ୟ ୧୧ ଇନିଂସ୍‌ରେ ତାଙ୍କ ସର୍ବୋଚ୍ଚ ସ୍କୋର୍ ୨୧ ରନ୍ ।

ନିଜ ପଦାର୍ପଣ ସିଜନ୍ ଛଡ଼ା ସେ କୌଣସି ସିଜନ୍‌ରେ ୩୦୦ରୁ କମ୍ ସ୍କୋର୍ କରି ନାହାନ୍ତି । ଫର୍ମ ହାସଲ ପାଇଁ ତାଙ୍କ ସଂଘର୍ଷ ଲକ୍ଷ୍ନୌ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଥିଲା ।

ଏପ୍ରିଲ୍ ୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଖାତା ଖୋଲିପାରି ନ ଥିଲେ । ସେହି ମ୍ୟାଚ୍‌ରେ ଲକ୍ଷ୍ନୌ ହାରିଯାଇଥିଲା । ଏହାକୁ ନେଇ ବହୁତ ଆଲୋଚନା ହୋଇଥିଲା ।

ଆନ୍ତର୍ଜାତିକ ଭବିଷ୍ୟତ କେତେ ସୁରକ୍ଷିତ

ଆଇପିଏଲ୍ ୨୦୨୫ରେ ଦୁର୍ବଳ ପ୍ରଦର୍ଶନ ଆନ୍ତର୍ଜାତିକ କ୍ରିକେଟ୍ ବିଶେଷକରି ସୀମିତ ଓଭର୍‌ରେ ପନ୍ତଙ୍କ କ୍ୟାରିଅର୍‌କୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାର ଅନ୍ୟ ଏକ କାରଣ ହେଉଛି ଅନ୍ୟତମ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ।

ଦିଲ୍ଲୀ କ୍ୟାପିଟାଲ୍ସ ସିନା ପ୍ଲେଅଫ୍‌କୁ ଯାଇପାରିଲାନି, ହେଲେ ରାହୁଲ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ସେ ୧୩ ମ୍ୟାଚ୍‌ରେ ୫୩.୯୦ ଆଭରେଜ୍ ଓ ୧୪୯.୭୨ ଷ୍ଟ୍ରାଇକ୍ ରେଟ୍‌ରେ ୫୩୯ ରନ୍ କରିଛନ୍ତି ।

ଟେଷ୍ଟ ଟିମ୍‌ରେ ପନ୍ତଙ୍କ କୌଣସି ଅସୁବିଧା ନାହିଁ । ସେ ଟିମ୍‌ର ସ୍ଥାୟୀ ସଦସ୍ୟ ଏବଂ କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏବେ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ତାଙ୍କ ଆଗରେ ଚାଲେଞ୍ଜ୍ ରହିଛି ।

ଦିନିକିଆ ଟିମ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରାହୁଲଙ୍କ ସ୍ଥାନ ମଜଭୁତ ହୋଇସାରିଲାଣି । ଚଳିତ ବର୍ଷ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ପନ୍ତଙ୍କ ଠାରୁ ରାହୁଲଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ସେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ତାଙ୍କ ଚୟନର ଯଥାର୍ଥତା ପ୍ରତିପାଦନ କରିଥିଲେ ।

ରାହୁଲ ଟୁର୍ଣ୍ଣାମେଣ୍ଟର ଚାରି ଇନିଂସ୍‌ରେ ମୋଟ୍ ୧୪୦ ରନ୍ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ବି ସେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ସମସ୍ତ ମ୍ୟାଚ୍ ଖେଳିଥିଲେ ।

ଏପରି ସ୍ଥଳେ ପନ୍ତ ଦିନିକିଆ ଟିମ୍‌କୁ କିଭଳି ପ୍ରତ୍ୟାବର୍ତ୍ତନ କରିବେ? ଆଇପିଏଲ୍ ପ୍ରଦର୍ଶନ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଏକପ୍ରକାର ଧୂମିଳ କରିଦେଇଛି । ଅବଶ୍ୟ ଆଇପିଏଲ୍ ଦିନିକିଆ ଟିମ୍ ପାଇଁ ଚୟନର ବଳିଷ୍ଠ ମାନଦଣ୍ଡ ନୁହେଁ ।

ବାକି ରହିଲା ଟି-୨୦ ଆନ୍ତର୍ଜାତିକ । ଏଥିରେ ବି ତାଙ୍କ ପାଇଁ ସମସ୍ୟା ରହିଛି । ଗତ ବର୍ଷ ଆୟୋଜିତ ଟି-୨୦ ବିଶ୍ୱକପ୍ ପାଇଁ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବା ଲାଗି ଲୋକେଶ ରାହୁଲ, ସଞ୍ଜୁ ସାମ୍‌ସନ୍ ଓ ଈଶାନ କିଶନ ଦୌଡ଼ରେ ଥିଲେ ବି ପନ୍ତଙ୍କୁ ଅଗ୍ରାଧିକାର ଦିଆଯାଇଥିଲା ।

ଏଥିରେ ସେ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ କରି ଆଠ ମ୍ୟାଚ୍‌ରେ ୧୭୧ ରନ୍ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆ ବି ମୁକୁଟ ଜିତିଥିଲା ।

ତେବେ ଏହା ଭିତରେ ଅନେକ ପରିବର୍ତ୍ତନ ହେଲାଣି । ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅଧୀନରେ ପନ୍ତ ମାତ୍ର ଦୁଇ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ।

ଅବଶ୍ୟ ଟି-୨୦ରେ ସେ ଭାରତର ପ୍ରଥମ ପସନ୍ଦ ୱିକେଟ୍‌କିପର୍‌-ବ୍ୟାଟର୍ । କିନ୍ତୁ ଚଳିତ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ରାହୁଲଙ୍କ ଉତ୍‌ଥାନ ତାଙ୍କ ପାଇଁ ଅଡ଼ୁଆ ହୋଇଛି । ସଞ୍ଜୁ ସାମ୍‌ସନ୍ ଓ ଈଶାନ କିଶନ ବି କ୍ୟୁ’ରେ ଅଛନ୍ତି ।

ଖୋଦ୍ ପନ୍ତ ଏ କଥା ଜାଣନ୍ତି । ତେଣୁ ଭବିଷ୍ୟତରେ ସୀମିତ ଓଭର୍ ଟିମ୍‌ରେ ସୁଯୋଗ ପାଇବା ସ୍ଥଳେ ତାଙ୍କୁ ଦମ୍‌ଦାର ପ୍ରଦର୍ଶନ କରିବା ସହ ନିରନ୍ତରତା ବଜାୟ ରଖିବାକୁ ହେବ ।

ଅଧିକ ପଢ଼ନ୍ତୁ: କର ବା ମର ସ୍ଥିତିରେ ପଞ୍ଜାବ-ମୁମ୍ବାଇ; କଣ କହୁଛି ଟ୍ରାକ୍‌ ରେକର୍ଡ଼ ? ଜାଣନ୍ତୁ...

Cricket IPL Rishab Pant IPL 2025
Advertisment
Advertisment