shivsunder
ଶନିବାର ବିସିସିଆଇ ପକ୍ଷରୁ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କରାଯାଇଥିଲା। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ବରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା। ତେବେ ଏହି ପ୍ରେସ ମିଟରେ ଜଣେ ଓଡ଼ିଆଙ୍କ ଉପସ୍ଥିତି ଓଡ଼ିଶା କ୍ରିକେଟ ଫ୍ୟାନ ମାନଙ୍କୁ ଖୁସି ପ୍ରଦାନ କରିଥିଲା। ଅଗରକରଙ୍କ ସହିତ ପ୍ରେସ ମିଟରେ ବସିଥିବା ବ୍ୟକ୍ତି ଜଣଙ୍କ ଥିଲେ ପୂର୍ବତନ ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ। ଭାରତୀୟ ଟେଷ୍ଟ ଦଳର ପୂର୍ବତନ ଓପନର ଶିବସୁନ୍ଦର ଦାସ ବର୍ତ୍ତମାନ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟିର ଅନ୍ୟତମ ସଦସ୍ୟ ରହିଛନ୍ତି।
ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି
ତେବେ ଦୀର୍ଘ ୨୦ ବର୍ଷ ଧରି ରଣଜୀ ଟ୍ରଫି ଖେଳିଥିବା ତଥା ଏକମାତ୍ର ଓଡ଼ିଆ କ୍ରିକେଟର ଭାବେ ତ୍ରିଶତକ ହାସଲ କରିଥିବା ଶିବସୁନ୍ଦରଙ୍କ ଉପସ୍ଥିତି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଥିଲା। କାହିଁକି ନା ଇଷ୍ଟ ଜୋନ ପକ୍ଷରୁ ବେଙ୍ଗଲର ସୁବ୍ରତୋ ବାନାର୍ଜୀ ଚୟନକର୍ତ୍ତାଙ୍କ ଟିମରେ ସାମିଲ ଅଛନ୍ତି। ନିଜ କ୍ୟାରିୟରର ସର୍ବାଧିକ ସମୟ ଇଷ୍ଟ ଜୋନ ତଥା ଓଡ଼ିଶା ପକ୍ଷରୁ ଖେଳିଥିବା ଶିବସୁନ୍ଦର ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ପକ୍ଷରୁ ଚୟନ କର୍ତ୍ତା ରହିଛନ୍ତି। ୨୦୧୧-୧୩ ଯାଏ ଶିବସୁନ୍ଦର ବିଦର୍ଭ ପକ୍ଷରୁ ଖେଳିଥିବା ବେଳେ ବର୍ତ୍ତମାନ ସେ ସେଣ୍ଟ୍ରାଲ ଜୋନରୁ ଚୟନକର୍ତ୍ତା ରହିଛନ୍ତି।
ବର୍ତ୍ତମାନର ଚୟନକର୍ତ୍ତାଙ୍କ ଟିମରେ ଅଗରକରଙ୍କ ପରେ ସବୁଠାରୁ ଅଧିକ ଅଭିଜ୍ଞତା ଶିବସୁନ୍ଦରଙ୍କ ନିକଟରେ ରହିଛି। ଭାରତ ପକ୍ଷରୁ ସେ ୨୩ଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସଫଳ ଥିବା ଶିବସୁନ୍ଦର ୨ ଶତକ ଓ ୯ ଅର୍ଦ୍ଧଶତକ ସହିତ ସ୍କୋର କରିଥିଲେ ୧୩୨୬ ରନ। ଅନ୍ୟ ପକ୍ଷରେ ୪ ଦିନିକିଆରେ ସେ ୩୯ ରନ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏକମାତ୍ର ଓଡ଼ିଆ ଭାବେ ସେ ତ୍ରିଶତକ ହାସଲ କରିଥିଲେ ଓ ୧୦ ହଜାର ରନ ପୂରଣ କରିବାର ଗୌରବ ଅର୍ଜନ କରିଥିଲେ। ଏହା ମଧ୍ୟରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ ଥିଲା। ସେହିପରି ଲିଷ୍ଟ ଏ ରେ ୮୧ ମ୍ୟାଚ ଖେଳି ଶିବ ସୁନ୍ଦର ୪ ଶତକ ଓ ୧୩ ଅର୍ଦ୍ଧଶତକ ସହିତ ୨୪୨୧ ରନ ସ୍କୋର କରିଥିଲେ।
ଭାରତୀୟ ଦଳର ଚୟନ କର୍ତ୍ତା ଭାବେ ଯୋଗ ଦେବା ପୂର୍ବରୁ ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ରହିଥିଲେ। ଏପରିକି ଇଂଲଣ୍ଡ ଗସ୍ତ ସମୟରେ ସେ ଅନ୍ତରୀଣ ମୁଖ୍ୟ କୋଚ ଭୂମିକାରେ ମଧ୍ୟ ନଜର ଆସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shivsunder_1748087886.jpg)