ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ଟେଷ୍ଟ ସିରିଜ୍ର ୨୮ ବର୍ଷର ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ର ଆଧିପତ୍ୟ ରହିଆସିଛି ।
ଏ ଯାବତ ଏହି ଟ୍ରଫି ଅନ୍ତର୍ଗତ ୧୬ ସିରିଜ୍ ମଧ୍ୟରୁ ଭାରତ ୧୦ ଥର ବିଜୟ ହାସଲ କରିଛି । ଗୋଟିଏ ସିରିଜ୍ ଡ୍ର’ ରହିବା ଯୋଗୁଁ ନିୟମାନୁଯାୟୀ ଏହାର ପୂର୍ବ ସଂସ୍କରଣର ବିଜେତା ଭାରତ ଟ୍ରଫି ବଜାୟ ରଖିଥିଲା ।
Also Read
ବିଜିଟିର ପୂର୍ବ ଚାରି ସିରିଜ୍ ଟିମ୍ ଇଣ୍ଡିଆ ହାତେଇଥିବା ବେଳେ ସେଥିମଧ୍ୟରୁ ଦୁଇ ସିରିଜ୍ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିଲା । ଅନ୍ୟପଟେ, କଙ୍ଗାରୁ ଟିମ୍ ୧୦ ବର୍ଷ ହେଲା ଏହି ଟ୍ରଫିରୁ ବଞ୍ଚିତ ହୋଇଛି ।
ଇତିହାସ ଭାରତ ସପକ୍ଷରେ ଥିଲେହେଁ ୨୦୨୪-୨୫ ସିରିଜ୍ ଟିମ୍ ଇଣ୍ଡିଆ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଟିମ୍ର ପ୍ରଦର୍ଶନକୁ ନେଇ ଅନେକେ ସନ୍ଦିହାନ ହୋଇପଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ: Sports: ଟେଷ୍ଟରେ କିଏ ହେବେ ରୋହିତଙ୍କ ଉତ୍ତରାଧିକାରୀ - ବୁମ୍ରା ନା ପନ୍ତ
ବିଜିଟି ୨୦୨୪-୨୫ ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ
ଟିମ୍ ଇଣ୍ଡିଆକୁ ନେଇ ଏଭଳି ଚର୍ଚ୍ଚା ଅମୂଳକ ନୁହେଁ, କାରଣ ନିକଟରେ ଭାରତୀୟ ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଘରେ ନ୍ୟୁଜିଲାଣ୍ଡ ଠାରୁ ୦-୩ରେ କ୍ଲିନ୍ସୁଇପ୍ର ଶିକାର ହୋଇଥିଲା । ଏହି ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଭେଟିବାକୁ ଯାଉଛି ।
ବିଜିଟିର ୨୦୨୪-୨୫ ସିରିଜ୍ ଚଳିତ ଟେଷ୍ଟ ଚକ୍ରରେ ଭାରତର ଶେଷ ସିରିଜ୍ । ଡବ୍ଲ୍ୟୁଟିସି ଫାଇନାଲ୍ରେ ସିଧାସଳଖ ପ୍ରବେଶ ପାଇଁ ଟିମ୍ ଏଥିରେ ଅତି କମ୍ରେ ଚାରି ମ୍ୟାଚ୍ ଜିତିବା ଆବଶ୍ୟକ ।
ଏହାଠାରୁ କମ୍ ମ୍ୟାଚ୍ ଜିତିବା ସ୍ଥଳେ ଭାରତକୁ ଅନ୍ୟ ଟିମ୍ର ମ୍ୟାଚ୍ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ । ତେଣୁ ରୋହିତ ସେନା ପାଇଁ ଅଷ୍ଟ୍ରେଲିଆ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅଷ୍ଟ୍ରେଲିଆରେ ପାଞ୍ଚରୁ ଚାରି ଟେଷ୍ଟ ଜିତିବା କ’ଣ ସମ୍ଭବ? ଏହା ଏକ ବଡ଼ ପ୍ରଶ୍ନ ଟିମ୍ ପାଇଁ ।
ଚାପ ଓ ଦୁର୍ବଳ ବ୍ୟାଟିଂ ଫର୍ମ ମୁଖ୍ୟ ସମସ୍ୟା
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟିମ୍ ଇଣ୍ଡିଆର ଡବ୍ଲ୍ୟୁଟିସି ଫାଇନାଲ୍ ପଥ ଦୁର୍ଗମ ହୋଇଯାଇଛି । ଏହି ବିଫଳତା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍କୁ ଅଧିକ ଚାପଗ୍ରସ୍ତ କରିଦେଇଛି ।
ଚଳିତ ଘରୋଇ ସିଜନ୍ରେ ଭାରତୀୟ ଟିମ୍ ପ୍ରଥମେ ବାଂଲାଦେଶକୁ ୨-୦ରେ ହରାଇଥିଲା । ଏହାପରେ ରୋହିତ ସେନା ଯଦି କିୱି ଟିମ୍କୁ ୩-୦ରେ ପରାଜିତ କରିଥା’ନ୍ତା, ତା’ହେଲେ ବିଜିଟିରେ ଗୋଟିଏ ଟେଷ୍ଟ ବିଜୟ ବି ଫାଇନାଲ୍କୁ ଯିବା ପାଇଁ ଯଥେଷ୍ଟ ହୋଇଥା’ନ୍ତା । ଅତିରିକ୍ତ ଚାପ ବି ପଡ଼ି ନ ଥା’ନ୍ତା ।
କିନ୍ତୁ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଲା ଏବଂ ଡବ୍ଲ୍ୟୁଟିସି ଟେବୁଲ୍ରେ ଭଲ ସ୍ଥିତିରେ ଥିବା ଟିମ୍ ଇଣ୍ଡିଆ ଅପେକ୍ଷାକୃତ ଦୁର୍ବଳ ସ୍ଥିତିକୁ ଚାଲିଆସିଲା ।
ଅଧିକ ପଢ଼ନ୍ତୁ: Sports: ଗୌତମ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ଟ୍ରଫି
ଅଷ୍ଟ୍ରେଲିଆ ଗସ୍ତରେ ବ୍ୟାଟିଂ ଫର୍ମ ହାସଲ କରିବା ଭାରତୀୟ ଟିମ୍ ପାଇଁ ବଡ଼ ଚାଲେଞ୍ଜ୍ । ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସିନିଅର୍ ବ୍ୟାଟର୍ ଫର୍ମରେ ନାହାନ୍ତି । ଯୁବ ବ୍ୟାଟର୍ଙ୍କ ମଧ୍ୟରେ ରିଷଭ ପନ୍ତଙ୍କୁ ଛାଡ଼ିଦେଲେ, ଅନ୍ୟ କାହା ପ୍ରଦର୍ଶନରେ ନିରନ୍ତରତା ନାହିଁ ।
ଭାରତୀୟ କ୍ରିକେଟ୍ରେ ଗତ କିଛି ବର୍ଷ ହେଲା ଅନେକ ନୂଆ ପ୍ରତିଭାଙ୍କ ଅଭ୍ୟୁଦୟ ହୋଇଛି । କିନ୍ତୁ ଏହିସବୁ ପ୍ରତିଭା ସତେ ଯେମିତି ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ମଧ୍ୟରେ ସୀମିତ ହୋଇଯାଇଛନ୍ତି । ଟେଷ୍ଟରେ ଭାରତ ପାଖରେ ବେଶୀ ବିକଳ୍ପ ଦେଖାଯାଉ ନାହିଁ ।
ବିରାଟ-ରୋହିତଙ୍କ ଉପରେ ଅଧିକ ନିର୍ଭରଶୀଳତା
ଭାରତୀୟ କ୍ରିକେଟ୍ର ଦୁଇ ଭେଟେରାନ୍ ବ୍ୟାଟର୍ - ରୋହିତ ଓ ବିରାଟ ସମ୍ଭବତଃ ସେମାନଙ୍କ ଆନ୍ତର୍ଜାତିକ କ୍ୟାରିଅର୍ର ଅନ୍ତିମ ସୋପାନରେ ପହଞ୍ଚିଲେଣି । ଉଭୟ ଟି-୨୦ ଆନ୍ତର୍ଜାତିକ ଛାଡ଼ିସାରିଲେଣି । ଏବେ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକ ଉପରେ ଉଭୟଙ୍କର ଫୋକସ୍ ।
ବିଶେଷକରି ଟେଷ୍ଟ କ୍ରିକେଟ୍ରେ ସେମାନେ ଆଉ ଆଶାଜନକ ପ୍ରଦର୍ଶନ କରିପାରୁ ନାହାନ୍ତି । ତେଣୁ ସେମାନଙ୍କ ଠାରୁ ଆଗକୁ ଚିନ୍ତା କରିବାର ସମୟ ଆସିଲାଣି, ହେଲେ ଭାରତୀୟ ବ୍ୟାଟିଂ ଅନେକାଂଶରେ ଏହି ଦୁଇ ଜଣଙ୍କ ଉପରେ ନିର୍ଭର କରୁଛି ।
ଗତ ପାଞ୍ଚ ବର୍ଷ ମଧ୍ୟରେ ଟେଷ୍ଟରେ ଉଭୟଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ନୁହେଁ । ଏହି ସମୟ ମଧ୍ୟରେ ରୋହିତ ୩୪ ମ୍ୟାଚ୍ ଖେଳି ୩୯ରୁ କମ୍ ଆଭରେଜ୍ରେ ରନ୍ କରିଥିବା ବେଳେ ବିରାଟ ୩୬ ମ୍ୟାଚ୍ରେ ୩୪ରୁ କମ୍ ଆଭରେଜ୍ରେ ରନ୍ କରିଛନ୍ତି ।
ଏହି ଦୁଇ ଜଣଙ୍କ ଛଡ଼ା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଉପରେ ବି ଭାରତୀୟ ବ୍ୟାଟିଂ ନିର୍ଭର କରୁଥିଲା । କିନ୍ତୁ ଏହି ଦୁଇ ବ୍ୟାଟର୍ ଏବେ ଦୃଶ୍ୟପଟରୁ ଦୂରେଇ ଗଲେଣି ।
ଲୋକେଶ ରାହୁଲ ଓ ଯୁବ ଖେଳାଳି ଶୁଭମନ ଗିଲ୍ ଟେଷ୍ଟରେ ଖାସ୍ ପ୍ରଦର୍ଶନ କରିପାରୁ ନାହାନ୍ତି । ରାହୁଲଙ୍କ ପାଇଁ ତ ଟିମ୍ରେ ସ୍ଥାନ ସଂରକ୍ଷଣ କରିବା ଚାଲେଞ୍ଜ୍ ହେଲାଣି ।
ରାହୁଲ ଏ ଯାବତ ୫୩ ଟେଷ୍ଟ ଖେଳିଥିଲେ ବି ତାଙ୍କ ବ୍ୟାଟିଂ ଆଭରେଜ୍ ୩୪ ଯାଏଁ ପହଞ୍ଚିପାରି ନାହିଁ । ସେହିପରି ଗିଲ୍ ୨୯ ମ୍ୟାଚ୍ରେ ପାଖାପାଖି ୩୬ ଆଭରେଜ୍ରେ ରନ୍ କରିଛନ୍ତି ।
ପନ୍ତଙ୍କ ଭିତରେ ରହିଛି ପରିପକ୍ୱତା
ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କ ଭିତରେ ଅଷ୍ଟ୍ରେଲୀୟ ଚାଲେଞ୍ଜ୍କୁ ପ୍ରତିହତ କରିବାର ପରିପକ୍ୱତା ଥିବା ଭଳି ମନେ ହେଉଛି । ସେ ଏ ଯାବତ ୩୮ ଟେଷ୍ଟ ଖେଳି ୪୪ରୁ ଅଧିକ ଆଭରେଜ୍ରେ ରନ୍ କରିଛନ୍ତି ।
ଭାରତୀୟ ବ୍ୟାଟର୍ଙ୍କ ଗତ ପାଞ୍ଚ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଲେ, ପନ୍ତଙ୍କ ବ୍ୟାଟିଂ ଆଭରେଜ୍ ସର୍ବୋତ୍ତମ । ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିବା ପରେ ବି ତାଙ୍କ ପ୍ରଦର୍ଶନରେ ନିରନ୍ତରତା ଦେଖିବାକୁ ମିଳୁଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ସେ ଥିଲେ ଟିମ୍ର ଟପ୍ ସ୍କୋରର୍ । ୱିକେଟ୍କିପିଂରେ ମଧ୍ୟ ସେ ଅନ୍ୟ ଯୁବ ଖେଳାଳିଙ୍କ ଠାରୁ ଆଗରେ ଅଛନ୍ତି । ତେଣୁ ଅଷ୍ଟ୍ରେଲିଆରେ ବି ତାଙ୍କ ଠାରୁ ଟିମ୍ ଭଲ ପ୍ରଦର୍ଶନ ଆଶା କରିବ ।
ଏହାଛଡ଼ା, ଯୁବ ଓପନର୍ ଯଶସ୍ୱୀ ଜୟସ୍ୱାଲ ଏ ଯାବତ ୧୪ ଟେଷ୍ଟ ଖେଳି ୫୬ରୁ ଅଧିକ ଆଭରେଜ୍ରେ ରନ୍ କରିଛନ୍ତି । ଅନ୍ୟପଟେ, ମାତ୍ର ଛଅ ଟେଷ୍ଟ ଖେଳିଥିବା ସରଫରାଜ ଖାନ୍ଙ୍କ ଆଭରେଜ୍ ୩୭ରୁ ଅଧିକ ରହିଛି ।
ଅଷ୍ଟ୍ରେଲିଆ ଗସ୍ତ ଏହି ଦୁଇ ବ୍ୟାଟର୍ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଏଥିରେ ଉଭୟଙ୍କୁ ନିଜ ଦକ୍ଷତା ସାବ୍ୟସ୍ତ କରିବାକୁ ହେବ ।
ବୋଲର୍ଙ୍କ ଆଗରେ ବି ଚାଲେଞ୍ଜ୍
ବ୍ୟାଟିଂରେ ଦୁର୍ବଳ ଫର୍ମ ଛଡ଼ା ବୋଲିଂରେ ବି ଭାରତୀୟ ଟିମ୍ ଆଗରେ ଚାଲେଞ୍ଜ୍ ରହିଛି । ଅଭିଜ୍ଞ ପେସର୍ ମହମ୍ମଦ ଶାମୀ କେବେ ଠାରୁ ଟିମ୍ ସହ ଯୋଗ ଦେବେ, ତାହା ସ୍ପଷ୍ଟ ହୋଇପାରି ନାହିଁ ।
ଯଶପ୍ରୀତ ବୁମ୍ରା ପେସ୍ ଆକ୍ରମଣର ନେତୃତ୍ୱ ନେବେ । ଏହାଛଡ଼ା ପ୍ରଥମ ମ୍ୟାଚ୍ରେ ରୋହିତ ଖେଳୁ ନ ଥିବାରୁ ତାଙ୍କ ଉପରେ ଅଧିନାୟକତ୍ୱର ଅତିରିକ୍ତ ଚାପ ବି ରହିବ ।
ପେସ୍ ବାହିନୀରେ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଛଡ଼ା ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ରହିଛନ୍ତି । କିନ୍ତୁ ଏହି ଚାରି ପେସର୍ ପ୍ରଥମ ଥର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ।
ସ୍ପିନ୍ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ କାନ୍ଧରେ ଦାୟିତ୍ୱ ରହିବ । କିନ୍ତୁ ଉଭୟଙ୍କର ପୂର୍ବ ଚମକ ଆଉ ନାହିଁ । ଅଷ୍ଟ୍ରେଲିଆରେ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବଙ୍କ ଅଭାବ ଅନୁଭୂତ ହୋଇପାରେ । ସେ ଅନ୍ଫିଟ୍ ଥିବା ଯୋଗୁଁ ଟିମ୍ରେ ନାହାନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଟିମ୍ ଇଣ୍ଡିଆ ଆଗରେ ଚାଲେଞ୍ଜ୍ ରହିଛି । ତେବେ କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟ ନେଇ ଟିମ୍କୁ ଆଗକୁ ବଢ଼ିବାକୁ ହେବ । ଏହି ଗସ୍ତରେ ଭାରତୀୟ ଟିମ୍ର ସମ୍ମାନ ବନ୍ଧା ପଡ଼ିଛି । ରୋହିତ ସେନାକୁ ଯଥାସାଧ୍ୟ ପ୍ରୟାସ କରିବାକୁ ହେବ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)