ଟେଷ୍ଟ କ୍ରିକେଟ୍ରେ ନିଜ ମାଟିରେ ଟିମ୍ ଇଣ୍ଡିଆର ଅପ୍ରତ୍ୟାଶିତ ବିପର୍ଯ୍ୟୟ - ୧୨ ବର୍ଷ ପରେ ସିରିଜ୍ ପରାଜୟ ଏବଂ ଏହାପରେ ତିନି ବା ତତୋଧିକ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ପ୍ରଥମ ଥର କ୍ଲିନ୍ସୁଇପ୍ର ଶିକାର । ଏହାକୁ ନେଇ ଏବେ କ୍ରିକେଟ୍ ଜଗତରେ ଖୁବ୍ ଚର୍ଚ୍ଚା ।
ଏହା ଭାରତ ପାଇଁ ଏତେ ବଡ଼ ଝଟ୍କା ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି)ରେ ଟିମ୍ର କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପ୍ରବେଶ ଉପରେ ଏବେ ପ୍ରଶ୍ନଚିହ୍ନ ଲାଗିଯାଇଛି । ଭାରତ ମାଟିରେ ନ୍ୟୁଜିଲାଣ୍ଡର ଏହି ଐତିହାସିକ ଉପଲବ୍ଧି ପରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଜୁଲାଇରେ ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିଥିବା ଗୌତମ ଗମ୍ଭୀର ବି କଡ଼ା ସମାଲୋଚନାର ଶରବ୍ୟ ହୋଇଛନ୍ତି ।
Also Read
ଶ୍ରୀଲଙ୍କା ଠାରୁ ୦-୨ରେ ସିରିଜ୍ ହାରି ଭାରତ ଆସିଥିବା କିୱି ଟିମ୍ ୩-୦ରେ ଏହି ସିରିଜ୍ କ୍ଲିନ୍ସୁଇପ୍ କରିଛି । ଟିମ୍ର ପ୍ରମୁଖ ବ୍ୟାଟର୍ କେନ୍ ୱିଲିଅମ୍ସନ୍ ଅନ୍ଫିଟ୍ ଥିବା ଯୋଗୁଁ ଏଥିରେ ଖେଳିପାରି ନ ଥିଲେ, କିନ୍ତୁ ଏହାର ପ୍ରଭାବ ଟିମ୍ ଉପରେ ପଡ଼ି ନ ଥିଲା ।
ଅନ୍ୟପଟେ, ବାଂଲାଦେଶ ବିପକ୍ଷ ସିରିଜ୍କୁ ୨-୦ରେ ଜିତିବା ପରେ ରୋହିତ ସେନା ନ୍ୟୁଜିଲାଣ୍ଡ ସିରିଜ୍କୁ ବି ସହଜରେ ଜିତିବ ବୋଲି ଆଶା କରାଯାଉଥିଲା । କିନ୍ତୁ କ୍ରମାଗତ ତିନି ମ୍ୟାଚ୍ ହାରିବା ପରେ ଏବେ ଭାରତର ଫାଇନାଲ୍ ପଥ ଦୁର୍ଗମ ହୋଇଯାଇଛି ।
ଅଷ୍ଟ୍ରେଲିଆରେ ଚାରି ବିଜୟ ଜରୁରୀ
ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପୂର୍ବରୁ ଡବ୍ଲ୍ୟୁଟିସି ଟେବୁଲ୍ରେ ୬୦ ପ୍ରତିଶତରୁ ଉପରେ ରହିବା ପାଇଁ ଭାରତକୁ ଅତି କମ୍ରେ ତିନି ବିଜୟ ଓ ଗୋଟିଏ ଡ୍ର’ ଆବଶ୍ୟକ ଥିଲା । କିନ୍ତୁ ଭାରତୀୟ ଟିମ୍ ସିରିଜ୍ରେ କ୍ଲିନ୍ ସୁଇପ୍ ହେବା ପରେ ଫାଇନାଲ୍ର ଦାବିଦାରଙ୍କ ସଂଖ୍ୟା ବଢ଼ିଯାଇଛି । ଏବେ ଦୌଡ଼ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛି । ଡବ୍ଲ୍ୟୁଟିସି ଟେବୁଲ୍ରେ ଭାରତ ଏବେ ୫୮.୩୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନକୁ ଖସିଆସିଛି ।
ଏବେ ଆଉ ୬୦ ପ୍ରତିଶତ ଯଥେଷ୍ଟ ନୁହେଁ । ରୋହିତ ସେନା ଚଳିତ (୨୦୨୩-୨୫) ଚକ୍ରରେ ତା’ର ଶେଷ ସିରିଜ୍ ଅଷ୍ଟ୍ରେଲିଆରେ ଖେଳିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେବ । ନିଜ ଦମ୍ରେ ଫାଇନାଲ୍କୁ ଯିବା ପାଇଁ ଭାରତକୁ ଏହି ସିରିଜ୍ରେ ଅତି କମ୍ରେ ଚାରି ମ୍ୟାଚ୍ ଜିତିବାକୁ ହେବ । ଅବଶିଷ୍ଟ ଗୋଟିଏ ମ୍ୟାଚ୍ ଡ୍ର’ ରଖିବା ଟିମ୍ ପାଇଁ ଅଧିକ ନିରାପଦ ।
ଭାରତର ପଏଣ୍ଟ ପ୍ରତିଶତ ଚାରି ମ୍ୟାଚ୍ ଜିତିବା ସ୍ଥଳେ ୬୪.୦୩ ଏବଂ ଚାରି ବିଜୟ ଓ ଗୋଟିଏ ଡ୍ର’ ସ୍ଥଳେ ୬୫.୭୯ରେ ପହଞ୍ଚିବ ।
କିନ୍ତୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଏତେ ସଫଳତା ପାଇବା ଭଳି ମନେ ହେଉ ନାହିଁ । ଯଦି ଭାରତ ସିରିଜ୍ରେ ଦୁଇ ବା ତିନି ମ୍ୟାଚ୍ ଜିତେ, ତା’ହେଲେ ଅନ୍ୟ ଟିମ୍ର ମ୍ୟାଚ୍ଗୁଡ଼ିକର ଫଳାଫଳକୁ ଅପେକ୍ଷା କରିବାକୁ ହେବ । ଅଷ୍ଟ୍ରେଲିଆ ଗସ୍ତ ସ୍ଥିର କରିବ ଯେ ଭାରତ ଫାଇନାଲ୍ରେ ପହଞ୍ଚିବ କି ନାହିଁ ।
ଦୁଇ ବଡ଼ ବିଫଳତା:
ଟି-୨୦ ବିଶ୍ୱକପ୍ ବିଜୟ ସହିତ ତତ୍କାଳୀନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହୋଇଥିଲା । ବୋର୍ଡ ଦ୍ରାବିଡ଼ଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ସନ୍ଧାନରେ ଥିଲା । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ତୃତୀୟ ଥର ମୁକୁଟ ଜିତାଇଥିବା ଟିମ୍ର ମେଣ୍ଟର ତଥା ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଚୟନ କରାଯାଇଥିଲା ।
ଜୁଲାଇ-ଅଗଷ୍ଟରେ ଆୟୋଜିତ ଶ୍ରୀଲଙ୍କା ବିପକ୍ଷ ଦୁଇ ହ୍ୱାଇଟ୍-ବଲ୍ ସିରିଜ୍ (ତିନି ଟି-୨୦ ଓ ତିନି ଦିନିକିଆ ଆନ୍ତର୍ଜାତିକ) ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କ ପ୍ରଥମ ଦାୟିତ୍ୱ ଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ରେ ୩-୦ରେ ବିଜୟୀ ହୋଇଥିଲା ।
ଏହି ଗସ୍ତରେ ଦିନିକିଆ ସିରିଜ୍ ଖେଳିବା ପାଇଁ ନୂଆ କୋଚ୍ ଦୁଇ ଭେଟେରାନ୍ - ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ରାଜି କରାଇଥିଲେ, ଯେଉଁମାନେ ପ୍ରକୃତରେ ସିରିଜ୍ରୁ ବ୍ରେକ୍ ନେବାକୁ ଚାହୁଁଥିଲେ । କିନ୍ତୁ ସିନିଅର୍ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ୦-୨ରେ ସିରିଜ୍ ହାରିଯାଇଥିଲା । ୧୯୯୭ ପରଠାରୁ ଭାରତୀୟ ଟିମ୍ ପ୍ରଥମ ଥର ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ରେ ପରାଜିତ ହୋଇଥିଲା ।
ସେପ୍ଟେମ୍ବରରେ ଭାରତୀୟ ଟିମ୍ର ଘରୋଇ ସିଜନ୍ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ର ଉଭୟ ମ୍ୟାଚ୍ ଜିତିଥିଲା, ଯେଉଁଥିରେ ଅପ୍ରତ୍ୟାଶିତ କାନ୍ପୁର ବିଜୟ ଅନ୍ତର୍ଭୁକ୍ତ ଥିଲା । ଏହି ସଫଳତା ପରେ ଭାରତର କ୍ରମାଗତ ତୃତୀୟ ଥର ଡବ୍ଲ୍ୟୂଟିସି ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉଜ୍ଜ୍ୱଳ ହୋଇଥିଲା । ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ର ଟି-୨୦ ସିରିଜ୍କୁ ବି ଭାରତ କ୍ଲିନ୍ ସୁଇପ୍ କରିଥିଲା ।
ଏହାପରେ ତିନି ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିଲା । ତା’ପରେ ଯାହା ହେଲା, ତାହା ଭାରତୀୟ ଟେଷ୍ଟ ଇତିହାସରେ କେବେ ହୋଇ ନ ଥିଲା ।
ମୁଭିଂ ବଲ୍ ଓ ଟର୍ଣ୍ଣିଂ ୱିକେଟ୍ରେ ଟିମ୍ର ଦୁର୍ବଳତା ପଦାରେ ପଡ଼ିଲା । ସିନିଅର୍ ବ୍ୟାଟର୍ କ୍ରମାଗତ ନିରାଶ କଲେ । ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ରୋହିତ ସେନା ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହେବା ଆଶ୍ଚର୍ଯ୍ୟ କରିଥିଲା ।
କେଉଁଠି ରହିଛି ଅସୁବିଧା:
ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଲଜ୍ଜାଜନକ ପରାଜୟ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ହେବାର ଚାରି ମାସ ନ ପୂରୁଣୁ ଚାପଗ୍ରସ୍ତ କରିଦେଇଛି । ଆଗାମୀ ଅଷ୍ଟ୍ରେଲିଆ ଗସ୍ତ କେବଳ ଟିମ୍ ପାଇଁ ନୁହେଁ, ତାଙ୍କ ପାଇଁ ବି ଖୁବ୍ ଗୁରୁତ୍ୱ ରଖେ ।
ଗମ୍ଭୀରଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କମିଟି ବୈଠକକୁ ଡକାଯାଇଥିଲା । ତେବେ ବର୍ଡର-ଗାଭାସ୍କର ଟ୍ରଫିରେ ଯଦି ଟିମ୍ର ପ୍ରଦର୍ଶନରେ ସୁଧାର ନ ହୁଏ ଓ ଧାର୍ଯ୍ୟ-ଲକ୍ଷ୍ୟ ପୂରଣ ନ ହୁଏ, ତା’ହେଲେ ଆଗାମୀ ଦିନରେ ଚୟନ ସମ୍ପର୍କିତ ବ୍ୟାପାରରେ ତାଙ୍କ ଭୂମିକା ହ୍ରାସ ପାଇପାରେ ।
ଏମିତି ବି ଚର୍ଚ୍ଚା ହେଉଛି ଯେ ଅଷ୍ଟ୍ରେଲିଆ ଗସ୍ତରେ ବିଫଳତା ସ୍ଥଳେ ଗମ୍ଭୀରଙ୍କ କାର୍ଯ୍ୟକାଳକୁ ହ୍ରାସ କରାଯାଇପାରେ, ଯାହାର ଅବଧି ସାଢ଼େ ତିନି ବର୍ଷ ରହିଛି ।
ସାଧାରଣତଃ କୋଚ୍ ଟିମ୍ ପାଇଁ ଯୋଜନା ବା ରଣକୌଶଳ ପ୍ରସ୍ତୁତ କରିଥା’ନ୍ତି । ଖେଳାଳିଙ୍କ ପ୍ରଦର୍ଶନରେ ସୁଧାର ଓ ଯୁବ ଖେଳାଳିଙ୍କ ପ୍ରତିଭାର ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥା’ନ୍ତି । କୋଚ୍ ଜଣେ ମାର୍ଗଦର୍ଶକ ।
କିନ୍ତୁ ସ୍ପିନର୍ଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର୍ଙ୍କ ଦୁର୍ବଳତା ଜାଣିବା ସତ୍ତ୍ୱେ ସେ ମୁମ୍ବାଇରେ ବି ଟର୍ଣ୍ଣିଂ ପିଚ୍ (ସ୍ପିନ୍ ଅନୁକୂଳ) ଚାହିଁବା ଭାରତର ପୂର୍ବତନ ସ୍ପିନର୍ ଅନିଲ କୁମ୍ବଲେ, ହରଭଜନ ସିଂହ ପ୍ରମୁଖଙ୍କୁ ବିସ୍ମିତ କରିଛି । ଗମ୍ଭୀର ସବୁ ପରିସ୍ଥିତିରେ ଖେଳାଳିଙ୍କ ଠାରୁ ସମାନ ମନୋଭାବ ଚାହାନ୍ତି, ଯାହାକୁ ବୁଝିବା ଅନେକଙ୍କ ପକ୍ଷରେ କଷ୍ଟସାଧ୍ୟ ।
ଯେତେବେଳ ଯାଏଁ ରାହୁଲ ଦ୍ରାବିଡ଼ ଟିମ୍ ସହ ସଂଶ୍ଳିଷ୍ଟ ଥିଲେ, ଟିମ୍ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିପାରୁ ନ ଥିଲା; କିନ୍ତୁ ସାମଗ୍ରିକ ପ୍ରଦର୍ଶନ ଉତ୍ତମ ଥିଲା । ଡବ୍ଲ୍ୟୁଟିସି ଓ ଦିନିକିଆ ବିଶ୍ୱକପ୍ରେ ଟିମ୍ ଫାଇନାଲ୍କୁ ଯାଇଥିଲା । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭାରତ ଟି-୨୦ ବିଶ୍ୱକପ୍ ରୂପରେ ଆଇସିସି ଟ୍ରଫି ବି ଜିତିଥିଲା ।
କିନ୍ତୁ ଗମ୍ଭୀରଙ୍କ କ୍ଷେତ୍ରରେ ସେମିତି ଦେଖିବାକୁ ମିଳୁ ନାହିଁ । ଦ୍ୱିପାକ୍ଷିକ ସିରିଜ୍ରେ ବି ଟିମ୍ ବିଫଳ ହେଉଛି । ସମ୍ଭବତଃ ଏ ଯାବତ ଭାରତୀୟ ଖେଳାଳି ଗମ୍ଭୀରଙ୍କ ଦୃଷ୍ଟିକୋଣକୁ ବୁଝିପାରି ନାହାନ୍ତି ଅଥବା କୋଚ୍ ଓ ଖେଳାଳିଙ୍କ ମଧ୍ୟରେ ତାଳମେଳ ସ୍ଥାପନ ହୋଇପାରି ନାହିଁ ।
ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟରେ ବାରମ୍ବାର ବିଫଳ ହେଉଛନ୍ତି । ସେମାନଙ୍କ ପ୍ରଦର୍ଶନରେ ସୁଧାର ପାଇଁ ଗମ୍ଭୀର କ’ଣ ପଦକ୍ଷେପ ନେଲେଣି? ଅଷ୍ଟ୍ରେଲିଆ ଗସ୍ତ ଏହି ଦୁଇ ଜଣଙ୍କ ସମେତ ରବିଚନ୍ଦ୍ରନ ଅଶ୍ୱିନଙ୍କ ଟେଷ୍ଟ ଭବିଷ୍ୟତ ବି ନିର୍ଦ୍ଧାରଣ କରିପାରେ ।
ଅଷ୍ଟ୍ରେଲିଆ ଗସ୍ତରେ ଗମ୍ଭୀରଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେ ରାହୁଲ ଦ୍ରାବିଡ଼ଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବେ ଭାରତୀୟ ଟିମ୍କୁ ଉଚ୍ଚତର ସୋପାନରେ ପହଞ୍ଚାଇବାର ସାମର୍ଥ୍ୟ ରଖନ୍ତି ଏବଂ ତାଙ୍କ ପ୍ରଶିକ୍ଷଣ-ଦକ୍ଷତା କେବଳ ଆଇପିଏଲ୍ ମଧ୍ୟରେ ସୀମିତ ନୁହେଁ ।
ଏହି ଗସ୍ତ ଆକ୍ରମଣାତ୍ମକ ମନୋଭାବ ପାଇଁ ଜଣାଶୁଣା ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ । ଭାରତକୁ କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପହଞ୍ଚାଇ ସେ ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇପାରିବେ କି?
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)