ଟେଷ୍ଟରେ କିଏ ହେବେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ? ଅଧିନାୟକତ୍ୱ ପାଇଁ କିଏ ସର୍ବୋତ୍ତମ ପସନ୍ଦ? ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ଅକ୍ଟୋବରରେ କିୱି ଟିମ୍ ଭାରତ ଗସ୍ତରେ ଆସିବାର ପୂର୍ବ ଯାଏଁ ଏହା ଆଲୋଚନାର ବିଷୟ ନ ଥିଲା, କିନ୍ତୁ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ଉତ୍ତରାଧିକାରୀ ଖୋଜିବା ଜରୁରୀ ମନେ ହେଉଛି ।
Also Read
ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଅପ୍ରତ୍ୟାଶିତ ଭାବେ ୦-୩ରେ ଟେଷ୍ଟ ସିରିଜ୍ ହାରିଛି । ଘରେ ତିନି ବା ତତୋଧିକ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ପ୍ରଥମ ଥର କ୍ଲିନ୍ ସୁଇପ୍ର ଶିକାର ହୋଇଛି ।
ସବୁଠାରୁ ବଡ଼ କଥା ହେଉଛି, ବାଂଲାଦେଶ ବିପକ୍ଷରେ ସିରିଜ୍କୁ କ୍ଲିନ୍ ସୁଇପ୍ କରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ରେ ଭାରତର ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉଜ୍ଜ୍ୱଳ ହୋଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ସିରିଜ୍ ପରେ ଏଥିରେ ପ୍ରଶ୍ନଚିହ୍ନ ଲାଗିଯାଇଛି ।
ଟାର୍ଗେଟ୍ରେ ଅଧିନାୟକ ରୋହିତ:
ଏହି ବିଫଳତା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଅଧିନାୟକ ରୋହିତ ଶର୍ମାଙ୍କୁ ବି ଟାର୍ଗେଟ୍ କରାଯାଇଛି । ଏହି ସିରିଜ୍ରେ ସେ କେବଳ ଅଧିନାୟକ ଭାବେ ନୁହନ୍ତି, ବ୍ୟାଟର୍ ଭାବେ ମଧ୍ୟ ବିଫଳ ହୋଇଛନ୍ତି ।
ରୋହିତ ସିରିଜ୍ର ଛଅ ଇନିଂସ୍ରେ ମାତ୍ର ୯୧ ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ସିରିଜ୍ରେ ସେ ଚାରି ଇନିଂସ୍ ଖେଳି ୪୨ ରନ୍ କରିଥିଲେ ।
ଅବଶ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ ରୋହିତ ନୁହନ୍ତି, ଅନ୍ୟ ସିନିଅର୍ ଖେଳାଳି - ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ୱିନ ବି ବ୍ୟାଟିଂରେ ନିରାଶ କରିଛନ୍ତି ।
କିନ୍ତୁ ରୋହିତଙ୍କୁ ବିପର୍ଯ୍ୟୟ ପାଇଁ ବେଶୀ ଦାୟୀ କରାଯାଉଛି । କାରଣ ସେ ଟିମ୍ର ଅଧିନାୟକ । ଟିମ୍ର ଦୁର୍ବଳ ସ୍ଥିତିରେ ଜଣେ ଅଧିନାୟକଙ୍କ ଠାରୁ ଏଭଳି ପ୍ରଦର୍ଶନ ଆଶା କରାଯାଉ ନ ଥିଲା ।
ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟରେ ରୋହିତଙ୍କ ସମେତ ଉପରୋକ୍ତ ଚାରି ସିନିଅର୍ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ । ଅଷ୍ଟ୍ରେଲିଆରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ରୁ ଏହା ମଧ୍ୟ ସ୍ପଷ୍ଟ ହୋଇପାରେ ଯେ ଭାରତ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍କୁ ଯିବ କି ନାହିଁ ।
ଫାଇନାଲ୍ ସହ ଯୋଡ଼ି ହୋଇଛି ଭାଗ୍ୟ:
ଯଦି ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଧାର୍ଯ୍ୟଲକ୍ଷ୍ୟ (ଅତି କମ୍ରେ ୪-୦ରେ ବିଜୟ) ପୂରଣ କରିପାରିବନି ଅଥବା ଅନ୍ୟ ସମୀକରଣରୁ ଫାଇନାଲ୍କୁ ଯାଇପାରିବନି ଏବଂ ରୋହିତଙ୍କ ବ୍ୟାଟିଂ ପ୍ରଦର୍ଶନ ଆଶାଜନକ ହେବ ନାହିଁ, ତା’ହେଲେ ତାଙ୍କ ଠାରୁ ଅଧିନାୟକତ୍ୱ କାଢ଼ି ନିଆଯିବା ଏକପ୍ରକାର ନିଶ୍ଚିତ ।
ଟିମ୍ର ବିଫଳତା ଓ ବ୍ୟକ୍ତିଗତ ବ୍ୟାଟିଂ ସଫଳତା ଅଧିନାୟକତ୍ୱ ବଜାୟ ରଖିବା ପାଇଁ ଯଥେଷ୍ଟ ନୁହେଁ । ତେବେ ଯଦି ଭାରତ କୌଣସି ସ୍ଥିତିରେ ଫାଇନାଲ୍କୁ ଯାଏ ଅଥଚ ରୋହିତ ବ୍ୟାଟର୍ ଭାବେ ପୁଣି ଫ୍ଲପ୍ ହୁଅନ୍ତି, ତା’ହେଲେ ମଧ୍ୟ ଅଧିନାୟକଙ୍କ ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ଅପସରି ଯିବ ନାହିିଁ ।
ଭାରତ ଫାଇନାଲ୍କୁ ଯିବା ଓ ରୋହିତ ଫର୍ମକୁ ଫେରିବା ସ୍ଥଳେ ନୂଆ ଅଧିନାୟକ ଚୟନ ସମ୍ପର୍କିତ ବିଚାର ଘୁଞ୍ଚିଯାଇପାରେ । ଏପରି ସ୍ଥଳେ ଫାଇନାଲ୍ର ଫଳାଫଳ ଅଧିକ ଗୁରୁତ୍ୱ ରଖିପାରେ ।
ରୋହିତ ଏବେ ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକରେ ଅଧିନାୟକତ୍ୱ କରୁଛନ୍ତି । ଟି-୨୦ ଆନ୍ତର୍ଜାତିକରୁ ସେ ଅବସର ନେଇସାରିଲେଣି । ପ୍ରଶ୍ନ ଉଠୁଛି ଯେ ଯଦି ରୋହିତଙ୍କୁ ଟେଷ୍ଟ ଅଧିନାୟକ ପଦବୀରୁ ହଟାଯାଏ, ତା’ହେଲେ କିଏ ହେବେ ତାଙ୍କ ଉତ୍ତରାଧିକାରୀ?
ବୁମ୍ରାଙ୍କ ଦାବିଦାରୀ କେତେ ମଜଭୁତ:
ଟିମ୍ ଇଣ୍ଡିଆର ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍ରା ଏବେ ଟେଷ୍ଟ ଟିମ୍ର ଉପ-ଅଧିନାୟକ ଅଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ତାଙ୍କ ହାତରେ ଟିମ୍ର ଦାୟିତ୍ୱ ରହିବ । ଏହା ପୂର୍ବରୁ ବି ବୁମ୍ରାଙ୍କୁ ଟିମ୍ର ଉପ-ଅଧିନାୟକତ୍ୱ ଦାୟିତ୍ୱ ମିଳିଛି ।
୨୦୨୨ ଜୁଲାଇରେ ଇଂଲଣ୍ଡ ଗସ୍ତରେ ଏକ ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ୍ ପାଇଁ ବୁମ୍ରା ଭାରତୀୟ ଟିମ୍ର ନେତୃତ୍ୱ ନେଇଥିଲେ । କିନ୍ତୁ ଟିମ୍ ଏହି ମ୍ୟାଚ୍ ହାରିଯାଇଥିଲା ।
ଏହାଛଡ଼ା ୨୦୨୩ ଅଗଷ୍ଟରେ ଆୟରଲାଣ୍ଡ ଗସ୍ତରେ ବୁମ୍ରା ଟି-୨୦ ଟିମ୍ର ନେତୃତ୍ୱ ନେଇଥିଲେ । ଭାରତ ୨-୦ରେ ସେହି ସିରିଜ୍ ଜିତିଥିଲା ।
୩୦ବର୍ଷୀୟ ବୁମ୍ରା ଏ ଯାବତ ୪୦ ଟେଷ୍ଟ ଖେଳି ୧୭୩ ୱିକେଟ୍ ନେଇଛନ୍ତି । ଏହାଛଡ଼ା ସେ ୨୯୦ ରନ୍ କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ରେ ରୋହିତ ଖେଳି ନ ପାରନ୍ତି । ସେହି ମ୍ୟାଚ୍ରେ ବୁମ୍ରାଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିବ ।
ରିସ୍କ ନେବାକୁ ଚାହିଁ ନ ପାରେ ଚୟନ କମିଟି:
ବୁମ୍ରା ଟିମ୍ର ସିନିଅର୍ ଖେଳାଳି । ଉପ-ଅଧିନାୟକତ୍ୱ ଯାଏଁ ଠିକ୍ ଅଛି; କିନ୍ତୁ ନିୟମିତ ଅଧିନାୟକତ୍ୱ ତାଙ୍କ ପାଇଁ କଷ୍ଟକର ହୋଇପାରେ ।
ସେ ଟିମ୍ର ନେତୃତ୍ୱ ନେଇପାରିବେ, ହେଲେ ଜଣେ ବିଶେଷଜ୍ଞ ପେସର୍ ହୋଇଥିବା ଦୃଷ୍ଟିରୁ ତାଙ୍କ ପାଇଁ ପ୍ରାଥମିକତା ଭିନ୍ନ ଭିନ୍ନ ହୋଇଯିବ । ନିଜ ବୋଲିଂ ସହିତ ଅଧିନାୟକତ୍ୱ ଉପରେ ଧ୍ୟାନ ଦେଲେ, ତାଙ୍କ ଖେଳ ପ୍ରଭାବିତ ହୋଇପାରେ ।
ଏହାଛଡ଼ା ବୁମ୍ରାଙ୍କ ଆଘାତ ସମସ୍ୟା ବି ରହିଆସିଛି । ତାଙ୍କ କାର୍ଯ୍ୟଭାରକୁ ସତର୍କତାର ସହ ପରିଚାଳନା କରିବାର ଆବଶ୍ୟକତା ଅଛି । ଅଧିନାୟକ ହେଲେ ତାଙ୍କୁ ପ୍ରାୟ ସମସ୍ତ ମ୍ୟାଚ୍ ଖେଳିବାକୁ ହେବ ।
ଏପରି ସ୍ଥଳେ ତାଙ୍କୁ ନିୟମିତ ଅଧିନାୟକ କରି ଚୟନ କମିଟି ରିସ୍କ ନେବାକୁ ଚାହିଁ ନ ପାରେ ।
ଯୋଗ୍ୟ ଉତ୍ତରାଧିକାରୀ ହୋଇପାରିବେ କି ପନ୍ତ:
ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫଙ୍କ ବିଚାରରେ ପନ୍ତଙ୍କୁ ଟେଷ୍ଟ ଅଧିନାୟକତ୍ୱ ପ୍ରଦାନ କରିବାର ଏହା ପ୍ରକୃଷ୍ଟ ସମୟ ।
କୈଫଙ୍କ କଥାରେ ଯଥାର୍ଥତା ରହିଛି । ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିବା ପରଠାରୁ ପନ୍ତ ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି । ୱିକେଟ୍କିପର୍-ବ୍ୟାଟର୍ ଭାବେ ଟେଷ୍ଟ ଓ ସୀମିତ ଓଭର୍ ଟିମ୍ର ସେ ଜଣେ ପ୍ରମୁଖ ସଦସ୍ୟ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ପନ୍ତ ଟପ୍ ସ୍କୋରର୍ ଭାବେ ଛଅ ଇନିଂସ୍ରେ ୨୬୧ ରନ୍ କରିଥିଲେ । ମୁମ୍ବାଇର ଟର୍ଣ୍ଣିଂ ପିଚ୍ରେ ସେ ଉଭୟ ଇନିଂସ୍ରେ ଅର୍ଦ୍ଧଶତକ ଲଗାଇଥିଲେ ।
ପନ୍ତ ସୀମିତ ଓଭର୍ ତୁଳନାରେ ଟେଷ୍ଟରେ ଅଧିକ ପ୍ରଭାବିତ କରିପାରିଛନ୍ତି । ସେ ଏ ଯାବତ ୩୮ ଟେଷ୍ଟ ଖେଳି ୨୬୯୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୬ ଶତକ ଓ ୧୪ ଅର୍ଦ୍ଧଶତକ ରହିଛି । ଏହାଛଡ଼ା ୱିକେଟ୍ ପଛରେ ସେ ୧୩୯ ଶିକାର (୧୨୪ କ୍ୟାଚ୍ ଓ ୧୫ ଷ୍ଟମ୍ପିଂ) କରିଛନ୍ତି ।
ଆଇପିଏଲ୍ରେ ନେଇଛନ୍ତି ନେତୃତ୍ୱ:
ଟେଷ୍ଟ ଅଧିନାୟକତ୍ୱ ପାଇଁ ପନ୍ତଙ୍କ ନାମକୁ ନେଇ ଚର୍ଚ୍ଚା ହେବାର ଏକ ବଡ଼ କାରଣ ହେଉଛି, ତାଙ୍କର ନେତୃତ୍ୱ ନେବାର ଅଭିଜ୍ଞତା ବି ରହିଛି । ସେ ବେଶ୍ ସକ୍ରିୟ ଖେଳାଳି ଏବଂ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପାଇଁ ଅଧିନାୟକତ୍ୱ କରିଛନ୍ତି ।
ଡିସିରେ ଥିବା ସମୟରେ ସେ ଅତୀତର ଦୁଇ ଶ୍ରେଷ୍ଠ କ୍ରିକେଟର୍ - ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲିଙ୍କ ଠାରୁ ଅଧିନାୟକତ୍ୱର କଳା ଶିଖିଛନ୍ତି ।
ୱିକେଟ୍କିପିଂ କରୁଥିବା ଯୋଗୁଁ ସେ ମ୍ୟାଚ୍ ଉପରେ ଅଧିକ ତୀକ୍ଷ୍ଣ ନଜର ରଖିଥା’ନ୍ତି । ଏହାଛଡ଼ା ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ ସେ ଅଧିନାୟକ ଭାବେ ଟିମ୍ର ଅନ୍ୟ ଖେଳାଳିମାନଙ୍କୁ ଭଲ ଖେଳିବା ପାଇଁ ପ୍ରେରିତ କରିବେ ।
ପନ୍ତଙ୍କୁ ଏବେ ୨୭ ବର୍ଷ ବୟସ । ଟିମ୍କୁ ଆଗକୁ ନେବା ପାଇଁ ତାଙ୍କ ପାଖରେ ସମୟ ବି ରହିବ । ତେଣୁ ଟେଷ୍ଟ ନେତୃତ୍ୱ ପାଇଁ ପନ୍ତ ଏକ ନିରାପଦ ପସନ୍ଦ ।
ରାହୁଲ ଓ ଗିଲ୍ଙ୍କ ସମ୍ଭାବନା କେତେ:
ଏକଦା ଲୋକେଶ ରାହୁଲଙ୍କୁ ଭାରତର ‘ଭବିଷ୍ୟତର ଅଧିନାୟକ’ ଦୃଷ୍ଟିରୁ ବିଚାର କରାଯାଉଥିଲା । କିନ୍ତୁ ସେହି ସମୟ ଓ ତାଙ୍କ ପୂର୍ବ ଚମକ ଆଉ ନାହିଁ । ଟେଷ୍ଟ ଟିମ୍ରେ ସ୍ଥାନ ପାଇବା ବି ତାଙ୍କ ପାଇଁ କଷ୍ଟସାଧ୍ୟ ହେଲାଣି ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବିଫଳ ହେବା ଯୋଗୁଁ ପରବର୍ତ୍ତୀ ଦୁଇ ମ୍ୟାଚ୍ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖାଯାଇ ନ ଥିଲା । ଇଣ୍ଡିଆ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଆୟୋଜିତ ଦ୍ୱିତୀୟ ଅନ୍ଅଫିସିଆଲ୍ ଟେଷ୍ଟରେ ବି ସେ ଉଭୟ ଇନିଂସ୍ରେ ନିରାଶ କରିଥିଲେ ।
ଅଷ୍ଟ୍ରେଲିଆ ସିରିଜ୍ରେ ସେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇ ଭଲ ପ୍ରଦର୍ଶନ କଲେ ବି ଅଧିନାୟକ ହେବାର ସମ୍ଭାବନା କମ୍ ।
ଯୁବ ଖେଳାଳି ଶୁଭମନ ଗିଲ୍ ଦୌଡ଼ରେ ନାହାନ୍ତି । ଏବେ ତାଙ୍କୁ ଦାୟିତ୍ୱ ଦେବା ତରବରିଆ ହେବ । ଅନ୍ୟପଟେ, ଅତୀତରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତକୁ ଟେଷ୍ଟ ସିରିଜ୍ ଜିତାଇଥିବା ଅଜିଙ୍କ୍ୟ ରାହାଣେ ଏବେ ଟିମ୍ ଠାରୁ ବହୁ ଦୂରରେ ।