/odishatv-khabar/media/post_attachments/uploadimage/library/16_9/16_9_0/pratika_1747481364.jpg)
pratika
ଭାରତୀୟ ମହିଳା କ୍ରିକେଟ ଦଳର ଓପନର ପ୍ରତିକା ରାୱଲ। ଶେଫାଳି ବର୍ମା ଖରାପ ଫର୍ମ କାରଣରୁ ଭାରତୀୟ ଦଳରୁ ବାଦ ପଡିଥିବା ବେଳେ ପ୍ରତିକାଙ୍କୁ ମିଳିଥିଲା ସୁଯୋଗ। ଏହି ସୁଯୋଗର ଫାଇଦା ଉଠାଇବା ସହିତ ବିଶ୍ବ ରେକର୍ଡ ନିଜ ନାମରେ କରିବାରେ ସକ୍ଷମ ହୋଇଛନ୍ତି ଏହି ଖେଳାଳି ଜଣଙ୍କ। ଅନ୍ୟ ମାନଙ୍କ ଭଳି ତାଙ୍କୁ ସୁଯୋଗ ସହଜରେ ମିଳି ନ ଥିଲା। ୨୪ ବର୍ଷ ବୟସରେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ। ଏହା ପରଠାରୁ ପ୍ରତିକା ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବ୍ୟାଟିଂରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଚଢି ଆଗେଇ ଚାଲିଛନ୍ତି।
ଅଧିକ ପଢ଼ନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା...
ଆରମ୍ଭରୁ କ୍ରିକେଟର ମାହୋଲରେ ବଢିଥିଲେ ପ୍ରତିକା। ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ପ୍ରତିକାଙ୍କ ପିତା ଜଣେ ଅମ୍ପାୟାର। ପ୍ରଦୀପ ରାୱଲ ବିସିସିଆଇ ଦ୍ବାରା ସାର୍ଟିଫାଏଡ ହୋଇଥିବା ଜଣେ ଅମ୍ପାୟାର। ସେ ବର୍ତ୍ତମାନ ଦିଲ୍ଲୀ ଓ ଡିଡିସିଏ ପାଇଁ ଅମ୍ପାୟାରିଂ କରୁଛନ୍ତି। ପିତାଙ୍କୁ ଦେଖି କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ ପ୍ରତିକା। ଚତୁର୍ଥ ଶ୍ରେଣୀରୁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ପ୍ରତିକା ବର୍ତ୍ତମାନ ଭାରତୀୟ ଦିନିକିଆ ସେଟଅପର ଅନ୍ୟତମ ପ୍ରମୁଖ ଅଙ୍ଗ।
ନିକଟରେ ଭାରତୀୟ ଦଳ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଖେଳା ଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହି ସିରିଜରେ ପ୍ରତିକା ଏକ ବିଶ୍ବ ରେକର୍ଡ କରିଥିଲେ। ପ୍ରତିକା ବିଶ୍ବର ଦ୍ରୁତତମ ଖେଳାଳି ଭାବେ ୫୦୦ ରନ କ୍ଲବରେ ପ୍ରବେଶ କରିଥିଲେ। ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୮ ରନର ଇନିଂସ ଖେଳିବା ଅବସରରେ ପ୍ରତିକା ଏହି ବିଶ୍ବରେକର୍ଡ କରିଛନ୍ତି। ମାତ୍ର ଅଷ୍ଟମ ଇନିଂସ ଖେଳୁଥିବା ପ୍ରତିକା ୫୦୦ ରନ କରିଥିଲେ।
ଏହି ଅବସରରେ ସେ ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଚାର୍ଲୋଟ ଏଡୱାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଥିଲେ। ଚାର୍ଲୋଟ ୯ ମ୍ୟାଚରେ ୫୦୦ ରନ ଅତିକ୍ରମ କରିଥିଲେ। ୧୯୯୭ ମସିହାରେ ଚାର୍ଲୋଟ ଏହି ରେକର୍ଡ କରିଥିବା ବେଳେ ୨୮ ବର୍ଷ ପରେ ଏହାକୁ ଭାଙ୍ଗିଛନ୍ତି ପ୍ରତିକା। ପୂର୍ବରୁ ସ୍କଟଲାଣ୍ଡର କାଥରିନ ବ୍ରାଇସ ଏହି ରେକର୍ଡର ନିକଟତର ହୋଇଥିଲେ ମଧ୍ୟ ଭାଙ୍ଗି ପାରି ନ ଥିଲେ। ବ୍ରାଇସ ୧୦ ମ୍ୟାଚରେ ୫୦୦ ରନ ମାର୍କ ଅତିକ୍ରମ କରିଥିଲେ। ଅଦ୍ୟାବଧି ପ୍ରତିକା ୧୧ ମ୍ୟାଚ ଖେଳି ୧୫୪ର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସହ ୬୩୮ ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ଅଫସ୍ପିନ ବୋଲିଂ କରିଥିବା ପ୍ରତିକା ୪ ୱିକେଟ ମଧ୍ୟ ନେଇଛନ୍ତି।
ପ୍ରତିକାଙ୍କ ନିକଟରେ ଆଉ ଏକ ବିଶ୍ବ ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଛି। ଦ୍ରୁତତମ ୧୦୦୦ ରନ କ୍ଲବରେ ସାମିଲ ହେବା ପାଇଁ ପ୍ରତିକାଙ୍କ ନିକଟରେ ସୁଯୋଗ ରହିଛି। ଅଷ୍ଟ୍ରେଲିଆର ଲିଣ୍ଡସେ ରିଲରଙ୍କ ନାମରେ ଏହି ରେକର୍ଡ ରହିଛି। ରିଲର ୨୩ ଇନିଂସରେ ୧ ହଜାର ରନ ପୂରଣ କରିଥିଲେ। ପ୍ରତିକା ଯଦି ଅବଶିଷ୍ଟ ୧୨ ଇନିଂସ ମଧ୍ୟରେ ୩୬୨ ରନ କରିବାରେ ସକ୍ଷମ ହୁଅନ୍ତି ତେବେ ସେ ଆଉ ଏକ ବିଶ୍ବ ରେକର୍ଡ ନିଜ ନାମରେ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)