କିଛି ଦିନ ପୂର୍ବେ ଭାରତର ଅଭିଜ୍ଞ ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ମଝିରୁ ଅଚାନକ ଅବସର ଘୋଷଣା କରିଥିଲେ । ତାଙ୍କ ଅବସର ପରେ ପ୍ରଶ୍ନ ଉଠିଥିଲା ଯେ ଏହାପରେ କାହା ପାଳି ପଡ଼ିବ? ଅଧିନାୟକ ରୋହିତ ଶର୍ମା କିମ୍ବା ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତତଃ ଟେଷ୍ଟ କ୍ରିକେଟ୍ରୁ ବିଦାୟ ନେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।
ଏହି ଚର୍ଚ୍ଚା ଅମୂଳକ ନ ଥିଲା, କାରଣ ରୋହିତ ଓ ବିରାଟ ମଧ୍ୟ ନିଜ ନିଜ କ୍ୟାରିଅର୍ର ଅନ୍ତିମ ସୋପାନରେ ପହଞ୍ଚିଲେଣି । ଉଭୟଙ୍କର ଫିଟ୍ନେସ୍ ସମସ୍ୟା ନ ଥିଲେ ବି ଆନ୍ତର୍ଜାତିକ କ୍ରିକେଟ୍ରେ ଆଉ ପୂର୍ବ ଭଳି ଚମକ ନାହିଁ । ଫର୍ମକୁ ନେଇ ଉଭୟଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି ।
ଟି-୨୦ରେ ଭାରତକୁ ବିଶ୍ୱବିଜୟୀ କରାଇଥିବା ରୋହିତ ବିଶ୍ୱ ଚେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି)ରେ ମଧ୍ୟ ଭାରତକୁ ମୁକୁଟ ଜିତାଇବେ ବୋଲି ଆଶା ଥିଲା, କିନ୍ତୁ ସେ ଆଶା ପୂରଣ ହେବାର ସମ୍ଭାବନା ନାହିଁ କହିଲେ ଚଳେ ।
Also Read
ମେଲ୍ବର୍ଣ୍ଣରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ପରାଜୟ ଯୋଗୁଁ ଭାରତୀୟ ଟିମ୍ ସିଧାସଳଖ ଡବ୍ଲ୍ୟୁଟିସି ଫାଇନାଲ୍କୁ ଯାଇପାରିଲା ନାହିଁ । ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍ନୀ ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଫଳାଫଳ ଉପରେ ରୋହିତ ସେନାର ଭାଗ୍ୟ ନିର୍ଭର କରୁଛି ।
ଦକ୍ଷିଣ ଆଫ୍ରିକା ପ୍ରଥମ ଟିମ୍ ଭାବେ ଫାଇନାଲ୍ରେ ପହଞ୍ଚିସାରିଛି । ଅଷ୍ଟ୍ରେଲିଆ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ୍କୁ ଯିବାର ସମ୍ଭାବନା ଅଧିକ ।
ଟେଷ୍ଟ ଟିମ୍ ପାଇଁ ବୋଝ ହେଲେଣି କି ରୋହିତ
ଭାରତୀୟ ଟେଷ୍ଟ ଟିମ୍ର ଏହି ଦୁଃସ୍ଥିତି ଯୋଗୁଁ ଅଧିନାୟକ ରୋହିତଙ୍କ ଆଡ଼କୁ ଅଙ୍ଗୁଳି ଉଠିଛି । ପୂର୍ବ ଦୁଇ ଚକ୍ରରେ ଟିମ୍ ଫାଇନାଲ୍କୁ ଯାଇଥିଲା । ରୋହିତ ବ୍ୟାଟିଂ ସହ ଅଧିନାୟକତ୍ୱରେ ବି କ୍ରମାଗତ ବିଫଳ ହୋଇଛନ୍ତି ।
ମେଲ୍ବର୍ଣ୍ଣରେ ଟିମ୍ ଇଣ୍ଡିଆର ପରାଜୟ ପରେ ଟେଷ୍ଟରୁ ତାଙ୍କର ଅବସର ସମ୍ଭାବନା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ କଙ୍ଗାରୁ ଟିମ୍ ୨-୧ରେ ଅଗ୍ରଣୀ ହାସଲ କରିଛି ।
ସିଡ୍ନୀରେ ପଞ୍ଚମ ତଥା ଶେଷ ଟେଷ୍ଟ ଖେଳାଯିବ । ଏହା ରୋହିତଙ୍କ ପାଇଁ ଶେଷ ଟେଷ୍ଟ ହୋଇପାରେ । ଯଦି ଭାରତ ଏହି ମ୍ୟାଚ୍ ଜିତେ, ତା’ହେଲେ ସିରିଜ୍ ବରାବର ରହିବ ।
ଅଷ୍ଟ୍ରେଲିଆକୁ ତା’ର ଅବଶିଷ୍ଟ ତିନି ଟେଷ୍ଟ ମଧ୍ୟରୁ ଅନ୍ତତଃ ଗୋଟିଏ ମ୍ୟାଚ୍ ଜିତିବାକୁ ହେବ । ସିଡ୍ନୀରେ ହାରିଲେ ବି ଶ୍ରୀଲଙ୍କାରେ ଟିମ୍ ପାଇଁ ସୁଯୋଗ ରହିବ । ଯଦି ପାଟ୍ କମିନ୍ସଙ୍କ ଟିମ୍ ସିଡ୍ନୀରେ ହାରିବ ଏବଂ ଶ୍ରୀଲଙ୍କାରେ ମଧ୍ୟ ଉଭୟ ମ୍ୟାଚ୍ରେ ପରାଜିତ ହେବ, ତା’ହେଲେ ଭାରତ ଫାଇନାଲ୍କୁ ଯାଇପାରିବ ।
ଟିମ୍ ଇଣ୍ଡିଆ ସିଡ୍ନୀରେ ଜିତିବା ସ୍ଥଳେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜ୍ ଶେଷ ହେବା ଯାଏଁ ରୋହିତଙ୍କ ଅବସର ଘୋଷଣା ଝୁଲିକି ରହିପାରେ । କିନ୍ତୁ ଯଦି ଭାରତ ସିଡ୍ନୀରେ ହାରିଯାଏ, ତା’ହେଲେ ଫାଇନାଲ୍ରେ ପ୍ରବେଶର କ୍ଷୀଣ ଆଶା ବି ଧୂଳିସାତ୍ ହେବ । ଏହା ସହିତ ରୋହିତଙ୍କ ଟେଷ୍ଟ କ୍ୟାରିଅର୍ର ବି ଅନ୍ତ ଘଟିବ ।
ଟି-୨୦ ବିଶ୍ୱକପ୍ ପରେ ରୋହିତ ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରୁ ଅବସର ନେଇଥିଲେ । ଏହାପରେ ଅନ୍ୟ ଦୁଇ ଫର୍ମାଟ୍ - ଦିନିକିଆ ଓ ଟେଷ୍ଟ ଉପରେ ତାଙ୍କର ଫୋକସ୍ ରହିବା କଥା । କିନ୍ତୁ ତାଙ୍କ ପ୍ରଦର୍ଶନର ଚମକ ଦିନକୁ ଦିନ କମିବାରେ ଲାଗିଛି । ସେ ବାରମ୍ବାର ବିଫଳ ହେଉଛନ୍ତି । ଏବେ ସେ ଟିମ୍ ପାଇଁ ବୋଝ ହୋଇଗଲେଣି ।
କେତେକ ଚୟନକାରୀ ଓ ବିସିସିଆଇ ପଦାଧିକାରୀଙ୍କ କହିବାନୁଯାୟୀ ଖେଳାଳି ନିଜେ ନିଜର ଅବସର ନେଇ ନିଷ୍ପତ୍ତି ନେଇଥା’ନ୍ତି । କିନ୍ତୁ ଯେଉଁମାନେ ରୋହିତଙ୍କୁ ଜାଣନ୍ତି, ସେମାନଙ୍କ ବିଚାରରେ ଏହି ଖେଳାଳି କେବେ ଟିମ୍ ପାଇଁ ବୋଝ ହେବେ ନାହିଁ ।
ଟେଷ୍ଟରୁ ଅବସର ନେଇ ବିରାଟଙ୍କ ଉପରେ ବି ନଜର ରହିବ, କାରଣ ଏହି ଫର୍ମାଟ୍ରେ ପର୍ଥରେ ଶତକକୁ ଛାଡ଼ିଦେଲେ, ସେ ଦୀର୍ଘ ଦିନ ହେଲା ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ସେ ମଧ୍ୟ ଟି-୨୦ ବିଶ୍ୱକପ୍ ପରେ ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ ଛାଡ଼ିଥିଲେ ।
ପୂର୍ବ ୧୫ ଟେଷ୍ଟ ଇନିଂସ୍ରେ ଗୋଟିଏ ଅର୍ଦ୍ଧଶତକ
ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ରୁ ଏ ଯାବତ ରୋହିତ ୧୫ ଟେଷ୍ଟ ଇନିଂସ୍ରେ ୬, ୫, ୨୩, ୮, ୨, ୫୨, ୦, ୮, ୧୮, ୧୧, ୩, ୬, ୧୦, ୩ ଓ ୯ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବା ଚିନ୍ତାର ବିଷୟ ।
ଟେଷ୍ଟରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ୨୦୨୪ ମାର୍ଚ୍ଚ ୭ରେ ଧର୍ମଶାଳା ଠାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତାଙ୍କ ଶେଷ ଶତକ ଲଗାଇଥିଲେ ।
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଶେଷ ଯାଏଁ ଆପାତତଃ ସବୁ କିଛି ଠିକ୍ଠାକ୍ ଥିଲା । ସେହି ସିରିଜ୍ରେ ସେ ଚାରି ଇନିଂସ୍ ଖେଳି ମାତ୍ର ୪୨ ରନ୍ କରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆ ୨-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରିଥିବାରୁ ତାଙ୍କ ଫର୍ମକୁ ନେଇ ସେଭଳି ପ୍ରଶ୍ନ ଉଠି ନ ଥିଲା ।
ଏହାପରେ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତରେ ଆସିଥିଲା । ରୋହିତଙ୍କ ପ୍ରକୃତ ସମସ୍ୟା ସେଇଠୁ ଆରମ୍ଭ ହୋଇଥିଲା । ଭାରତୀୟ ଟିମ୍ ଲଜ୍ଜାଜନକ ଭାବେ ୦-୩ରେ କ୍ଲିନ୍ ସୁଇପ୍ ହୋଇଥିଲା ।
ରୋହିତ ବ୍ୟାଟିଂରେ ପୁଣି ଥରେ ବିଫଳ ହୋଇଥିଲେ ଏବଂ ଛଅ ଇନିଂସ୍ରେ ମାତ୍ର ୯୧ ରନ୍ କରିଥିଲେ । ରୋହିତ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ପ୍ରଶ୍ନର କାଠଗଡ଼ାକୁ ଚାଲିଆସିଥିଲେ ।
ଏହି ବିଫଳତା ପରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନା ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଥିଲା । ଏହାପରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଉଭୟ ରୋହିତ ଓ ଟିମ୍ ପାଇଁ ଅଗ୍ନିପରୀକ୍ଷା ଭଳି ଥିଲା ।
ତେବେ ଅଷ୍ଟ୍ରେଲିଆରେ ବି ରୋହିତ ଉଭୟ ବ୍ୟାଟର୍ ଓ ଅଧିନାୟକ ଭାବେ ବିଫଳ ହୋଇଛନ୍ତି । ସିରିଜ୍ରେ ସେ ଏ ଯାବତ ପାଞ୍ଚ ଇନିଂସ୍ ଖେଳି ମାତ୍ର ୩୧ ରନ୍ କରିଛନ୍ତି ।
ଅଷ୍ଟ୍ରେଲିଆରେ ବି ନିରାଶ କଲେ
ବ୍ୟକ୍ତିଗତ କାରଣରୁ ରୋହିତ ପର୍ଥ ଠାରେ ଆୟୋଜିତ ପ୍ରଥମ ଟେଷ୍ଟରେ ଖେଳି ନ ଥିଲେ । ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଟିମ୍ ଏହି ମ୍ୟାଚ୍ ଜିତିଥିଲା ।
ଲୋକେଶ ରାହୁଲ ଓପନର୍ ଭାବେ ଭଲ ପ୍ରଦର୍ଶନ କରିବା ଯୋଗୁଁ ରୋହିତ ଆଡିଲେଡ୍ (ଦ୍ୱିତୀୟ ଟେଷ୍ଟ) ଓ ବ୍ରିସ୍ବେନ୍ (ତୃତୀୟ ଟେଷ୍ଟ) ଠାରେ ଛଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ହୋଇଥିଲା । ଭାରତ ଆଡିଲେଡ୍ ଟେଷ୍ଟ ହାରିଥିବା ବେଳେ ବ୍ରିସ୍ବେନ୍ ଟେଷ୍ଟକୁ ଡ୍ର’ ରଖିଥିଲା ।
ମେଲ୍ବର୍ଣ୍ଣ ଠାରେ ଆୟୋଜିତ ବକ୍ସିଂ ଡେ’ ଟେଷ୍ଟରେ ରୋହିତ ଓପନିଂ ସ୍ଥାନକୁ ଫେରିଥିଲେ, ହେଲେ କିଛି ଲାଭ ହେଲା ନାହିଁ । ସେ ପ୍ରଥମ ଇନିଂସ୍ରେ ୩ ଓ ଦ୍ୱିତୀୟ ଇନିଂସ୍ରେ ୯ ରନ୍ କରି ପାଭିଲିଅନ୍ ଫେରିଥିଲେ । ଅଧିନାୟକ ହୋଇଥିବା ଦୃଷ୍ଟିରୁ ସେ ଦାୟିତ୍ୱ ସମ୍ପନ୍ନ ହୋଇ ଖେଳିବା ଆବଶ୍ୟକ ଥିଲା ।
ଚତୁର୍ଥ ଟେଷ୍ଟର ଶେଷ ଦିନ ଭାରତକୁ ୩୪୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା । ଟିମ୍ ପାଇଁ ବିଜୟ ଜରୁରୀ ଥିଲା । ବିଜୟ ସମ୍ଭବ ନ ହେବା ସ୍ଥଳେ ମ୍ୟାଚ୍କୁ ଡ୍ର’ ରଖାଯାଇପାରିଥା’ନ୍ତା; କିନ୍ତୁ ସେମିତି ହେଲା ନାହିଁ ଏବଂ ଟିମ୍ ୧୮୪ ରନ୍ରେ ହାରିଯାଇଥିଲା ।
ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଏ ଯାବତ ୨୪ ଟେଷ୍ଟ ଖେଳି ୧୨ ମ୍ୟାଚ୍ ଜିତିଥିବା ବେଳେ ୯ ମ୍ୟାଚ୍ ହାରିଛି ଏବଂ ଅନ୍ୟ ୩ ମ୍ୟାଚ୍ ଡ୍ର’ ରହିଛି ।
ରୋହିତଙ୍କୁ ଏବେ ୩୭ ବର୍ଷ ବୟସ । ପ୍ରଦର୍ଶନରେ ନିରନ୍ତରତା ରଖିବା ତ ଦୂରର କଥା, ଫର୍ମକୁ ଫେରିବା ବି ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଗଲାଣି । ବ୍ୟାଟର୍ ଭାବେ ସେ ଗୋଟିଏ ପରେ ଗୋଟିଏ ଟେଷ୍ଟ ସିରିଜ୍ରେ ବିଫଳ ହୋଇଚାଲିଛନ୍ତି । ତାଙ୍କ ଅଧିନାୟକତ୍ୱରେ ବି ଆଉ ଦମ୍ ନାହିଁ ।
ଏପରି ସ୍ଥଳେ କ୍ରିକେଟ୍ର ପାରମ୍ପରିକ ଫର୍ମାଟ୍ରେ ରୋହିତଙ୍କୁ ନିଜ ଭବିଷ୍ୟତ ସଂକ୍ରାନ୍ତରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ହେବ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)