ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଟିକେଟ ପାଇଁ ବାରବାଟୀରେ ବାର ବାଜିଗଲା ଦର୍ଶକଙ୍କର । ଅଫଲାଇନରେ ଟିକେଟ ଖଣ୍ଡେ ହାତେଇବାକୁ ଗତରାତିରୁ ଧାଡ଼ିବାନ୍ଧିଥିବା କ୍ରିକେଟ୍ ପ୍ରେମୀ ଆଜି ଦିନତମାମ ହୋଇଛନ୍ତି ନାକେଦମ୍ । କେତେବେଳେ ଧସ୍ତାଧସ୍ତି ତ ଆଉ କେତେବେଳେ ଦଳାଚକଟା ସ୍ଥିତି । କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକେଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ । ତା ମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍ । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି । ତେବେ ଅଫଲାଇନରେ ୧୨ ହଜାର ଟିକଟ ବିକ୍ରି ପାଇଁ ଧାର୍ଯ୍ୟ ତ ହୋଇଥିବାବେଳେ ପୋଲିସର ଦାୟିତ୍ବପଣିଆକୁ ନେଇ ଉଠିଛି ନାନା ପ୍ରଶ୍ନ ।
Also Read
ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ । ଦଳାଚକଟା ଭଳି ସ୍ଥିତିରେ କିଏ ଚାପି ହୋଇଗଲେଣି ତ ଆଉ କିଏ ଝାଳନାଳ ହୋଇ ଜୀବନ ବଞ୍ଚାଇ ଧାଡ଼ିରୁ ବାହାରି ଗଲେଣି । ଶେଷରେ ପୋଲିସ ସାମ୍ନାରେ ଅସନ୍ତୋଷ ଝାଡ଼ିଛନ୍ତି ମହିଳା ଦର୍ଶକ, ଅବ୍ୟବସ୍ଥା ବିରୋଧରେ ବର୍ଷିଛନ୍ତି । ଗେଟ୍ ଖୋଲିବା ପୂର୍ବରୁ ବେଶ୍ ଉତ୍ସାହିତ ଥିଲେ ଦର୍ଶକ, କ୍ରିକେଟପ୍ରେମୀ ।
ଅଧିକ ପଢ଼ନ୍ତୁ: ପାଇଲେନି ବାରବାଟୀ ମ୍ୟାଚ୍ ଟିକେଟ୍, ଭାଙ୍ଗିଲେ ବ୍ୟାରିକେଡ୍
ତେବେ ଗେଟ୍ ଖୋଲିବା କ୍ଷଣି ଯେଉଁ ପରିସ୍ଥିତି ଉପୁଜିଲା, ସବୁ ଖୁସି ପାଣି ଫାଟିଗଲା । ଧସ୍ତାଧସ୍ତି...ଠେଲାପେଲା..ଦଳାଚକଟା ଭଳି ଅବସ୍ଥା । ତଥାପି ଚାଲିଥିଲା ଟିକଟ ବିକ୍ରି । ଏମାନଙ୍କ ମଧ୍ୟରୁ କିଏ ଗତ ରାତି ୮ଟାରୁ ଧାଡ଼ି ଲଗାଇଥିଲେ ତ ଆଉ କିଏ ଭୋର ୩ଟାରୁ । ଟିକେଟ୍ ପାଇ କିଏ ଖୁସି ତ ଆଉ କିଏ ତିକ୍ତ ଅନୁଭୂତି ସହ ହତାଶ ହୋଇ ବାହୁଡ଼ିଛନ୍ତି । ଏପରିକି ଆଉ କିଛି ଦର୍ଶକ ସଂଧ୍ୟା ୬ଟାରେ କାଉଣ୍ଟର ବନ୍ଦ ହେବା ପୂର୍ବରୁ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ବ୍ୟାରିକେଡକୁ ଭଙ୍ଗାରୁଜା କରିଛନ୍ତି ।
ସକାଳ ସାଢ଼େ ୯ଟା । ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ସମୟର ୩୦ ମିନିଟ୍ ବିଳମ୍ବରେ ଖୋଲିଥିଲା କାଉଣ୍ଟର । ଅଫଲାଇନରେ ୧୨ ହଜାର ଟିକେଟ୍ ବିକ୍ରି ଲାଗି ବାରବାଟୀ ଷ୍ଟାଡ଼ିୟମରେ କରାଯାଇଛି ମୋଟ୍ ୫ଟି ଗେଟ୍ । ତା ଭିତରୁ ଗୋଟିଏ ଥିଲା ମହିଳାଙ୍କ ପାଇଁ । ରାତି ପାହିବା କ୍ଷଣି ବଢିଚାଲିଲା ଭିଡ଼ । ପହଞ୍ଚିଯାଇଥିଲେ ପ୍ରାୟ ୧ ଲକ୍ଷ କ୍ରିକେଟ୍ ପ୍ରେମୀ । ଆଉ ଅବ୍ୟବସ୍ଥା ମୁହଁକୁ ଠେଲି ହୋଇଗଲେ ସମସ୍ତେ । ଏ ହେଉଛି ଜାଭିୟର୍ ସ୍କୁଲ୍ ଗେଟ୍ ନିକଟ ଟିକେଟ୍ କାଉଣ୍ଟର । ଯେଉଁଠି ସୀମା ଟପିଥିଲା ଅବ୍ୟବସ୍ଥା ।
ଯେଉଁଠି ଏଣ୍ଟ୍ରି ଏବଂ ଏଗଜିଟ୍ ବ୍ୟବସ୍ଥା ଥିଲା ଗୋଟିଏ । ଅର୍ଥାତ ବ୍ୟାରିକେଡ୍ ଭିତରକୁ ଥରେ ପଶିଲା ପରେ ଆଉ ବାହାରିବାର ପ୍ରଶ୍ନ ଉଠୁନଥିଲା । ଏଭଳି ଅବ୍ୟବସ୍ଥା ଭିତରେ ଆଉ ଗରମରେ ସନ୍ତୁଳି ହୋଇଥିଲେ ଲୋକେ । ସ୍ଥିତି ନିୟନ୍ତ୍ରଣ ପାଇଁ କଟକ ଡିସିପି ନାକେଦମ୍ ତ ହେଲେ, ତା’ସହ ଲୋକଙ୍କୁ ନିଜ ହାତରେ ପାଣି ପିଆଇବାକୁ ବାଧ୍ୟ ହେଲେ । ଶେଷରେ କରତ ଲଗାଇ ବାଉଁଶ ବ୍ୟାରିକେଡକୁ କାଟିବା ସହ ବାଟ ଫିଟାଇ ଲୋକଙ୍କୁ ବାହାର କରିବାକୁ ପଡ଼ିଥିଲା ।
ଟିକେଟ୍ ବିକ୍ରି ବେଳେ ଶୃଙ୍ଖଳା ରକ୍ଷା ଦାୟିତ୍ବ ପୋଲିସର। ପୂର୍ବ ବର୍ଷଗୁଡ଼ିକରେ କାଉଣ୍ଟର ଆଗରେ ରାତିରୁ ଲାଇନ ଲଗାଇବାକୁ ପୋଲିସ ଅନୁମତି ଦେଉଥିଲା । ଏଥର କିନ୍ତୁ ନା ଅନୁମତି ଥିଲା ନା ରାତିରୁ ଧାଡ଼ିବାନ୍ଧିଥିବା ଦର୍ଶକଙ୍କୁ ପୋଲିସ ହଟାଇଥିଲା । ତେବେ କାହିଁକି ଉପୁଜିଲା ଏଭଳି ଅଘଟଣ ? ପୋଲିସର ଏହା ବିଫଳ ପରିଚାଳନା ଓ ଦାୟିତ୍ବହୀନତା ନୁହେଁ କି ?