୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ପରେ ଏବେ ଖୁସିରେ ଝୁମୁଛି ସାରା ଭାରତ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମହାପ୍ରଭୁଙ୍କ ଶରଣକୁ ଆସିଥିଲେ ଟିମ୍ ଇଣ୍ଡିଆ ଖେଳାଳି । ଚାମ୍ପିଅନ୍ସ୍ ଟ୍ରଫି ପୂର୍ବରୁ ପୁରୀ ଆସି ଆଶିଷ ଲୋଡ଼ିଥିଲେ । ଆଉ ତାଙ୍କ ଡାକ ଶୁଣିଲେ ଲୀଳାମୟ, ଆଶିଷ ଢାଳିଦେଲେ । ୧୨ ବର୍ଷ ପରେ ଚମ୍ପିୟାନ୍ସ୍ ଟ୍ରଫି ଜିତିଲା ଭାରତ ।
Also Read
ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...
ଆପଣ ଏହାକୁ ଏକ ଅପୂର୍ବ ସଂଯୋଗ କହିପାରନ୍ତି । କାରଣ ଆପଣଙ୍କ ମନେ ଥିବ ଠିକ୍ ଗୋଟିଏ ମାସ ତଳେ ଅର୍ଥାତ ୯ ଫେବ୍ରୁଆରୀ ଦିନ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ଭାରତ ବନାମ ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ହେଲେ ଏହା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଁଥିଲେ ଟିମ୍ ଇଣ୍ଡିଆର କିଛି ଖେଳାଳି । ଆଉ ଫେବ୍ରୁଆରୀ ୮ ତାରିଖ ଦିନ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର ଓ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସକାଳୁ ସକାଳୁ ପହଞ୍ଚିଯାଇଥିଲେ ଶ୍ରୀମନ୍ଦିରରେ । ମହାପ୍ରଭୁଙ୍କ ଶରଣକୁ ଯାଇଥିଲେ। ଆଉ ଆଗାମୀ ଚାମ୍ପିଆନ୍ସ୍ ଟ୍ରଫିରେ ବିଜୟ ଲାଭ କରିବା ପାଇଁ ମହାବାହୁଙ୍କ ଆଶିଷ ଲୋଡ଼ି ଫେରିଥିଲେ ।
ଆଉ ବୋଧହୁଏ ଭକ୍ତର ଡାକ ଶୁଣିଥିଲେ କାଳିଆ ସାଆନ୍ତେ । ଲୀଳାମୟ କରୁଣା ବର୍ଷା କରିଦେଲେ ଭାରତୀୟ କ୍ରିକେଟ ଦଳ ଉପରେ । ଆଉ ତାପରେ ଟିମ୍ ଇଣ୍ଡିଆକୁ ଅପରାଜେୟ ହେବାରୁ କିଏ ରୋକିବ ? ଭକ୍ତଙ୍କ ପରିଶ୍ରମ ଓ ଭଗବାନଙ୍କ ଆଶିଷ ଆଗରେ ମାଟିରେ ମିଶିଗଲା ସବୁ ପ୍ରତିବନ୍ଧକ । ଭାରତ ତା ପରଦିନ ଠାରୁ ଗୋଟିଏ ବି ମ୍ୟାଚ ହାରି ନଥିଲା । ବାରବାଟୀରେ ଇଂଲଣ୍ଡକୁ ମାତ ଦେବା ସହ ଦୁବାଇରେ ଚାମ୍ପିଅନ୍ସ୍ ଟ୍ରଫି ମଧ୍ୟ ନିଜ ନାମରେ କରିଛି । ବିଶେଷ କରି ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଛି । ବରୁଣଙ୍କ ଚକ୍ରବିହ୍ୟୁ ଆଉ ଅକ୍ଷର ପଟେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଅକ୍ଷର ପଟେଲ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୫ଟି ମ୍ୟାଚ୍ ଖେଳି ବ୍ୟାଟିଂ କରି ୧୦୯ ରନ୍ କରିଥିବାବେଳେ ବୋଲିଂରେ ୫ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ବରୁଣ ଚକ୍ରବର୍ତ୍ତୀ ୩ଟି ମ୍ୟାଚ୍ ଖେଳି ୯ଟି ୱିକେଟ୍ ଅକ୍ତିଆର କରିଥିଲେ । ଭାରତକୁ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଏହି ଦୁଇ ଖେଳାଳିଙ୍କ ଅବଦାନ ବେଶ୍ ରହିଛି ।
ସେପଟେ ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଏବେ ସେଲିବ୍ରେସନର ମୁଡରେ ଝୁମୁଛି ପୂରା ଭାରତ । ୨୦୨୫ ଚାମ୍ପିୟନ୍ସ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ଭାରତବାସୀଙ୍କୁ ଆଉ ଗୋଟିଏ ICC ଟ୍ରଫି ଭେଟି ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ଏ ଟୁର୍ଣ୍ଣାମେଣ୍ଟରେ ସଂପୂର୍ଣ୍ଣ ଭାବେ ଅପରାଜୟ ରହିଥିଲା ଟିମ୍ ଇଣ୍ଡିଆ। କୌଣସି ଗୋଟିଏ ବି ମ୍ୟାଚ ନ ହାରି ଚାମ୍ପିୟନ୍ସ ଟ୍ରଫି ଉପରେ ଏକତରଫା ରାଜ୍ କରିଥିଲା ।