Advertisment

ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ୱ ବିଜୟୀ ଟିମ୍‌ ଇଣ୍ଡିଆ, ବାଟ ଓଗାଳୁଛି ‘ବାରିଲ’

ବାର୍ବାଡସରେ ଅଟକିଛନ୍ତି ବିଶ୍ବବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟ । ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Indian Team Gets Stuck In Barbados Amid Hurricane Beryl

Team India forced to camp in Barbados

ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ। ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ଘୂର୍ଣ୍ଣିଝଡ଼ ଯୋଗୁଁ ବାର୍ବାଡସ୍‌ ଛାଡ଼ିବା ବିଳମ୍ବ ହେଉଛି। ହରିକେନ ‘ବାରିଲ’ ପାଇଁ ବିମାନ ସେବା ପ୍ରଭାବିତ ହୋଇଛି। ବାର୍ବାଡସରୁ ନ୍ୟୁୟର୍କ ଭାୟା ଦୁବାଇ ଦେଇ ଦିଲ୍ଲୀ ଫେରିଥାନ୍ତେ ସପୋର୍ଟ ଷ୍ଟାଫ ଓ ପରିବାର ସହ ପ୍ରାୟ ୭୦ ଜଣ । ମାତ୍ର ଭାରତୀୟ ସମୟ ଆଜି ରାତି ସାଢ଼େ ୮ରେ ଫେରି ପାରିବେନି । କେତେ ବିଳମ୍ବରେ ଫେରିବେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନି।

Advertisment

ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି । ଏଣୁ ବିଜୟୀ ଟିମ୍, ବିସିସିଆଇ ଅଫିସିଆଲ ଏବଂ ଟିମ୍‌ର ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା ବିସିସିଆଇ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏ ବାବଦରେ ପିଏମଓ ସହ ଯୋଗାଯୋଗ କରାଯାଉଥିବା ଜଣାପଡ଼ିଛି । ଆଣ୍ଟଲାଟିକରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବେରିଲ୍‌ କାଟାଗୋରୀ-୩ଶ୍ରେଣୀର ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହା ଇଷ୍ଟ ସାଉଥଇଷ୍ଟ ବାର୍ବାଡସରୁ ୫୭୦ କିଲୋମିଟର ଦୂରରେ ରହିଥିବା ବେଳେ ୨୧୦ କିମି ବେଗରେ ଆଗକୁ ବଢୁଛି।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI

ତେବେ ୧୭ ବର୍ଷ ପରେ ଭାରତର ଟି-ଟ୍ବେଣ୍ଟି ୱାର୍ଲଡ କପ୍ ବିଜୟ ଆନନ୍ଦରେ ବୁଡିଛି ସାରା ଦେଶ। ଜୋରଦାର ସେଲିବ୍ରେସନ୍। ଏବେ ଚାମ୍ପିଅନଙ୍କ ଘର ବାହୁଡ଼ାକୁ ଅପେକ୍ଷା ରହିଛି। ଭାରତୀୟ ଟିମ୍‌ ଫେରିଲେ ଦେଶ ସାରା ବିଜୟ ଉତ୍ସବ ପାଳନ ହେବ।ବାର୍ବଡୋସରେ ଭାରତ ଯେମିତି ଲଢୁଆ ଖେଳ ଦେଖାଇଲା ଯେତେ ତାରିଫ କରିଲେ କମ୍ ପଡ଼ିବ। ୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି।

Advertisment

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ। ବିଳମ୍ବିତ ରାତି ଯାଏ ସବୁଠି ଚାଲିଥିଲା ସେଲିବ୍ରେସନ୍ ଗତ ୪ ବର୍ଷରେ ତିନି ତିନିଟି ଆଇସିସି ବିଶ୍ବକପ୍ ଫାଇନାଲ୍ ଖେଳିଥିଲେ ବି ଜିତି ପାରି ନ ଥିଲା ଭାରତୀୟ ଟିମ୍। ଏଥର ଆଉ ଫେଲ୍ ମାରି ନ ଥିଲେ ରୋହିତ୍ ଆଣ୍ଡ କୋ । ପୂରା ହୋଇଛି ଅପରାଜେୟ ଭାରତର ବିଶ୍ବକପ୍ ଦଖଲ ମିଶନ୍।

ଦକ୍ଷିଣ ଆଫ୍ରିକା ହାତରୁ ବିଜୟକୁ ଛଡ଼ାଇ ଆଣିଲେ ରୋହିତ୍ ବ୍ରିଗେଡ୍ । ଟର୍ଣ୍ଣିଂ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଚିତାକର୍ଷକ କ୍ୟାଚ୍। ବାଉଣ୍ଡ୍ରି ଲାଇନ ବାହାରୁ ଡେଭିଡ୍ ମିଲରଙ୍କ ଅସମ୍ଭବ କ୍ୟାଚ ନେଇ ବିଜୟ ରାସ୍ତା ପରିଷ୍କାର କରିଥିଲେ। ଶେଷ ତିନି ଓଭରରେ ବୁମରା, ଅର୍ଶଦୀପ ଓ ହାର୍ଦ୍ଦିକଙ୍କ କଞ୍ଜୁସି ବୋଲିଂ ଯୋଗୁଁ ଦଳ ଦ୍ବିତୀୟ ଥର ଲାଗି ହାସଲ କରିଛି ଟିଟ୍ବେଣ୍ଟି ବିଶ୍ବକପ୍ ଟ୍ରଫି। ଏଥିସହ ନିଜ ନାଁରେ କରିଛି ୪ଟି ବିଶ୍ବକପ୍। ୧୯୮୩, ୨୦୦୭ ଓ ୨୦୧୧ରେ ୱାନ୍ ଡେ ୱାର୍ଲଡ୍ କପ୍ ଜିତିଥିଲା। ପ୍ରଥମ ଟିମ୍ ଭାବରେ ଅପରାଜେୟ ରହି ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି ଭାରତ।

ସେପଟେ ବିଶ୍ବବିଜେତା ହେବା ପରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିକୁ ବାଏ ବାଏ କହିଛନ୍ତି ରନ୍ ମେସିନ୍ ବିରାଟ କୋହଲି ଓ ହିଟମ୍ୟାନ୍ ରୋହିତ ଶର୍ମା। ଆଉ ଇଣ୍ଟରନ୍ୟାସନାଲ ଟି-ଟ୍ବେଣ୍ଟି ଫର୍ମାଟରେ ଦେଖିବାକୁ ମିଳିବନି ଦୁଇ ଭେଟେରାନଙ୍କ ଜଲୱା। ରୋହିତ ୨୦୦୭ ଟି-ଟ୍ବେଣ୍ଟି ବିଶ୍ବବିଜୟୀ ଟିମରେ ଥିଲେ। ୨୦୧୧ ୱାନ୍ ଡେ ୱାର୍ଲଡ କପ୍ ବିଜେତା ଟିମ୍ ମେମ୍ବର ଥିଲେ ବିରାଟ। ସେହିପରି ଟି-ଟ୍ବେଣ୍ଟିର ସନ୍ୟାସ ଘୋଷଣା କରିଛନ୍ତି ରବୀନ୍ଦ୍ର ଜାଡେଜା।

ଅଧିକ ପଢ଼ନ୍ତୁ: ‘ଆଗାମୀ ବିଶ୍ୱକପ୍‌ ଭାରତରେ ଅଛି, ଆଉ ଦୁଇ ବର୍ଷ ରହିଯାଅ...’

Team India
Advertisment
Advertisment