କିଏ ଏହି ସ୍ୱପ୍ନିଲ କୁସାଲେ ? ଧୋନିଙ୍କ ସହ କ’ଣ ରହିଛି କନେକସନ୍‌...

ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍‌ ଧୋନିଙ୍କ କାହାଣୀ ସହିତ କିଛି ମାତ୍ରାରେ ସମାନ ।

Swapnil Kusale

ପୁଣେରୁ ପ୍ୟାରିସ୍‌ । ଦିନେ ଗୁଳି କିଣିବାକୁ ଟଙ୍କା ନଥିଲା । ଆଜି ଅଲିମ୍ପିକ୍ସରେ ସୁଟିଂ ଇଭେଣ୍ଟରେ ଜିତିଲେ ମେଡାଲ। ପ୍ୟାରିସ୍‌ରେ ଉଡ଼ାଇଲେ ତ୍ରିରଙ୍ଗା । ହଁ ଆଜ୍ଞା ଆମେ କହୁଛୁ ପ୍ୟାରିସ୍‌ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲିଷ୍ଟ ସ୍ୱପ୍ନିଲ କୁସାଲେଙ୍କ କଥା । ପ୍ରଥମ ଭାରତୀୟ ଭାବେ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ଇଭେଣ୍ଟରେ ସେ ମେଡାଲ ଜିତିଛନ୍ତି । ତେବେ କିଏ ଏହି ସ୍ୱପ୍ନିଲ କୁସାଲେ ? ମହେନ୍ଦ୍ର ସିଂ ଧୋନିଙ୍କ ସହ କ’ଣ ରହିଛି କନେକସନ୍‌ ?

୬ ଅଗଷ୍ଟ, ୧୯୯୫ ମସିହାରେ ମହାରାଷ୍ଟ୍ରର କୋଲହାପୁରରେ ଅବସ୍ଥିତ କାମ୍ବଲୱାଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଶିକ୍ଷକ ଓ ମାଆ ଗାଁର ସରପଞ୍ଚ । ଛୋଟବେଳେ ତାଙ୍କୁ ଦୁଇଟି କ୍ରୀଡା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥିଲା । ଶେଷରେ ସେ ସୁଟିଂକୁ ବାଛିଥିଲେ । କିନ୍ତୁ ଜୁନିୟର ସ୍ତରରେ ସୁଟିଂ ପାଇଁ ଗୁଳି କିଣିବାକୁ ସ୍ୱପ୍ନିଲଙ୍କ ପାଖେ ଟଙ୍କା ନଥିଲା । ତେବେ ଏତେ ସଂଘର୍ଷ ପରେ ମଧ୍ୟ ମନୋବଳ ହାରିନଥିଲେ ସ୍ୱପ୍ନିଲ । ଜାରି ରଖିଥିଲେ କଠିନ ପରିଶ୍ରମ । ୨୦୧୨ରୁ ଆନ୍ତର୍ଜାତୀୟ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ତେବେ ୨୦୧୫ରେ ସେ ଭାରତୀୟ ରେଳରେ ଟିକେଟ୍‌ କଲେକ୍ଟର ଭାବେ କାର୍ଯ୍ୟ କରିବା ପରେ ହିଁ ସେ ପ୍ରଥମ ରାଇଫଲ୍‌ କିଣିଥିଲେ ।

ଅଧିକ ପଢନ୍ତୁ : Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ

୨୦୧୫ ପରଠୁ ଆଉ ପଛକୁ ଫେରିନଥିଲେ ସ୍ୱପ୍ନିଲ । ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସଫଳତାର ସିଢ଼ି ଚଢ଼ି ଚାଲିଲେ ସ୍ୱପ୍ନିଲ । ଶେଷରେ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ୧୨ ବର୍ଷର ତପସ୍ୟାର ଫଳ ତାଙ୍କୁ ମିଳିଛି । ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ସେ ଅଲିମ୍ପିକ୍ସରେ ଡେବ୍ୟୁ କରିଥିଲେ ଏବଂ ଡେବ୍ୟୁ ଅଲିମ୍ପିକ୍ସରେ ହିଁ ସେ ବ୍ରୋଞ୍ଜ ମେଡାଲ ଭାରତକୁ ଭେଟି ଦେଇଛନ୍ତି ।

ଧୋନିଙ୍କ ସହ କ’ଣ ରହିଛି କନେକସନ୍‌ ?

ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍‌ ଧୋନିଙ୍କ କାହାଣୀ ସହିତ କିଛି ମାତ୍ରାରେ ସମାନ । ଧୋନିଙ୍କ ପରି ସ୍ୱପ୍ନିଲ ମଧ୍ୟ ଭାରତୀୟ ରେଳବାଇରେ କାର୍ଯ୍ୟ କରୁଛନ୍ତି । ଏମ୍ଏସ୍ ଧୋନି ଯେପରି ଟିକେଟ୍ କଲେକ୍ଟର ଥିଲେ, ସେହିପରି ସ୍ୱପ୍ନିଲ୍ ମଧ୍ୟ ୨୦୧୫ରୁ ଟିକେଟ୍ କଲେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ।

ଭାରତର ଏହି ପ୍ରତିଭାଶାଳୀ ସୁଟର ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟକ୍ତିତ୍ୱ ଦ୍ୱାରା ବହୁତ ପ୍ରଭାବିତ । ସ୍ୱପ୍ନିଲ କହିଛନ୍ତି ଯେ, ସେ ଧୋନିଙ୍କ ବାୟୋପିକକୁ ଅନେକ ଥର ଦେଖିଛନ୍ତି ଏବଂ କିମ୍ବଦନ୍ତୀ କ୍ରିକେଟରଙ୍କ ସଫଳତାରୁ ପ୍ରେରଣା ନେଇଛନ୍ତି ।

ଧୋନି କ୍ରିକେଟ୍ ପଡ଼ିଆରେ କୁଲ୍‌ ମାଇଣ୍ଡ ପାଇଁ ଜଣାଶୁଣା । ସେହିପରି ସୁଟିଂରେ ମଧ୍ୟ ଶାନ୍ତ ସ୍ୱଭାବ ଏବଂ ଧୈର୍ଯ୍ୟ ଆବଶ୍ୟକ । ସେଥିପାଇଁ ସ୍ୱପ୍ନିଲ ତାଙ୍କ ଜୀବନକୁ ଧୋନିଙ୍କ ସହ ଯୋଡିଥାନ୍ତି । ମୁଁ ସୁଟିଂ ଜଗତରେ କୌଣସି ନିର୍ଦ୍ଦିଷ୍ଟ ଆଥଲେଟ୍‌ଙ୍କୁ ଅନୁସରଣ କରେ ନାହିଁ । ମୁଁ ସୁଟିଂ ବାହାରେ ଧୋନିଙ୍କ ବ୍ୟକ୍ତିତ୍ୱକୁ ଅନୁସରଣ କରେ । ଯେପରି ଧୋନି କ୍ରିକେଟ୍ ପଡ଼ିଆରେ ଶାନ୍ତ ରୁହନ୍ତି, ସେହିପରି ମୋ ଖେଳରେ ମଧ୍ୟ ଶାନ୍ତ ଏବଂ ଧୈର୍ଯ୍ୟ ରଖିବା ଆବଶ୍ୟକ ବୋଲି ସ୍ୱପ୍ନିଲ କହିଥିଲେ ।

ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ