/odishatv-khabar/media/post_attachments/uploadimage/library/16_9/16_9_0/Olympics_1722253436.jpg)
Olympics
ଅଲିମ୍ପିକ୍ ସର୍ବଦା ଜଣେ ଆଥଲେଟର କ୍ୟାରିୟରର ଶିଖରରେ ରହିଆସିଛି । ବିଶ୍ୱ କ୍ରୀଡାର ସବୁଠୁ ବଡ଼ ମଞ୍ଚ ପାଇଁ ଅତି କଠୋର ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ଖାଦ୍ୟ କଟକଣା ଏବଂ ଶୋଇବା ସୂଚୀ ପର୍ଯ୍ୟନ୍ତ, ଜଣେ ଆଥଲେଟ୍ ସଂପୂର୍ଣ୍ଣ ଜୀବନଶୈଳୀକୁ ତ୍ୟାଗ କରିଥାଏ । ଗୋଟିଏ ସେକେଣ୍ଡର ଭୁଲ୍ ଯେ ଅଲିମ୍ପିକ ପଦକର ସ୍ୱପ୍ନ ଭାଙ୍ଗିଦେବ ଆଥଲେଟ୍ସଙ୍କୁ ଜଣାଯାଏ । ଏହା ସତ୍ତ୍ୱେ ଶାରୀରିକ ଓ ମାନସିକ ସ୍ତରରେ ଶତ ପ୍ରତିଶତ ଫିଟ୍ ରହିବାକୁ ସେମାନେ ବାଧ୍ୟ ହୁଅନ୍ତି ।
ଅଲିମ୍ପିକ୍ସ ଇତିହାସରେ ଭାରତର ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ମୃତି ରହିଛି । ଏକାଧିକ ଭାରତୀୟ ଆଥଲେଟ୍ସ ଅଲିମ୍ପିକ ମେଡାଲ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ନଜର ପକାନ୍ତୁ ଏପରି କିଛି ଆଥଲେଟ୍ସଙ୍କ ଅଲମ୍ପିକ୍ସ ଯାତ୍ରା ଉପରେ, ଯେଉଁମାନଙ୍କ ହାତରୁ ଖସିଯାଇଛି ମେଡାଲ୍...
ଅଧିକ ପଢନ୍ତୁ : ଫାଇନାଲ ଇଭେଣ୍ଟ ବେଳେ କ’ଣ ଭାବୁଥିଲେ ମନୁ, ମେଡାଲ ଜିତିବା ପରେ କହିଲେ ମନର କଥା...
ମିଲଖା ସିଂ(୧୯୬୦ ରୋମ୍ ଅଲିମ୍ପିକ୍ସ)
ରାଜ୍ୟଗୋଷ୍ଠୀ କ୍ରୀଡାରେ ୪୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ କରିଥିବା "ଦ ଫ୍ଲାଇଂ ଶିଖ୍" ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଦାବିଦାର ଥିଲେ । ୪୦୦ ମିଟର ଫାଇନାଲରେ ମିଲଖା ସିଂ ଦମଦାର ଆରମ୍ଭ କରିବା ସହ ଦୌଡ ପ୍ରତିଯୋଗିତାର ପ୍ରଥାମାର୍ଦ୍ଧରେ ଲିଡ୍ କରୁଥିଲେ । ପ୍ରାୟ ୨୫୦ ମିଟର ଅତିକ୍ରମ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ମିଲଖା ସିଂ ସେ ଭୁଲ୍ କରିବସିଲେ ଯାହା କେହି କେବେ ଭାବିନଥିଲେ । ତାଙ୍କ ଗତି ସ୍ଥିର ରହିପାରିବନି, ଏହି ବିଶ୍ୱାସର ସହ ସେ ଗତି ଧୀମା କରି ଅନ୍ୟ ପ୍ରତିଯୋଗୀଙ୍କୁ ଦେଖିବାର ଭୁଲ୍ କରିବସିଲେ ।
ଯାହା ଅନ୍ୟ ପ୍ରତିଯୋଗୀ ଡେଭିସ୍, କୌଫମନ ଓ ସ୍ପେନ୍ସଙ୍କ ନିକଟରେ ମିଲଖାଙ୍କୁ ଅତିକ୍ରମ କରିବାର ସୁଯୋଗ ସୃଷ୍ଟି କରିଥିଲା । ପରେ ମିଲଖା ଅତି କମ ବ୍ୟବଧାନରେ ବୋଞ୍ଜ୍ ମେଡାଲ୍ ହାତ ଛଡ଼ା କରିଥିଲେ । ସ୍ପେନ୍ସ ୪୫.୫୦ ସେକେଣ୍ଡରେ ପହଞ୍ଚିଥିବାବେଳେ, ମିଲଖା ସିଂ ୪୫.୬୦ ସେକେଣ୍ଡରେ ପହଞ୍ଚିଥିଲେ । ମାତ୍ର ୦.୧ ସେକେଣ୍ଡରେ ହାରିଯାଇଥିଲେ ମିଲଖା ।
ପିଟି ଉଷା(୧୯୮୪ ଲସ୍ ଆଞ୍ଜେଲେସ ଅଲିମ୍ପିକ୍ସ)
ପାୟୋଲି ଏକ୍ସପ୍ରେସ୍ ନାମରେ ପରିଚିତ ପିଟି ଉଷା ଜବରଦସ୍ତ ଫର୍ମ ସହ ୧୯୮୪ ଅଲିମ୍ପିକ୍ସ ଗେମ୍ସରେ ଅଂଶଗ୍ରହଣ କରିଥିଲେ । ନୂଆଦିଲ୍ଲୀରେ ଅନୁଷ୍ଠିତ ୧୯୮୨ ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ସହ ଏସିଆନ ରେକର୍ଡ ମଧ୍ୟ ନିଜ ନାମରେ କରିଥିଲେ । ତେବେ ୪୦୦ମିଟର ହର୍ଡଲ ଇଭେଣ୍ଟରେ ତାଙ୍କୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡ଼ିଥିଲା ।
ଅଧିକ ପଢନ୍ତୁ : Paris Olympics 2024: ଫାଇନାଲରେ ଆଉଜଣେ ଭାରତୀୟ, ବଢ଼ିଲା ପଦକ ଆଶା
ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ଫାଇନାଲରେ ମାତ୍ର ୦.୦୧ ସେକେଣ୍ଡ ତାଙ୍କୁ ମେଡାଲ ଜିତିବାରୁ ବଞ୍ଚିତ କରିଥିଲା । ମରୋକ୍କୋର ନୱାଲ ଏଇ ମାଉଟୱାକେଲ ଗୋଲ୍ଡ ଓ ଆମେରିକାର ଜୁଡି ବ୍ରାଉନ ସିଲଭର ପଦକ ଜିତିଥିଲେ । ସେହିପରି ରୋମାନିଆର କ୍ରିଷ୍ଟିଆନା କଜୋକାରୁ ୫୫.୪୧ ସେକେଣ୍ଡରେ ପହଞ୍ଚି ବ୍ରୋଞ୍ଜ୍ ମେଡାଲ ହାତେଇଥିଲେ । ଉଷା ୫୫.୪୨ ସେକେଣ୍ଡରେ ପହଞ୍ଚିବା ସହ ଏକ ଫଟୋ ଉଠାଇବାକୁ ଲାଗୁଥିବା ସମୟ ବ୍ୟବଧାନରେ ହାରିଯାଇଥିଲେ ।
ଲିଆଣ୍ଡର ପେସ୍, ମହେଶ ଭୂପତି (୨୦୦୪ ଆଥେନସ ଅଲିମ୍ପିକ୍ସ)
୨୦୦୪ ଆଥେନ୍ସ ଅଲିମ୍ପିକ୍ସ ଗେମ୍ସରେ ଐତିହାସିକ ଯୋଡ଼ି ଲିଆଣ୍ଡର ପେସ୍ ଓ ମହେଶ ଭୂପତି, ବ୍ରୋଞ୍ଜ ମେଡାଲର ନିକଟତର ହୋଇଥିଲେ । ପ୍ରଥମ ରାଉଣ୍ଡରେ ଭାରତୀୟ ଯୋଡ଼ି, ଆମେରିକାର ଆଣ୍ଡି ରୋଡିକ୍ ଓ ମାର୍ଡି ଫିସଙ୍କୁ ୭-୬(୫), ୬-୩ରେ ପରାସ୍ତ କରିଥିଲେ । ଏହାପରେ ଦ୍ୱିତୀୟ ରାଉଣ୍ଡରେ ଅନ୍ୟ ଏକ ଦମଦାର ପ୍ରଦର୍ଶନ ସହ ସୁଇଜରଲ୍ୟାଣ୍ଡର ୱେଭସ୍ ଆଲଜରୋ ଓ ରୋଜର ଫେଡେରରଙ୍କୁ ୬-୨, ୭-୬(୭) ହରାଇଥିଲେ । କ୍ୱାର୍ଟରଫାଇନାଲରେ ଜିମ୍ବାୱେର ଯୋଡ଼ିଙ୍କ ବିପକ୍ଷରେ ୬-୪, ଓ ୬-୪ରେ ସହଜ ବିଜୟ ହାସଲ କରି ସେମିରେ ପ୍ରବେଶ କରିଥିଲେ ।
ତେବେ ସେମିଫାଇନାଲରେ ଅଲମ୍ପିକ ମେଡାଲ ସ୍ୱପ୍ନକୁ ଶକ୍ତ ଝଟକା ଲାଗିଥିଲା । ଜର୍ମାନ ଯୋଡ଼ି ନିକୋଲାସ କୈଫର ଓ ରୈନର ସ୍କଟଲରଙ୍କ ଠାରୁ ୨-୬, ୨-୬ରେ ପରାସ୍ତ ହୋଇଥିଲେ ପେସ୍ ଓ ଭୂପତି । ପରେ ବ୍ରୋଞ୍ଜ ମେଡାଲ ମ୍ୟାଚରେ କ୍ରୋଏସିଆର ମାରିଓ ଏନସିସ ଓ ଇଭାନ ଜୁବିସିସଙ୍କୁ କଡ଼ା ଟକ୍କର ଦେଇଥିଲେ ଭାରତୀୟ ଯୋଡ଼ି । ରୋମାଞ୍ଚକର ମୁକାବିଲାରେ ଯେଉଁ ପରିସ୍ଥିତିରେ ଉଭୟଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା ତାହା ଅତି ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଭାରତୀୟ ଯୋଡ଼ି ଶେଷ ପର୍ଯ୍ୟନ୍ତ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ୭-୬(୫), ୪-୬, ୧୬-୧୪ରେ ପରାସ୍ତ ହୋଇଥିଲେ ।
ଦୀପା କର୍ମାକର(୨୦୧୬ ରିଓ ଅଲିମ୍ପିକ୍ସ)
ଅଲିମ୍ପିକ୍ସ ପାଇଁ ପ୍ରଥମ ଭାରତୀୟ ଜିମ୍ନାଷ୍ଟ ଭାବେ ଯୋଗ୍ୟତା ଅର୍ଜନ କରିଥିବା ଦୀପା କର୍ମାକର, ନିଜର ଅଲିମ୍ପିକ୍ ଡେବ୍ୟୁରେ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ପ୍ରଭାବୀ ପ୍ରଦର୍ଶନ ସତ୍ତେ, ତ୍ରିପୁରାର ଜିମ୍ନାଷ୍ଟ ଦୀପା, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଲିମ୍ପିକ ମେଡାଲ ଜିତିବାରୁ ବଞ୍ଚିତ ହୋଇଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ଅତି ସାମାନ୍ୟ ବ୍ୟବଧାନରେ ପଦକ ହାତରୁ ଖସିଯାଇଥିଲା ।
ଭଲ୍ଟ ଇଭେଣ୍ଟରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଭାରତୀୟ ଆଥଲେଟ୍ ଦୀପା ୧୪.୮୩୩ ସ୍କୋର୍ କରିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମାତ୍ର ୦.୧୫ ପଏଣ୍ଟ ପାଇଁ ବ୍ରୋଞ୍ଜ୍ ମେଡାଲରୁ ବଞ୍ଚିତ ହୋଇଥିଲେ ଓ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଜିମ୍ନାଷ୍ଟିକ ଇତିହାସରେ ପଞ୍ଚମ ମହିଳା ଭାବେ କର୍ମାକର, ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ସବୁଠୁ କଠିନତମ ଭଲ୍ଟ କୁହାଯାଉଥିବା ପ୍ରୋଡୁନୋଭା ଭଲ୍ଟରେ ପହଞ୍ଚିଥିଲେ ।
ଅଭିନବ ବିନ୍ଦ୍ରା (୨୦୧୬ ରିଓ ଅଲିମ୍ପିକ୍ସ)
ବ୍ୟକ୍ତିଗତ ଇଭେଣ୍ଟରେ ପ୍ରଥମ ଭାରତୀୟ ଭାବେ ଅଲମ୍ପିକ ମେଡାଲ ଜିତି ଇତିହାସ ରଚିଥିଲେ ଅଭିନବ ବିନ୍ଦ୍ରା । ୨୦୧୬ ରିଓ ଅଲମ୍ପିକ୍ସରେ ମଧ୍ୟ ଆଉ ଏକ ମେଡାଲ ଜିତିବାର ନିକଟତର ହୋଇଥିଲେ ଭାରତର ଏହି ସୁଟିଂ ସୁପରଷ୍ଟାର । ବେଜିଂରେ ପୁରୁଷ ୧୦ ମିଟର ରାଇଫଲ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଥିବା ବିନ୍ଦ୍ରା, ରିଓ ଅଲିମ୍ପିକ୍ସରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସପ୍ତମରେ ରହିଥିଲେ ।
ମାତ୍ର ଫାଇନାଲରେ ଅବିଶ୍ୱସନୀୟ ପ୍ରଦର୍ଶନ ସହ ଅନ୍ୟ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇଥିଲେ । ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୧୬୩.୮ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଫଳରେ ଅଳ୍ପ ବ୍ୟବଧାନରେ ବ୍ରୋଞ୍ଜ ମେଡାଲ୍ ହାତଛଡ଼ା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)