/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741159122.jpg)
ଅବସର ନେଲେ ଷ୍ଟିଭ୍ ସ୍ମିଥ୍
୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପରାଜୟ ପରେ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା । ସେମିଫାଇନାଲରେ ପରାଜୟ ପରେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଯଦିଓ ସ୍ମିଥ୍ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି କିନ୍ତୁ ସେ ଏବେ ବି ଟେଷ୍ଟ ଏବଂ ଟି-୨୦ ଖେଳିବେ ।
ଭାରତ ବିପକ୍ଷରେ ପରାଜୟ ପରେ ୩୫ ବର୍ଷୀୟ ଷ୍ଟିଭ୍ ସ୍ମିଥ୍ ତାଙ୍କ ସାଥୀ ଖେଳାଳିମାନଙ୍କୁ ଏହି ନିଷ୍ପତ୍ତି ବିଷୟରେ ଜଣାଇଥିଲେ । ସ୍ମିଥ୍ କହିଥିଲେ, ' ଏବେ ଅବସର ନେବାର ସଠିକ୍ ସମୟ।' ଏହା ଏକ ସୁନ୍ଦର ଯାତ୍ରା ଥିଲା ଏବଂ ମୁଁ ଏହାର ପ୍ରତ୍ୟେକ ମିନିଟ୍ ଉପଭୋଗ କରିଥିଲି । ବହୁତ ସୁନ୍ଦର ମୁହୂର୍ତ୍ତ ଏବଂ ଆଶ୍ଚର୍ଯ୍ୟଜନକ ସ୍ମୃତି ଅଛି । ଦୁଇଟି ବିଶ୍ୱକପ୍ ଜିତିବା ଏକ ବଡ଼ ସଫଳତା ଥିଲା । ଏହି ଯାତ୍ରାରେ ଅନେକ ସୁନ୍ଦର ସାଥୀ ମଧ୍ୟ ସାମିଲ ହୋଇଥିଲେ । ୨୦୨୭ ODI ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାର ଏହା ହେଉଛି ସଠିକ୍ ସମୟ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବଦଲା ନେଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ରେ ଭାରତ
ଷ୍ଟିଭ୍ ସ୍ମିଥ୍ ଆହୁରି କହିଛନ୍ତି, 'ଟେଷ୍ଟ କ୍ରିକେଟ୍ ଏବେ ବି ପ୍ରାଥମିକତା ଏବଂ ମୁଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍, ଶୀତ ଋତୁରେ ୱେଷ୍ଟଇଣ୍ଡିଜ୍ ଏବଂ ତା'ପରେ ଅଷ୍ଟ୍ରେଲିଆରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଉତ୍ସାହିତ ଅଛି । ମୁଁ ଭାବୁଛି ଯେ ସେହି ଫର୍ମାଟରେ ମୋର ଆହୁରି ବହୁତ କିଛି ଯୋଗଦାନ ଦେବାର ଅଛି’ ।
ସୂଚନା ଅନୁସାରେ ପ୍ୟାଟ୍ କମିନ୍ସଙ୍କ ଆଘାତ ଯୋଗୁଁ ଷ୍ଟିଭ୍ ସ୍ମିଥ୍ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିଲେ । ସେମିଫାଇନାଲରେ ପରାଜୟ ପରେ ସ୍ମିଥ୍ କହିଥିଲେ ଯେ ଏହା ଏକ କଷ୍ଟକର ୱିକେଟ୍ ଥିଲା ଏବଂ ବ୍ୟାଟିଂ ପରିସ୍ଥିତି ସହଜ ନଥିଲା । ଯଦି ତାଙ୍କ ଦଳ ୨୮୦ରୁ ଅଧିକ ରନ୍ କରିଥାନ୍ତା, ତେବେ ମ୍ୟାଚ୍ର ଫଳାଫଳ ଭିନ୍ନ ହୋଇପାରିଥାନ୍ତା ବୋଲି ସ୍ମିଥ୍ କହିଥିଲେ ।
ଷ୍ଟିଭ୍ ସ୍ମିଥ୍ ଅଷ୍ଟ୍ରେଲିଆ ପାଇଁ ୧୭୦ଟି ODI ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୪୩.୨୮ ହାରରେ ଏବଂ ୮୬.୯୬ ଷ୍ଟ୍ରାଇକ୍ ରେଟ୍ ସହିତ ୫୮୦୦ ରନ୍ କରିଥିଲେ। ଏଥିରେ ୧୨ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଷ୍ଟିଭ୍ ସ୍ମିଥଙ୍କ ODIରେ ସର୍ବାଧିକ ସ୍କୋର ହେଉଛି ୧୬୪ ରନ୍। ଯାହା ୨୦୧୬ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆସିଥିଲା । ସ୍ମିଥ୍ ଏକଦିବସୀୟ ମ୍ୟାଚ୍ରେ ୨୮ଟି ୱିକେଟ୍ ମଧ୍ୟ ନେଇଛନ୍ତି ।
ସେହିପରି ଷ୍ଟିଭ୍ ସ୍ମିଥ୍ ୬୪ଟି ଦିନିକିଆରେ ଅଷ୍ଟ୍ରେଲିଆର ଅଧିନାୟକତ୍ୱ କରିଥିଲେ। ଯେଉଁଥିରେ କଙ୍ଗାରୁ ଦଳ ୩୨ଟିରେ ବିଜୟୀ ହୋଇଥିଲା ଏବଂ ୨୮ଟିରେ ପରାଜୟର ସ୍ୱାଦ ଚାଖିଥିଲା। ସ୍ମିଥ୍ ୨୦୧୫ ଏବଂ ୨୦୨୩ ODI ବିଶ୍ୱକପ୍ ଜିତିଥିବା କଙ୍ଗାରୁ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)