Advertisment

Future of Indian Test Cricket: ଅଶ୍ୱିନ-ରୋହିତ-ବିରାଟଙ୍କ ପରେ କିଏ ନେବେ ଟେଷ୍ଟ କ୍ରିକେଟ୍‌ରୁ ଅବସର

ଟିମ୍ ଇଣ୍ଡିଆର ତିନି ଭେଟେରାନ୍ - ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ୍ ଛାଡ଼ିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗକୁ କିଏ ନେବେ ଅବସର? କାହାର ପଡ଼ିବ ପାଳି? କ୍ରିକେଟ୍ ମହଲରେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି, ହେଲେ ସମ୍ଭାବ୍ୟ ତାଲିକାରେ ଅଛନ୍ତି ଅନେକ ଖେଳାଳି ।

author-image
Biswajit Mohanty
ଅଦ୍ୟତନ ହୋଇଛି
gambhir

gambhir

ଭାରତୀୟ କ୍ରିକେଟ୍ ଏବେ ପରିବର୍ତ୍ତନ ଦେଇ ଗତି କରୁଛି । ବର୍ଷକ ମଧ୍ୟରେ ଟିମ୍ ଇଣ୍ଡିଆର କୋଚ୍ ବଦଳିଛନ୍ତି, ପୂରା ସପୋର୍ଟ ଷ୍ଟାଫ୍ ବଦଳିଛନ୍ତି, ନେତୃତ୍ୱ ବଦଳିଛି ଏବଂ ଟିମ୍ ସଂଯୋଜନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସମୟରେ ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ଜଣେ ପରେ ଜଣେ ବଡ଼ ଖେଳାଳି ଅବସର ନେଇ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି ।

Advertisment

ଗୌତମ ଗମ୍ଭୀର ସବୁ ଫର୍ମାଟ୍‌ରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ହେବା ପରେ ଏ ଯାବତ ତିନି ଭେଟେରାନ୍ - ପ୍ରଥମେ ରବିଚନ୍ଦ୍ରନ ଅଶ୍ୱିନ, ଏହାପରେ ରୋହିତ ଶର୍ମା ବିରାଟ କୋହଲି କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍‌ରୁ ଅବସର ନେଇଛନ୍ତି ।

ଏ କଥା ଠିକ୍ ଯେ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ର ଟେଷ୍ଟ ପ୍ରଦର୍ଶନରେ ଅବନତି ଘଟିଛି । ଉପରୋକ୍ତ ତାରକା ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି । ଭାରତ ମଧ୍ୟ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ସ୍ଥାନ ପାଇପାରି ନାହିଁ ।

Advertisment

ଗମ୍ଭୀରଙ୍କ ବ୍ଲୁ ପ୍ରିଣ୍ଟରେ ଫିଟ୍ ହୋଇପାରୁ ନାହାନ୍ତି କି ଭେଟେରାନ୍‌

ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ଯେତେବେଳେ ରୋହିତ ଓ ବିରାଟ କ୍ଷୁଦ୍ରତମ ଫର୍ମାଟ୍‌ରୁ ଅବସର ଘୋଷଣା କଲେ, ସେତେବେଳେ ତାହାକୁ ଯଥାର୍ଥ ନିଷ୍ପତ୍ତି ଏବଂ ବୟସକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ବିବେଚନା କରାଯାଇଥିଲା । କିନ୍ତୁ ଟେଷ୍ଟ କ୍ରିକେଟ୍‌ରୁ ଜଣେ ପରେ ଜଣେ ବଡ଼ ଖେଳାଳିଙ୍କ ଅବସର ଘୋଷଣା ନିଶ୍ଚିତରୂପେ ଚିନ୍ତାର ବିଷୟ ।

ରୋହିତ ମେ’ ୭ରେ ଓ ବିରାଟ ଏହାର ପାଞ୍ଚ ଦିନ ପରେ ୧୨ରେ ଟେଷ୍ଟ କ୍ରିକେଟ୍ ଛାଡ଼ିଥିଲେ । ବୟସ ଓ ଫର୍ମ ଦୃଷ୍ଟିରୁ ରୋହିତଙ୍କ ଟେଷ୍ଟରୁ ଅବସର ସେତେ ଅପ୍ରତ୍ୟାଶିତ ନ ଥିଲା । କିନ୍ତୁ ବିରାଟ ଆଉ କିଛି ବର୍ଷ ଖେଳିପାରିଥା’ନ୍ତେ ।

ଅଧିକ ପଢ଼ନ୍ତୁ: ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍

ଟେଷ୍ଟରେ ବିରାଟ ଜଣେ ବଡ଼ ଖେଳାଳି ଏବଂ ଟିମ୍‌ର ଅନ୍ୟତମ ଫିଟ୍ ଖେଳାଳି ମଧ୍ୟ । କିନ୍ତୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ପୂର୍ବ ଦୁଇ ଟେଷ୍ଟ ସିରିଜ୍ ରୋହିତ ଓ ବିରାଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ଦୁଇ ସିରିଜ୍‌ରେ ବିଫଳତା ଉଭୟଙ୍କ ଟେଷ୍ଟ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଥିଲା ।

ସେମାନଙ୍କ ପୂର୍ବରୁ ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ଅଶ୍ୱିନ କେବଳ ଟେଷ୍ଟ ନୁହେଁ, ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ତାଙ୍କ କ୍ଷେତ୍ରରେ ମଧ୍ୟ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌କୁ ଆଗକୁ ନେବା ଲାଗି ବୟସ ଓ ଫର୍ମ ଅନ୍ତରାୟ ସୃଷ୍ଟି କରିଥିଲା । ସେ ଅଷ୍ଟ୍ରେଲିଆ ଗସ୍ତ ମଝିରେ ଏଭଳି ବିସ୍ମୟକର ନିଷ୍ପତ୍ତି ନେଇଥିଲେ ।

ଚର୍ଚ୍ଚା ହେଉଛି ଯେ ଭବିଷ୍ୟତ ଯୋଜନା ଦୃଷ୍ଟିରୁ ସିନିଅର୍ ଖେଳାଳିମାନେ ମୁଖ୍ୟ କୋଚ୍ ଗମ୍ଭୀରଙ୍କ ବ୍ଲୁ ପ୍ରିଣ୍ଟରେ ଫିଟ୍ ହୋଇପାରୁ ନାହାନ୍ତି । ଗମ୍ଭୀର କୋଚ୍ ହେବା ପୂର୍ବରୁ ବି ଏହାକୁ ନେଇ ସମ୍ଭାବନା ବ୍ୟକ୍ତ କରାଯାଉଥିଲା । ଅବଶ୍ୟ ଏଭଳି ଚର୍ଚ୍ଚାରେ ସ୍ପଷ୍ଟତା ନାହିଁ ।

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଅଶ୍ୱିନ, ରୋହିତ ଓ ବିରାଟଙ୍କ ପରେ ଆଗକୁ କିଏ ନେବେ ଟେଷ୍ଟରୁ ଅବସର? କାହାର ପଡ଼ିବ ପାଳି?

ଏବେ ଯାହାଙ୍କ ନାମକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ।

ସୁରକ୍ଷିତ ନୁହେଁ ଜାଡ଼େଜାଙ୍କ ଟେଷ୍ଟ ଭବିଷ୍ୟତ

ଗତ ବର୍ଷ ରୋହିତ ଓ ବିରାଟ ଟି-୨୦ ଆନ୍ତର୍ଜାତିକରୁ ଅବସର ନେବା ପରେ ଜାଡ଼େଜା ବି କ୍ଷୁଦ୍ରତମ ଫର୍ମାଟ୍ ଛାଡ଼ିଥିଲେ । ଏବେ ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଓ ବିରାଟ ଅବସର ନେଇଥିବାରୁ ଜାଡ଼େଜା ମଧ୍ୟ ଉଭୟଙ୍କ ପଦାଙ୍କ ଅନୁସରଣ କରିପାରନ୍ତି ବୋଲି ଆଲୋଚନା ହେଉଛି ।

ଜାଡ଼େଜା ମଧ୍ୟ ଭାରତର ପୂର୍ବ ଦୁଇ ଟେଷ୍ଟ ସିରିଜ୍‌ରେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଏହାସତ୍ତ୍ୱେ ଟେଷ୍ଟରେ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ଅଲ୍‌ରାଉଣ୍ଡର୍ ହୋଇଥିବା ଦୃଷ୍ଟିରୁ ଇଂଲଣ୍ଡ ଗସ୍ତରେ ତାଙ୍କୁ ଟିମ୍‌ରେ ରଖାଯାଇପାରେ । କିନ୍ତୁ ଆଗାମୀ ଦିନରେ ଯେ ଟେଷ୍ଟ ଟିମ୍‌ରେ ତାଙ୍କ ସ୍ଥାନ ସୁରକ୍ଷିତ, ତାହା ଦୃଢ଼ କଣ୍ଠରେ କୁହାଯାଇପାରିବ ନାହିଁ ।

ତାଙ୍କୁ ୩୬ ବର୍ଷ ବୟସ ହେଲାଣି । ସେ ଏବେ ଟେଷ୍ଟ ଟିମ୍‌ର ସବୁଠାରୁ ବୟସ୍କ ଖେଳାଳି । ଇଂଲଣ୍ଡ ଗସ୍ତ ଟେଷ୍ଟରେ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ । ଯଦି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଇଂଲଣ୍ଡ ସିରିଜ୍‌ରେ ବି ସେ ବିଫଳ ହୁଅନ୍ତି, ତା’ହେଲେ ତାଙ୍କ ପକ୍ଷ ଛେଦନ ହୋଇପାରେ । ଅକ୍ଷର ପଟେଲ୍‌ଙ୍କ ଭଳି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ତାଙ୍କ ସ୍ଥାନ ନେଇପାରନ୍ତି ।

ଜାଡ଼େଜା ଏ ଯାବତ ୮୦ ଟେଷ୍ଟ ମ୍ୟାଚ୍ ଖେଳି ୩୩୭୦ ରନ୍ ସଂଗ୍ରହ କରିବା ସହ ୩୨୩ ୱିକେଟ୍ ନେଇଛନ୍ତି । ସେ ଜାଣନ୍ତି ଯେ ଅତୀତର ରେକର୍ଡ ଯଥେଷ୍ଟ ନୁହେଁ, ବର୍ତ୍ତମାନର ପ୍ରଦର୍ଶନ ଅଧିକ ଗୁରୁତ୍ୱ ରଖେ ।

ରାହାଣେ, ପୂଜାରା, ଈଶାନ୍ତ ଓ ଉମେଶଙ୍କ ନାଁ ବି ଚର୍ଚ୍ଚାରେ

କ୍ରିକେଟ୍ ମହଲରେ ଜାଡ଼େଜାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେହେଁ ସମ୍ଭାବ୍ୟ ତାଲିକାରେ ଅନେକ ଖେଳାଳି ଅଛନ୍ତି । ସେମାନଙ୍କୁ ଆଉ ଟେଷ୍ଟ ଟିମ୍‌ରେ ସୁଯୋଗ ମିଳୁ ନାହିଁ । ଭବିଷ୍ୟତରେ ବି ସୁଯୋଗ ମିଳିବାର ସମ୍ଭାବନା କ୍ଷୀଣ । ସେହି ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ବ୍ୟାଟର୍ - ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଏବଂ ପେସର୍ - ଈଶାନ୍ତ ଶର୍ମା ଓ ଉମେଶ ଯାଦବ ।

ପୂଜାରା ଓ ଉମେଶଙ୍କୁ ୩୭ ବର୍ଷ ବୟସ ହେଲାଣି ଆଉ ରାହାଣେ ଓ ଈଶାନ୍ତଙ୍କୁ ୩୬ ବର୍ଷ । ଏକଦା ସେମାନେ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ, ହେଲେ ଆଜି ଅଲୋଡ଼ା ହୋଇଯାଇଛନ୍ତି ।

ଗୋଟିଏ ସମୟ ଥିଲା, ରାହୁଲ ଦ୍ରାବିଡ଼ଙ୍କ ଭଳି ପୂଜାରାଙ୍କୁ ବି ‘ଭାରତର ପ୍ରାଚୀର’ କୁହାଯାଉଥିଲା । କିନ୍ତୁ ଦ୍ରାବିଡ଼ଙ୍କ ଭଳି ତାଙ୍କ କ୍ୟାରିଅର୍ ଦୀର୍ଘସ୍ଥାୟୀ ହୋଇପାରିଲାନି । ଟେଷ୍ଟ ଟିମ୍‌କୁ ତାଙ୍କ ପ୍ରତ୍ୟାବର୍ତ୍ତନର ବାଟ ପ୍ରାୟତଃ ବନ୍ଦ ହୋଇଗଲାଣି । ସେ ୨୦୨୩ରେ ଶେଷ ଥର ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୧୦୩ ଟେଷ୍ଟ ଖେଳି ୭୧୯୫ ରନ୍ ସଂଗ୍ରହ କରିଛନ୍ତି ।

ରାହାଣେ ଅତୀତରେ ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କ ନାମରେ ୮୫ ଟେଷ୍ଟରେ ୫୦୭୭ ରନ୍ ରହିଛି । ସେ ମଧ୍ୟ ୨୦୨୩ରେ ଶେଷ ଥର ଟେଷ୍ଟ ଖେଳିଥିଲେ ।

ଈଶାନ୍ତ ୨୦୨୧ରୁ ଆଉ ଟେଷ୍ଟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି । ସେ ୧୦୫ ଟେଷ୍ଟ ମ୍ୟାଚ୍ ଖେଳି ୩୧୧ ୱିକେଟ୍ ନେଇଛନ୍ତି । ଅନ୍ୟତମ ପେସର୍ ଉମେଶଙ୍କ ନାମରେ ୫୭ ଟେଷ୍ଟରେ ୧୭୦ ୱିକେଟ୍ ରହିଛି । ୨୦୨୩ରେ ସେ ଭାରତ ପକ୍ଷରୁ ଶେଷ ଥର ଖେଳିଥିଲେ ।

ଅଧିକ ପଢ଼ନ୍ତୁ: ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ; ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କଲେ

Virat Kohli Rohit Sharma Gautam Gambhir Test Cricket
Advertisment
Advertisment