• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଗୁରୁବାର, ମାର୍ଚ୍ଚ ୯ରୁ ସିରିଜର ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ । ତେବେ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନସ୍ ବର୍ଡର ଗାଭାସ୍କର ଟ୍ରଫି ୨୦୨୩ର ଫାଇନାଲ ମୁକାବିଲା ଅହମ୍ମଦବାଦରେ ଦେଖିବେ । ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ପ୍ରଧାନମନ୍ତ୍ରୀ ମୋଦି ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମ୍ୟାଚ୍ ର ପ୍ରଥମ ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ରହିଛି । ଅଷ୍ଟ୍ରେଲୀୟ ଗଣମାଧ୍ୟମ ଫକ୍ସ ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ର ପ୍ରଥମ ଘଣ୍ଟ ଖେଳକୁ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଏହାପରେ ଅନ୍ୟ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିବେ । ଅନ୍ୟପଟେ ନ୍ୟୁଜ ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲୀୟ ହାଇ କମିଶନର ବେରି ଓ'ଫେରୱେଲ, ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆଲବେନସ୍ ଏକାଠି ଖେଳ ଦେଖିବା ନେଇ କହିଛନ୍ତି କ୍ରିକେଟ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ନିବିଡ଼ କରୁଛି ।

ଷ୍ଟାଡିୟମରେ ଖେଳ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଷ୍ଟାଡିୟମରେ ପ୍ରାୟ ୮୫, ୦୦୦ ସିଟ୍ ଛାତ୍ରଛାତ୍ରୀ ଓ ପରିବାର ସଦସ୍ୟଙ୍କ ପାଇଁ ରିଜର୍ଭ ରହିବ । ଏଥିସହ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମର ଏକ ବଡ଼ ଅଂଶ ସଂପୂର୍ଣ୍ଣ ଖାଲି ମଧ୍ୟ ରହିବ।

ବ୍ୟୁରୋ ରିପୋର୍ଟ, ଓଟିଭି