ନିକଟରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ରେ କ୍ଲିନ୍ ସୁଇପ୍ ହେବା ପରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଦୁଇ ଭେଟେରାନ୍ ବ୍ୟାଟର୍ - ଅଧିନାୟକ ରୋହିତ ଓ ବିରାଟ ପ୍ରଶ୍ନଘେରକୁ ଚାଲିଆସିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତ ଉଭୟଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଏହି ଗସ୍ତରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟରେ ଉଭୟଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ ।
Also Read
ଆଜି ହୁଏତ ବିରାଟ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ର ଶେଷ ପର୍ଯ୍ୟାୟରେ ପହଞ୍ଚିଲେଣି ଏବଂ ବ୍ୟାଟିଂର ଚମକ ହରାଇଲେଣି, କିନ୍ତୁ ଏ କଥା ଭୁଲି ହେବନି ଯେ ନିଜର ଦକ୍ଷତା ବଳରେ ସେ ଦୀର୍ଘ ବର୍ଷ ଧରି ଟିମ୍ର ଅଭିନ୍ନ ଅଙ୍ଗ ରହିବା ସହ ବିଶ୍ୱ କ୍ରିକେଟ୍ରେ ରାଜତ୍ୱ କରିଆସିଛନ୍ତି ।
ବିରାଟ ରେଡ୍ ବଲ୍ କ୍ରିକେଟ୍ରେ ସଫଳ ନେତୃତ୍ୱ ନେଇ ଟିମ୍କୁ ଉଚ୍ଚତର ସୋପାନରେ ପହଞ୍ଚାଇଛନ୍ତି । ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଛନ୍ତି । କେବଳ ଟେଷ୍ଟ ନୁହେଁ, ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ମଧ୍ୟ ସେ ବିଶ୍ୱର ଶ୍ରେଷ୍ଠ ବ୍ୟାଟର୍ଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି ।
ଅଧିକ ପଢ଼ନ୍ତୁ: Sports: ଟେଷ୍ଟରେ କିଏ ହେବେ ରୋହିତଙ୍କ ଉତ୍ତରାଧିକାରୀ - ବୁମ୍ରା ନା ପନ୍ତ
ଟେଷ୍ଟରେ ଭାରତର ସବୁଠାରୁ ସଫଳ ଅଧିନାୟକ:
ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଆଇସିସି ଟ୍ରଫି ହାସଲ କରିଛି । କିନ୍ତୁ ବିରାଟ କୋହଲି ଅଧିନାୟକ ଭାବେ କେବେ ବି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିପାରି ନାହାନ୍ତି ।
କିନ୍ତୁ ଯେତେବେଳେ ଟେଷ୍ଟ କ୍ରିକେଟ୍ ବିଷୟରେ ଆଲୋଚନା ହୁଏ, ସେତେବେଳେ ଅଧିନାୟକ ଭାବେ ସେ ତାଙ୍କ ଧୋନି ଓ ରୋହିତଙ୍କୁ ପଛରେ ପକାନ୍ତି ।
ନଭେମ୍ବର ୫ରେ ୩୬ ବର୍ଷ ବୟସରେ ପଦାର୍ପଣ କରିଥିବା ବିରାଟ ଟେଷ୍ଟ କ୍ରିକେଟ୍ରେ ଭାରତର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ ଟେଷ୍ଟ ଖେଳି ୪୦ ମ୍ୟାଚ୍ ଜିତିଥିବା ବେଳେ ୧୭ ମ୍ୟାଚ୍ ହାରିଛି ଏବଂ ଅବଶିଷ୍ଟ ୧୧ ଟେଷ୍ଟ ଡ୍ର’ ରହିଛି ।
ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଘରେ ସମସ୍ତ ଟେଷ୍ଟ ସିରିଜ୍ ଉପରେ କବ୍ଜା କରିଛି । ସେ ପ୍ରଥମ ଥର ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍କୁ ଟେଷ୍ଟ ସିରିଜ୍ ଜିତାଇଥିଲେ ।
ତାଙ୍କ ନେତୃତ୍ୱ କାଳରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଥିଲା । ଏହାଛଡ଼ା ଟିମ୍ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ପହଞ୍ଚିଥିଲା ।
ବିରାଟ ଟେଷ୍ଟ କ୍ରିକେଟ୍ରେ ଏ ଯାବତ ୯୦୪୦ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ଥିବା ସମୟରେ ରେକର୍ଡ ସାତ ଦ୍ୱିଶତକ ସହ ୫୮୬୪ ରନ୍ କରିଥିଲେ ।
ଘରେ ଜିତିଛନ୍ତି ସମସ୍ତ ୧୧ ସିରିଜ୍:
ଧୋନି ଓ ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଘରେ ବି ଟେଷ୍ଟ ସିରିଜ୍ ହାରିଛି । କିନ୍ତୁ ବିରାଟଙ୍କ ନେତୃତ୍ୱରେ ଏମିତି କେବେ ହୋଇ ନାହିଁ ।
ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ସିରିଜ୍ରେ କ୍ଲିନ୍ ସୁଇପ୍ର ଶିକାର ହେବା ତ ଦୂରର କଥା, ତାଙ୍କ ଅଧିନାୟକତ୍ୱରେ ଟିମ୍ କେବେ ସିରିଜ୍ ହାରି ନାହିଁ । ସେ ଭାରତ ମାଟିରେ ୧୧ ଟେଷ୍ଟ ସିରିଜ୍ରେ ଅଧିନାୟକତ୍ୱ କରିଛନ୍ତି ଏବଂ ଟିମ୍ ସମସ୍ତ ସିରିଜ୍ ଜିତିଛି ।
ବିରାଟ ୨୦୧୫ରେ ପ୍ରଥମ ଥର ଘରୋଇ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସେହି ସିରିଜ୍କୁ ଭାରତ ୩-୦ରେ ଜିତିଥିଲା ।
ଘରେ ମାତ୍ର ଦୁଇ ପରାଜୟ:
ବିରାଟଙ୍କ ଅଧିନାୟକତ୍ୱ ସମୟରେ ବିଦେଶୀ ଟିମ୍ ଭାରତରେ ଟେଷ୍ଟ ଡ୍ର’ କରାଇବାକୁ ବି ସଫଳତା ବିବେଚନା କରୁଥିଲେ ।
ବିରାଟ ଘରେ ମୋଟ୍ ୩୧ ଟେଷ୍ଟରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରୁ ଟିମ୍ ୨୪ ମ୍ୟାଚ୍ ଜିତିଥିବା ବେଳେ ପାଞ୍ଚ ମ୍ୟାଚ୍ ଡ୍ର’ ରହିଥିଲା ।
ଏହି ସମୟରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ କରିଥିବା ବେଳେ ନ୍ୟୁଜିଲାଣ୍ଡକୁ ଦୁଇ ଟେଷ୍ଟ ସିରିଜ୍ରେ ମାତ୍ ଦେଇଥିଲା ।
ତାଙ୍କ ନେତୃତ୍ୱରେ ଟିମ୍ ମାତ୍ର ଦୁଇ ଟେଷ୍ଟ ମ୍ୟାଚ୍ ହାରିଛି - ୨୦୧୭ରେ ଅଷ୍ଟ୍ରେଲିଆ ଓ ୨୦୨୧ରେ ଇଂଲଣ୍ଡ ଠାରୁ ।
ବିଦେଶରେ ୧୬ ଟେଷ୍ଟ ବିଜୟ:
ବିଦେଶରେ ବିରାଟ ୩୭ ଟେଷ୍ଟରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରେ ଭାରତ ୧୬ ମ୍ୟାଚ୍ ଜିତିଛି ଏବଂ ୧୫ ମ୍ୟାଚ୍ ହାରିଛି ଯେତେବେଳେକି ଅନ୍ୟ ଛଅ ମ୍ୟାଚ୍ ଡ୍ର’ ରହିଥିଲା ।
୨୦୧୮ରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶଗୁଡ଼ିକରେ ସାତ ଟେଷ୍ଟ ଜିତିଥିଲା ।
ଏହାଛଡ଼ା ତାଙ୍କ ନେତୃତ୍ୱରେ ଟିମ୍ ବାଂଲାଦେଶ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ରେ ୧୩ ଟେଷ୍ଟ ଖେଳି ନଅ ମ୍ୟାଚ୍ରେ ବିଜୟ ହାସଲ କରିଛି ।
ସେଥିମଧ୍ୟରେ ଟିମ୍ ମାତ୍ର ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ତିନି ମ୍ୟାଚ୍ ବର୍ଷା ଯୋଗୁଁ ଡ୍ର’ ରହିଥିଲା । ଏଥିରେ ଦୁଇ କ୍ଲିନ୍ ସୁଇପ୍ ବି ଅନ୍ତର୍ଭୁକ୍ତ ।
ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍ ବିଜୟ:
ବିରାଟ ୨୦୧୮ରେ ପ୍ରଥମ ଥର ଅଷ୍ଟ୍ରେଲିଆରେ ଭାରତକୁ ଟେଷ୍ଟ ସିରିଜ୍ (୨-୧ରେ) ଜିତାଇଥିଲେ । ୨୦୨୧ରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଟିମ୍ ଇଣ୍ଡିଆ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ କ୍ରମାଗତ ଦ୍ୱିତୀୟ ଟେଷ୍ଟ ସିରିଜ୍ ହାତେଇଥିଲା । ବିରାଟ ବ୍ୟକ୍ତିଗତ କାରଣରୁ ସେହି ସିରିଜ୍ରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ ।
୨୦୨୧ରେ ସେ ଇଂଲଣ୍ଡକୁ ଟେଷ୍ଟ ସିରିଜ୍ରେ ହରାଇବାର ନିକଟବର୍ତ୍ତୀ ହୋଇଥିଲେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ଚାରି ମ୍ୟାଚ୍ ସୁଦ୍ଧା ଭାରତ ୨-୧ରେ ଆଗରେ ଥିଲା ।
ତେବେ କରୋନା ମହାମାରୀ ଯୋଗୁଁ ପଞ୍ଚମ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା, ଯାହାକି ୨୦୨୨ରେ ଖେଳାଯାଇଥିଲା । କିନ୍ତୁ ବିରାଟ ସେତେବେଳକୁ ଅଧିନାୟକତ୍ୱ ଛାଡ଼ିସାରିଥିଲେ । ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତ ପଞ୍ଚମ ମ୍ୟାଚ୍ ହାରିଥିଲା ଏବଂ ସିରିଜ୍ ୨-୨ରେ ଡ୍ର’ ରହିଥିଲା ।
ବିରାଟ ସେନା ଦେଶରେ ଭାରତକୁ ଟେଷ୍ଟ ସିରିଜ୍ ଜିତିବା ଶିଖାଇଥିଲେ । ଏହା ପୂର୍ବରୁ ଏହି ଦେଶଗୁଡ଼ିକରେ ଟିମ୍ ଇଣ୍ଡିଆ ଗୋଟିଏ ମ୍ୟାଚ୍ ଜିତିଲେ, ତାହାକୁ ସଫଳତା ବିବେଚନା କରାଯାଉଥିଲା । ସେଥିପାଇଁ ତାଙ୍କ ଟେଷ୍ଟ ଅଧିନାୟକତ୍ୱର ଗୁରୁତ୍ୱ ଅଧିକ ।
ସେନା ଦେଶଗୁଡ଼ିକରେ ବିରାଟଙ୍କ ନେତୃତ୍ୱରେ ଟିମ୍ ୨୪ ଟେଷ୍ଟ ଖେଳି ସାତ ମ୍ୟାଚ୍ ଜିତିଥିବା ବେଳେ ୧୪ ମ୍ୟାଚ୍ରେ ପରାଜିତ ହୋଇଛି । ଅନ୍ୟ ତିନି ମ୍ୟାଚ୍ ଡ୍ର’ ରହିଛି ।
ବିଦେଶରେ ବି ଧୋନିଙ୍କ ଠାରୁ ବିରାଟ ଆଗରେ:
ଟେଷ୍ଟରେ ବିରାଟଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୬୦ ଟେଷ୍ଟ ଖେଳି ୨୭ ମ୍ୟାଚ୍ ଜିତିଥିବା ବେଳେ ୧୮ ମ୍ୟାଚ୍ ହାରିଛି । ଏହାଛଡ଼ା ୧୫ ଟେଷ୍ଟ ଡ୍ର’ ରହିଛି ।
ଧୋନି ବିଦେଶରେ ଭାରତକୁ ୩୦ରୁ ଛଅ ଟେଷ୍ଟରେ ଜିତାଇଛନ୍ତି । ସେନା ଦେଶଗୁଡ଼ିକରେ ସେ ମାତ୍ର ତିନି ଟେଷ୍ଟ ଜିତିପାରିଥିଲେ ଏବଂ ୧୪ ମ୍ୟାଚ୍ ହାତଛଡ଼ା କରିଥିଲେ ।
ଅନ୍ୟପଟେ, ବିରାଟ ବିଦେଶରେ ୩୭ ଟେଷ୍ଟରେ ଟିମ୍ର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ଟିମ୍ ୧୬ ମ୍ୟାଚ୍ ଜିତିଥିବା ବେଳେ ୧୫ ମ୍ୟାଚ୍ ହାରିଛି ଏବଂ ଅନ୍ୟ ଛଅ ମ୍ୟାଚ୍ ଡ୍ର’ ରହିଛି ।
ତେବେ ଧୋନି ଘରେ ୩୦ ଟେଷ୍ଟରେ ଅଧିନାୟକତ୍ୱ କରିଥିବା ବେଳେ ଟିମ୍ ୨୧ ମ୍ୟାଚ୍ରେ ବିଜୟ ହାସଲ କରିଛି ଏବଂ ତିନି ମ୍ୟାଚ୍ ହାରିଛି । ଅବଶିଷ୍ଟ ଛଅ ମ୍ୟାଚ୍ ଡ୍ର’ ରହିଛି ।
ବହୁତ ଦୂରରେ ରୋହିତ:
୨୦୧୩ରେ ରୋହିତ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିବା ପରେ ୬୪ ମ୍ୟାଚ୍ ଖେଳିଛନ୍ତି ଯେତେବେଳେକି ଏହି ସମୟରେ ଭାରତୀୟ ଟିମ୍ ୧୧୨ ମ୍ୟାଚ୍ ଖେଳିଛି । ଏହାର କାରଣ ସେ ବିଦେଶ ମାଟିରେ ଆଶାଜନକ ପ୍ରଦର୍ଶନ କରିପାରୁ ନ ଥିଲେ ।
୨୦୨୧ରୁ ବିଦେଶରେ ତାଙ୍କ ଟେଷ୍ଟ ପ୍ରଦର୍ଶନରେ ସୁଧାର ହୋଇଥିଲା ଏବଂ ସେ ଟେଷ୍ଟ ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ କରିପାରିଥିଲେ ।
ବିରାଟଙ୍କ ପରେ ରୋହିତ ଟେଷ୍ଟ ଟିମ୍ର ଅଧିନାୟକ ହେଲେ । ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏ ଯାବତ ୨୧ ଟେଷ୍ଟ ଖେଳି ୧୨ ମ୍ୟାଚ୍ ଜିତିଥିବା ବେଳେ ସାତ ମ୍ୟାଚ୍ ହାରିଛି ଏବଂ ଦୁଇ ମ୍ୟାଚ୍ ଡ୍ର’ ରହିଛି । ସାତ ପରାଜୟ ମଧ୍ୟରେ ଟିମ୍ ଘରେ ପାଞ୍ଚ ମ୍ୟାଚ୍ରେ ବିଫଳ ହୋଇଛି, ଯେଉଁଥିରେ ନ୍ୟୁଜିଲାଣ୍ଡ ଠାରୁ ୦-୩ରେ ସିରିଜ୍ ପରାଜୟ ଅନ୍ତର୍ଭୁକ୍ତ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)