ମହମ୍ମଦ ସିରାଜ । ଟିମ୍ ଇଣ୍ଡିଆର ଫାଷ୍ଟ ବୋଲର । ତାଙ୍କ ଶବ୍ଦକୋଷରେ ନାହିଁ ‘ଅସମ୍ଭବ’ । ସିରାଜ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ସାହାସ ଥିଲେ ସବୁକିଛି ସମ୍ଭବ । ଇଂଲଣ୍ଡର ଓଭାଲ ଟେଷ୍ଟରେ ସେ ଏପରି ଏକ କାରାନାମା କରିଛନ୍ତି ଯାହା ଦୀର୍ଘ ଦିନ ପାଇଁ କ୍ରିକେଟ୍ ଫ୍ୟାନ୍ଙ୍କ ମନରେ ରହିବ । ଗୋଟିଏ ସମୟରେ ଲାଗୁଥିଲା ଭାରତ ପଞ୍ଚମ ଟେଷ୍ଟରେ ପରାଜୟ ବରଣ କରିବ । କିନ୍ତୁ ମହମ୍ମଦ ସିରାଜଙ୍କ ଦୃଢ଼ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ଇଂଲଣ୍ଡ ମୁହଁରୁ ଭାରତ ମ୍ୟାଚ୍କୁ ଛଡ଼ାଇ ଆଣିଲା । ଆଉ ଏହି ଐତିହାସିକ ବିଜୟର ମୁଖ୍ୟ କର୍ଣ୍ଣଧାର ଥିଲେ ସିରାଜ । ଯିଏକି ପଞ୍ଚମ ଟେଷ୍ଟର ଚତୁର୍ଥ ଦିନରେ ହ୍ୟାରୀ ବ୍ରୁକ୍ଙ୍କ କ୍ୟାଚ୍ ଛାଡ଼ି ଭାରତୀୟ କ୍ରିକେଟ ଫ୍ୟାନ୍ଙ୍କ ନଜରରେ ଭିଲେନ୍ ହୋଇଯାଇଥିଲେ, ସେ କିନ୍ତୁ ସୋମବାର ହୋଇଗଲେ ହିରୋ ।
ତେବେ ଭାରତର ଏହି ଏତିହାସିକ ବିଜୟ ପରେ, ମହମ୍ମଦ ସିରାଜ କହିଥିଲେ, 'ସକାଳେ ଯେତେବେଳେ ମୁଁ ଉଠିଲି, ମୁଁ ନିଜକୁ କହିଲି ଯେ ମୋତେ ଏହି ମ୍ୟାଚ୍କୁ ଜିତାଇବାକୁ ପଡ଼ିବ । ଏହା ପରେ ମୁଁ ଗୁଗୁଲରୁ BELIEVE ଇମୋଜି ୱାଲପେପର ସେଟ୍ କଲି । ଆଉ ମୁଁ ନିଜକୁ କହିଲି, ମୁଁ ଦେଶ ପାଇଁ ଏହା କରିବି’। ଯାହା ଲେଖିଥିଲି ତାହା କାମ କରିଲା ବୋଲି ସିରାଜ କହିଛନ୍ତି ।
Also Read
ସେପଟେ ଇଂଲଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି ମହମ୍ମଦ ସିରାଜ । ସେ ଏବେ ଇଂଲଣ୍ଡ ମାଟିରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ହୋଇସାରିଛନ୍ତି । ୨୦୨୫ରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସେ ମୋଟ 23 ୱିକେଟ୍ ନେଇଥିଲେ । କେବଳ ଓଭାଲ୍ ଟେଷ୍ଟରେ ମୋଟ 9 ୱିକେଟ୍ ନେଇଥିଲେ ସିରାଜ ।
ଓଭାଲରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ଆଉ ଏହି ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ଭାରତ । ଏହା ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ପ୍ରତ୍ୟାବର୍ତ୍ତନ ମଧ୍ୟ ଅନ୍ୟତମ ଅଟେ । ଓଭାଲରେ ଐତିହାସିକ ବିଜୟ ହାସଲ କରି ଇଂଲଣ୍ଡର ଗର୍ବ ଭାଙ୍ଗିଥିଲା ଭାରତ । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂରେ ଘାଇଲା ହୋଇଥିଲେ ଇଲିଂସ ବ୍ୟାଟର୍ । ପଞ୍ଚମ ଟେଷ୍ଟରେ ଘରୋଇ ଦଳକୁ ୬ ରନ୍ରେ ମାତ୍ ଦେଲା ଭାରତ । ଶେଷ ଟେଷ୍ଟରେ ବିଜୟ ସହ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିକୁ ୨-୨ରେ ବରାବର୍ କରିଛି ମେନ୍ ଇନ୍ ବ୍ଲୁ ।