ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୩୦୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଇନିଂସର ସପ୍ତମ ଓଭରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ଏହା ପରେ ତୁରନ୍ତ ସବୁ ଲାଇଟ ଆସିଥିଲା। ମାତ୍ର ଖେଳାଳି ମାନେ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ଅମ୍ପାୟାରଙ୍କ ସହ ପରାମର୍ଶ କ୍ରମେ ଉଭୟ ଦଳର ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଖେଳ ବନ୍ଦ ହେବା ବେଳକୁ ରୋହିତ ଶର୍ମା ୨୯ ଓ ଓ ଶୁବମନ ଗିଲ ୧୭ ରନରେ ବ୍ୟାଟିଂ କରୁଥିଲେ।
ରବିବାର ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଏହି ଦୁଇ ଖେଳାଳି ଖେଳିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।
ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ, ଭାରତ ଆଗରେ ୩୦୫ ରନର ଟର୍ଗେଟ
ପ୍ରଥମ ୱିକେଟ ପତନର ଠିକ ୫ ଓଭର ପରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ ବେନ ଡକେଟ। ଡକେଟ ୫୬ ବଲ ଖେଳି ୧୦ ଚୌକା ସହ ୬୫ ରନ ସ୍କୋର କରିଥିଲେ। ଜୋ ରୁଟ ଇଂଲଣ୍ଡ ଇନିଂସର ଟପ ସ୍କୋରର ରହିଥିବା ବେଳେ ୬୯ ରନ କରିଥିଲେ। ୭୨ ବଲ ଖେଳି ରୁଟ ୬ ଚୌକା ମାରିଥିଲେ। ପରବର୍ତ୍ତୀ ବ୍ୟାଟରଙ୍କ ମଧ୍ୟରେ ସମସ୍ତେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ ସ୍କୋର କରି ପାରି ନ ଥିଲେ।
ହ୍ୟାରୀ ବ୍ରୁକ ୩୧, ଅଧିନାୟକ ଜୋସ ବଟଲର ୩୪ ଓ ଲିଆମ ଲିଭିଙ୍ଗଷ୍ଟୋନ ୪୧ ରନ ସ୍କୋର କରିଥିଲେ। ଏକଦା ଇଂଲଣ୍ଡ ୩୪୦ ରୁ ଅଧିକ ରନ କରିବାର ଆଶା କରାଯାଉଥିଲା। ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ଦିଗହରା ହୋଇ ଯାଇଥିଲା। ଜେମି ଓଭରଟନ ୬ ଓଗସ ଆଟକିନସନ ୩ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସଫଳ ବୋଲର ଭାବରେ ୩ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।