Offline Ticket for Barabati ODI: ବାରବାଟୀ ଦିନିକିଆ: ମହିଳାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର

ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି ।

ମହିଳାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର

ଫେବୃଆରୀ ୯ରେ କମ୍ପିବ ବାରବାଟୀ । ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ପ୍ରାୟ ୫ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ODI ମ୍ୟାଚ୍‌ । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବା ପାଇଁ ଉତ୍ସାହିତର ସହ ଚାହିଁ ରହିଛନ୍ତି ସବୁ କ୍ରିକେଟ୍‌ ପ୍ରେମୀ । ଫେବୃଆରୀ ୯ରେ ହେବାକୁ ଥିବା ଦିନିକିଆ ମୁକାବିଲା ପାଇଁ ୫ ତାରିଖରୁ ଆରମ୍ଭ ହେବ ଅଫଲାଇନ୍‌ ଟିକେଟ୍‌ ବିକ୍ରି । ତେବେ ଏଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର କରାଯାଇଛି । ତେବେ ଦ୍ବିତୀୟ ଥର ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଏହି ବ୍ୟବସ୍ଥା କରିଛି ।

ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି । ମହିଳାଙ୍କ କାଉଣ୍ଟରରେ ବି ଏହି ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣକୁ ୨ଟି ଟିକେଟ ହିଁ ମିଳିବ । ତେବେ ଏଥର କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକେଟ୍‌ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ, ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଏମିତି କରନ୍ତୁ ବୁକିଂ...

ସେପଟେ ବିଗତ କିଛି ବର୍ଷ ହେବ ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ଅନୁମତି ମିଳୁନି । ଶେଷ ଥର ପାଇଁ ୧୯୯୫ ମସିହାରେ ବାରବାଟୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ଏହାପରଠୁ ବାରବାଟୀରେ ଆଉ କୌଣସି ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହୋଇନାହିଁ । ସେହିପରି ବହୁ ବର୍ଷ ବ୍ୟବଧାନରେ ଗୋଟିଏ କି ଦୁଇଟି ODI ମ୍ୟାଚ ମିଳୁଛି । ୨୦୧୯ ପରେ ଇଣ୍ଡିଆ –ଇଂଲଣ୍ଡ ମ୍ୟାଚ୍‌ ଅନୁଷ୍ଠିତ ହେଉଛି । ତେଣୁ ଲୋକଙ୍କ ଭିତରେ ନାହିଁ ନଥିବା କ୍ରେଜ୍‌ ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫ୍ୟାନ୍‌ ବୋଧହୁଏ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଦୁଇ ଷ୍ଟାରଙ୍କୁ ଖେଳୁଥିବାର ଦେଖିବାକୁ ସୁଯୋଗ ପାଇବେ ।

ସୂଚନା ଅନୁସାରେ ବାରବାଟୀରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ରବିବାର (ଫେବୃଆରୀ ୨ରେ) ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା । ମାତ୍ର ୪ ହଜାର ଟିକେଟ୍‌ ଅନଲାଇନରେ ବିକ୍ରି ହୋଇଥିଲା । କିନ୍ତୁ ଏହି ଟିକେଟ୍‌ ମାତ୍ର ୧ ମିନିଟ୍‌ ମଧ୍ୟରେ ଶେଷ ହୋଇଯାଇଥିଲା । ଏମିତି କି ମାତ୍ର ୪ ହଜାର ଟିକେଟ୍‌ ପାଇଁ ୬୦ ହଜାରରୁ ଅଧିକ ଲୋକ କ୍ୟୁ’ରେ ରହିଥିବା ଦେଖିବାକୁ ମିଳିଥିଲା । ତେଣୁ ଲୋକଙ୍କ ଏତେ କ୍ରେଜ୍‌ ମଧ୍ୟରେ ଅଫଲାଇନ ଟିକେଟ୍‌ ବିକ୍ରି ଓସିଏ ପାଇଁ ଚିନ୍ତାର କାରଣ ପାଲଟିଛି ।

ଅଧିକ ପଢ଼ନ୍ତୁ: ଅଭିଷେକ ଶର୍ମାଙ୍କ ଶତକ, ୪-୧ରେ ସିରିଜ ଜିତିଲା ଭାରତ