ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆକୁ ଆଉ ମାତ୍ର ୬ ଦିନ ବାକି ଅଛି । ତେବେ ଏନେଇ ଆଜି ଅନଲାଇନରେ ଟିକେଟ ବିକ୍ରି ହୋଇଛି । ତେବେ ହାଇ ଡିମାଣ୍ଡ କାରଣରୁ ମାତ୍ର ଅଧା ଘଣ୍ଟା ଭିତରେ ବିକ୍ରି ହୋଇଗଲା ଗ୍ୟାଲେରୀ ଟିକେଟ୍ । ଅନଲାଇନରେ ମୋଟ୍ ୪ ହଜାର ଟିକେଟ ବିକ୍ରି ହେବାକୁ ଥିଲା । ଯେତିକି ଟିକେଟ୍ ଥିଲା ତାଠୁ ଢେର ଗୁଣା ଅଧିକ ଦର୍ଶକ ଅନଲାଇନରେ ବୁକ୍ କରିବାକୁ ପ୍ରୟାସ କରିଥିଲେ । ଯାହାଙ୍କୁ ମିଳିଲା ସେମାନେ ଖୁସି । ଯିଏ ପାଇଲେନି ସେମାନେ ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରୁ ଟିକେଟ୍ କିଣି ମ୍ୟାଚ୍ ଦେଖିବାକୁ ଆଶା ବାନ୍ଧିଛନ୍ତି ।
ସେପଟେ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ବି ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ଅନଲାଇନରେ ହେଲା ଟିକେଟ ବିକ୍ରି । ୱେବସାଇଟ୍ ଖୋଲିବା କ୍ଷଣି ଜାମ୍ । ଲଗଇନ୍ କରୁ କରୁ ହଜାର ହଜାର ୱେଟିଂ । କିଏ ୪୭ ହଜାର ପଛରେ ରହିଗଲା ତ ପୁଣି କାହାକୁ ଦେଖାଇଲା ୬୫ ହଜାର ୱେଟିଂ । ଅଧାଘଣ୍ଟା ମଧ୍ୟରେ ଭିତରେ ୨, ୪, ୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ୍ ଏନକ୍ଲୋଜର A ବ୍ଲକ୍ ଟିକେଟ୍ ବିକ୍ରି ହୋଇଗଲା । କେବଳ ୮ ହଜାର ଟଙ୍କିଆ ଏସି ବକ୍ସ ଗ୍ୟାଲେରୀ ୪ ଓ ୧୦ ହଜାର ଟଙ୍କା ଥିବା ନିଉ ପାଭିଲନ୍ ଫାଷ୍ଟ ଫ୍ଲୋର ଟିକେଟ ଉପଲବ୍ଧ ରହିଥିଲା ।
Also Read
ଯିଏ ପାଇଲେ ସିଏ ଖୁସ୍, ଯାହାକୁ ଟିକେଟ ମିଳିଲାନି ସେମାନେ ନିରାଶ । ଏବେ ୫ ଓ ୬ ତାରିଖରେ ହେବାକୁ ଥିବା କାଉଣ୍ଟର ସେଲକୁ ଅପେକ୍ଷା। ବିରାଟ, ରୋହିତ, ସାମିଙ୍କୁ ଦେଖିବା ପାଇଁ ଉତ୍ସାହିତ ଫ୍ୟାନ୍ । ଯେମିତି ବି ହେଉ ଟିକେଟ ଖଣ୍ଡେ ପାଇବାକୁ ଆଶା ବାନ୍ଧିଛନ୍ତି । ବାରବାଟୀରେ ୪୫ ହଜାର ଦର୍ଶକ ବସିବା କ୍ଷମତା ଥିବା ବେଳେ ଏଥିରୁ ୨୪ ହଜାର ଟିକେଟ ବିକ୍ରି କରାଯାଉଛି । ଅନଲାଇନରେ ୪ ହଜାର, ଓସିଏ ଅନୁବନ୍ଧିତ ସଂସ୍ଥାକୁ ୮ ହଜାର ଓ କାଉଣ୍ଟରରେ ବିକ୍ରି ହେବ ୧୨ ହଜାର ଟିକେଟ ।
ଅଧିକ ପଢ଼ନ୍ତୁ: ଜୀବନର ବଡ଼ କଥା କହିଲେ ସଚିନ ତେନ୍ଦୁଲକର...ମୋ ବାପାଙ୍କର ଦେହାନ୍ତ ପରେ...
ବଳକା ଟିକଟଗୁଡ଼ିକୁ ପାସ୍ ଆକାରରେ ଓସିଏ ପକ୍ଷରୁ ବଣ୍ଟାଯିବ । ଅନଲାଇନରେ ଟିକଟ କିଣିଥିବା ଦର୍ଶକ ୭ରୁ ୯ ତାରିଖ ଭିତରେ କାଉଣ୍ଟରରେ ରିଡିମ୍ କରିବେ । ଅପରପକ୍ଷରେ ମ୍ୟାଚ୍ ପାଇଁ ସଜେଇ ହେଲାଣି ବାରବାଟୀ । ଷ୍ଟାଡିୟମ ଭିତର ଓ ବାହାର ନୂଆ ରୂପରେ ଝଲସିଲାଣି । ପିଚ୍, ଆଉଟ୍ ଫିଲ୍ଡରୁ ଆରମ୍ଭ କରି ଗ୍ୟାଲେରୀ, ସବୁ ଚକାଚକ୍ । ବିସିସିଆଇର ପରାମର୍ଶ ଅନୁସାରେ ପିଚ୍ ରେ ରୋଲିଂ ଓ ୱାଟରିଂ ଭଳି କାମ ନିର୍ଦ୍ଧାରିତ ସମୟରେ କରାଯାଉଛି । ଉଚ୍ଚକୋଟିର ମ୍ୟାଚ୍ ହେଲା ଭଳି ଆଉଟ୍ ଫିଲ୍ଡ ପ୍ରସ୍ତୁତ କରିଛି ଓସିଏ ।
ଦିବାରାତ୍ର ମ୍ୟାଚ୍ ହୋଇଥିବାରୁ କାକର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଗ୍ରାଉଣ୍ଡକୁ ଚେସ୍ ବୋର୍ଡର ରୂପ ଦେବାକୁ ଚାଲିଛି କାମ । ଅହରହ ଲାଗିଛନ୍ତି ଷ୍ଟାଫ୍। ଗ୍ରୀନ୍ ଗ୍ରୀନ୍ ଗ୍ରାଉଣ୍ଡ ମନମୋହୁଛି । ଏଥିପାଇଁ ଅଷ୍ଟ୍ରେଲିଆରୁ ସାର ଆଉ ଆମେରିକାରୁ ଘାସ କଟିଂ ପାଇଁ ଆସିଛି ସ୍ବତନ୍ତ୍ର ମେସିନ୍ । ସେପଟେ ଗ୍ୟାଲେରୀ ସବୁ ତୟାର ହେଲାଣି । ପ୍ୟାଭିଲିୟନ, କର୍ପୋରେଟ ବକ୍ସ ଆଦି କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୬ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ନାହିଁ ନଥିବା କ୍ରେଜ୍ ଦେଖିବାକୁ ମିଳୁଛି ।