ନଦୀକୁ ମାଛ ଧରିବାକୁ ଯାଇଥିଲେ ମତ୍ସଜୀବୀ। ହେଲେ ସେଠାରେ ସେମାନଙ୍କ ହାତରେ ଏମିତି ଜିନିଷ ଲାଗିଥିଲା, ଯାହା କେବେବି ସେମାନେ କଳ୍ପନା ହିଁ କରିନଥିଲେ। ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ। ଆମେରିକାର ମୋଣ୍ଟାନାରେ ଏହି ଘଟଣା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ଏକ ଡଙ୍ଗାରେ ୩ ଜଣ ମତ୍ସଜୀବୀ ମୋଣ୍ଟାନା ନଦୀରେ ମାଛ ଧରିବା ପାଇଁ ବାହାରିଥିଲେ। ତେବେ ନଦୀ ନିକଟରେ ଥିବା ୧୦୦ ବର୍ଷର ସୁଡ଼ଙ୍ଗ ଦେଇ ଅତିକ୍ରମ କରୁଥିବା ବେଳେ ଏକ ମାଲ୍ବାହୀ ଟ୍ରେନ୍ ରେଲ୍ ଟ୍ରାକ୍ରୁ ବାହାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍ର ୭ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ବଗିରେ ଥିବା ମଦ ପେଟି ନଦୀକୁ ଖସି ପଡ଼ିଥିଲା। ଯେତେବେଳେ ମତ୍ସଜୀବୀମାନେ ଏହା ନିକଟରେ ପହଞ୍ଚିଥିଲେ, ଚାରିଆଡ଼େ ଖାଲି ମଦ କେନ୍ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ମାଲ୍ବାହୀ ଟ୍ରେନ୍ରେ Coors Light ଓ Blue Moon କମ୍ପାନୀର ମଦ ବୋତଲ ବୋଝେଇ ହୋଇ ଯାଉଥିଲା।

ରବିବାର ଘଟିଥିବା ଏହି ଘଟଣାର ଦୃଶ୍ୟ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଉଛି। ଏକ ଫଟୋରେ ଡଙ୍ଗାରେ ୩ ଜଣ ଲୋକ ବସିଛନ୍ତି। ହାତରେ ସେମାନେ କାତ ଧରି ଥିବାବେଳେ ଆଖପାଖରେ ମଦ ପେଟି ସବୁ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବଗି ଲାଇନ୍ଚ୍ୟୁତ ହେବା ପରେ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

ଘଟଣାକୁ ନେଇ ରେସ୍କ୍ୟୁ ଟିମ୍ ଅଧିକାରୀ କହିଛନ୍ତି, ସୁଡ଼ଙ୍ଗରେ ମାଲ୍ବାହୀ ଟ୍ରେନ୍ ୭ଟି ବଗି ଲାଇନ୍ଚ୍ୟୁତ ହୋଇଛି। କେଉଁ କାରଣ ପାଇଁ ଟ୍ରେନ୍ ଲାଇନ୍ଚ୍ୟୁତ ହେଲା ସେନେଇ ଯାଞ୍ଚ ଚାଲିଛି।
