• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶ ଜାଣିଛି ମୁକେଶ ଅମ୍ବାନୀଙ୍କ ପରବାରର ଚଳଣି । ବିଶ୍ୱର ଦ୍ୱିତୀୟ ବିଳାପୂର୍ଣ୍ଣ ଘରେ ରହୁଥିବା ଏହି ପରିବାରର ଚାଲି ଚଳଣି କାହାକୁ ବା ଅଛପା । ସେମାନଙ୍କର ବିଳାପୂର୍ଣ୍ଣ ଜୀବନ ଯାପନକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ । ତାଙ୍କ ଘରେ କାମ କରୁଥିବା ଡ୍ରାଇଭର, ରୋଷେୟା ତଥା ସିକ୍ୟୁରିଟି ଗାର୍ଡଙ୍କ ଦରମା ଲକ୍ଷାଧିକ ଟଙ୍କା । ଜଣେ ସରକାରୀ ବଡ଼ ବାବୁଙ୍କ ଦରମାଠାରୁ ଅମ୍ବାନୀଙ୍କ ଡ୍ରାଇଭରଙ୍କ ଦରମା ଖୁବ୍‌ ଅଧିକ । ତେଣୁ ଭାବି ନିଅନ୍ତୁ ଏହି ପରିବାର ଯଦି ଭୋଜି କରିବ ତେବେ କେଉଁଭଳି କରିବ । ନିହାତି ଆପଣ କହିବେ ଏତେ ଟଙ୍କା ଯଦି ଅଛି ତେବେ ସେ ସୁନା ଥାଳିରେ ମଧ୍ୟ ଖାଇବା ପରଶି ପାରିବେ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଠିକ୍ ଏମିତି କିଛି ଭାବନାକୁ ନେଇ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଟ୍ୱିଟରରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି । ସେ ଗୋଟିଏ ଆଇସ୍‌କ୍ରିମ୍ ଫଟୋ ପୋଷ୍ଟ କରିଛନ୍ତି, ଆଉ ଲେଖିଛନ୍ତି ଏହା ମୁକେଶ ଅମ୍ବାନୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପାର୍ଟି । ତେବେ ଆପଣ ଭାବୁଥିବେ ଏଭଳି ପୋଷ୍ଟରେ ନୂଆ କଥା କ’ଣ । କିନ୍ତୁ ଥରେ ସେହି ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଏହା କ’ଣ ସତ ? ଆଉ ତାପରେ ଆପଣ ଏହା ମଧ୍ୟ ଚିନ୍ତା କରିପାରନ୍ତି ଅମ୍ବାନୀଙ୍କ ପରିବାର ପାଇଁ ଏହା କୌଣସି ବଡ଼ କଥା ନୁହେଁ । ସେ ଚାହିଁଲେ ଏଭଳି ପାର୍ଟି ଦେଇପାରିବେ । ଜାତୀୟ ଗଣମାଧ୍ୟମରେ ଏମିତି ଏକ ଖବର ପ୍ରକାଶ ପାଇଛି।

 

ସେହି ଫଟୋରେ କିଛି ଆଇସ୍‌କ୍ରିମ୍‌ ରଖାଯାଇଛି । ଆଉ ସବୁ ଆଇସ୍‌କ୍ରିମ୍‌ରେ କିଛି ୫୦୦ ଟଙ୍କିଆ ନୋଟ ରଖାଯାଇଛି । କିନ୍ତୁ ସାଧାରଣତଃ ଆପଣ ଯେତେବେଳେ କୌଣସି ଦୋକାନରୁ କିମ୍ବା କୌଣସି ଭୋଜିରେ ଆଇସ୍‌କ୍ରିମ୍‌ ଖାଇବେ ତେବେ ଆଇସ୍କ୍ରିମ୍‌ ବାଉଲ ସହ ଆପଣଙ୍କୁ ହାତ ପୋଛିବା ପାଇଁ ଟିସୁ ପେପର ଦିଆଯାଇଥାଏ । କିନ୍ତୁ ଏଠାରେ ବ୍ୟକ୍ତି ଜଣଙ୍କ ନିଜ ପୋଷ୍ଟରେ ଲେଖିଛନ୍ତି ଅମ୍ବାନୀଙ୍କ ପରିବାର ପକ୍ଷରୁ ଏହି ଭୋଜି ଆୟୋଜନ କରାଯାଇଛି । ଆଉ ସେଥିରେ ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟ ଦିଆଯାଇଛି । ଅର୍ଥାତ ଖାଇ ସାରିବା ପରେ ଅତିଥିମାନେ ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ହାତ ପୋଛିବେ । 

 

ତେବେ ଏତେ ସବୁ ଜାଣିବା ପରେ ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିଥିବେ । ତେବେ ସତ କଥାଟି ହେଲା, RATNISH ନାମକ ବ୍ୟକ୍ତି କରିଥିବା ଏହି ପୋଷ୍ଟ ସମ୍ପୂର୍ଣ୍ଣ ମିଥ୍ୟା । ସେ ବ୍ୟଙ୍ଗାତ୍ମକ ଭାବେ ଏଭଳି ପୋଷ୍ଟ କରିଛନ୍ତି ଏବଂ ଏହା ଭାଇରାଲ୍ ହେବାରେ ଲାଗିଛି। ବାସ୍ତବରେ ଅମ୍ବାନୀଙ୍କ ଭୋଜି ସହ ଏହି ଫଟୋର କୌଣସି ସଂଯୋଗ ନାହିଁ । ଫଟୋରେ ଥିବା ଆଇସ୍‌କ୍ରିମ୍‌ ବା ଖାଦ୍ୟର ନାଁ ହେଉଛି ‘ଦୌଲତ କି ଚାଟ୍’ । ଏହା ଉତ୍ତର ଭାରତ ତଥା ସାଧାରଣ ଭାବେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବିକ୍ରି ହୋଇଥାଏ । ଏହା ଏକ ସିଜିନାଲ ଆଇଟମ୍ । ଶୀତ ସମୟରେ ଏହା କିଛି ମାସ ପାଇଁ ବିକ୍ରି ହୋଇଥାଏ । ଷ୍ଟ୍ରିଟ୍‌ ଫୁଡ୍‌ ଭାବେ ମଧ୍ୟ ବିକ୍ରି ହୋଇଥାଏ । ଫଟୋରେ ଥିବା ଏହି ଖାଦ୍ୟ ଚାରିପଟେ ୫୦୦ ଟଙ୍କିଆ ନୋଟ ଗୁଡ଼ିକ ସମ୍ପୂର୍ଣ୍ଣ ନକଲି । 

 

ସବୁଠାରୁ ମଜା କଥା ହେଲା, ଏହି ପୋଷ୍ଟ ଦେଖିବା ପରେ ଅନେକ ୟୁଜର ନିଜ ନିଜର ମତ ରଖିଛନ୍ତି । ସେଥିମଧ୍ୟରୁ କିଛି ୟୁଜର କହିଛନ୍ତି ଟଙ୍କାକୁ ଏଭଳି ଅସମ୍ମାନ କରିବା ଉଚିତ୍ ନୁହେଁ । ଆଉ କିଛି ଲେଖିଛନ୍ତି ଅମ୍ବାନୀଙ୍କ ପରିବାର ପାଇଁ ଏହା କୌଣସି ବଡ଼ କଥା ନୁହେଁ । ସେହିଭଳି କିଛି ୟୁଜର ଲେଖିଛନ୍ତି ଏହି ନୋଟ ଗୁଡ଼ିକ ନକଲି ।