Advertisment

Sunita Williams: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।

author-image
Sujit kumar Swain
undefined

Sunita Williams may face painful return to Earth

ଆଉ ଦିନକ ପରେ ସୁନୀତା ୱିଲିୟମ୍ସଙ୍କ ପୃଥିବୀ ବାହୁଡ଼ା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ। କାରଣ ମହାକାଶ ମନକୁ ରୋମାଞ୍ଚିତ କରେ ସିନା, ହେଲେ ଶରୀର ଉପରେ ପକାଏ ଅନେକ କୁପ୍ରଭାବ। ନଜର ପକାନ୍ତୁ ସୁନୀତାଙ୍କ ଘରବାହୁଡ଼ା ସମୟ ସୂଚୀ ଓ ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପରେ।

Advertisment

ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭... ଆମେରିକାର ଫ୍ଲୋରିଡ଼ା ତଟ... ସେଠି ସେତେବେଳେ ହୋଇଥିବ ସନ୍ଧ୍ୟା ୫ଟା ୫୭। ଠିକ୍ ଏତିକି ବେଳେ ମହାକାଶରୁ ସମୁଦ୍ରରେ ଖସିବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ, ଯେତେବେଳେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିବା ଆରମ୍ଭ କରିବ ମହାକାଶଯାନ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳକୁ ଏହାର ସ୍ପିଡ୍ ଥିବ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର। ବନ୍ଧୁକର ଗୁଳି ଠୁ ବି ୬ ଗୁଣ ଅଧିକ । ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଆରମ୍ଭ ହେବ ଅଗ୍ନିପରୀକ୍ଷା। ବାୟୁ ସହ ଘର୍ଷଣ ହୋଇ ବାହାରୁ ଏହା ଏକ ଅଗ୍ନିପିଣ୍ଡୁଳା ପାଲଟିଯିବ, ଠିକ୍ ଆକାଶରୁ ଜଳନ୍ତା ଉଲକାପିଣ୍ଡ ଖସିବା ଭଳି। ମହାକାଶଯାନ ବାହାରେ ହିଟ୍-ସିଲ୍ଡ ବା ତାପରୋଧୀ କବଚ ଲାଗିଥିବାରୁ ଯଦିଓ ଭିତରେ ଅସହ୍ୟ ଉତ୍ତାପ ଅନୁଭୂତ ହେବନି, ତଥାପି ଅତ୍ୟନ୍ତ କ୍ଷୀପ୍ର ଗତିରେ ଖସିବାର ପ୍ରତିକୂଳ ପ୍ରଭାବ ପଡ଼ିବ ଏହା ଭିତରେ ଥିବା ସୁନୀତା ଓ ଅନ୍ୟ ମହାକାଶଚାରୀଙ୍କ ଉପରେ। 

ଅଧିକ ପଢ଼ନ୍ତୁ:ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

Advertisment

ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ସିନା, ହେଲେ ୬୦ ବର୍ଷୀୟା ସୁନୀତାଙ୍କ ପାଇଁ ସହଜ ହେବନି ମାଟିରେ ଚାଲିବା। ଉଭେଇ ଯାଇଥିବ ପାଦ ତଳର ମୋଟା ଚମଡ଼ା। ହରାଇ ସାରିଥିବେ ମାଟିରେ ଚାଲିବାକୁ ଆବଶ୍ୟକ ବଳ ଓ ବାଲାନ୍ସ। ଯାହାକୁ କୁହାଯାଉଛି ବେବି ଫିଟ୍ ସମସ୍ୟା। ଛୋଟ ପିଲାଟିଏ ଚାଲି ଶିଖିବା ଭଳି, ସୁନୀତାଙ୍କୁ ମଧ୍ୟ କିଛି ସପ୍ତାହ ଚାଲିବା ଅଭ୍ୟାସ କରିବାକୁ ପଡ଼ିବ। ବଳ ଫେରିପାଇବାକୁ ୬ ସପ୍ତାହ ପାଇଁ ସ୍ବତନ୍ତ୍ର ବ୍ୟାୟାମ ଓ ଖାଦ୍ୟ ସହ ରିହାବିଲିଟେସନ୍ ପିରିୟଡ୍ କାଟିବାକୁ ପଡ଼ିବ।

ମହାକାଶରେ ଥାଏ ମାଇକ୍ରୋଗ୍ରାଭିଟି, ଅର୍ଥାତ୍ ପୃଥିବୀର ଅତିକ୍ଷୀଣ ଚୁମ୍ବକୀୟ ଶକ୍ତି। ସ୍ପେଶ ଷ୍ଟେସନ ଭିତରେ ଭାସି ବୁଲନ୍ତି ମହାକାଶଚାରୀ। ସେଠି ଚାଲିବା ଅସମ୍ଭବ, ଶରୀରର ଓଜନ ଅନୁଭବ ହୁଏନି। ଭାବନ୍ତୁ, ଦୀର୍ଘ ୯ ମାସ ଏଭଳି ସ୍ଥିତିରେ ରହିବା ପରେ, ଅଚାନକ ଯେତେବେଳେ କିଛି ସେକେଣ୍ଡ୍ ଭିତରେ ଦେହର ପୂରା ଓଜନ ଅନୁଭବ ହେବ, କିଭଳି ଲାଗିବ। ଏଥିସହ ମାଡ଼ିବସିବ ଗ୍ରାଭିଟି ସିକ୍ ନେସ୍। ମୁଣ୍ଡ ବୁଲାଇବ, ମୁଣ୍ଡ ଭାରି ଭାରି ଲାଗିବ, ବାନ୍ତି ହୋଇପାରେ, ଏପରିକି ପୃଥିବୀକୁ ଫେରିବା ପରେ ଅଚେତ ବି ହୋଇଯାଇପାରନ୍ତି ମହାକାଶଚାରୀ। ସବୁଠୁ ଚିନ୍ତାଜନକ କଥା ହେଉଛି ବୋନ୍ ଡେନସିଟି ଲସ୍ ଓ ମସଲ୍ ଆଟ୍ରୋଫି। ମହାକାଶରେ ମାସକୁ ୧ରୁ ଦେଢ଼ ପ୍ରତିଶତ ହାରରେ ହାଡ଼ରୁ ମିନେରାଲ୍ ନଷ୍ଟ ହୁଏ। ହାଡ଼ ସହ ମାଂସପେଶୀ ବି ଦୁର୍ବଳ ହୋଇଯାଏ। ମହାକାଶରେ ବଡି ଫ୍ଲୁଇଡ୍ ଶରୀରର ଉପରିଭାଗକୁ ଉଠିଯାଉଥିବାରୁ, ମୁଣ୍ଡରେ ତରଳ ଜମାହୋଇ ଆଖି ଉପରେ ଅଧିକ ଚାପ ପଡ଼େ। ତେଣୁ ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ। ଡିହାଇଡ୍ରେସନ୍ ଯୋଗୁଁ କିଡନୀ ଷ୍ଟୋନ୍ ଆଶଙ୍କା ବଢ଼ିଯାଏ। ରକ୍ତରେ ହ୍ବାଇଟ୍ ବ୍ଲଡ୍ ସେଲ୍ ବା WBC କମିଯାଇପାରେ। ଏଥିସହ ପୃଥିବୀକୁ ଫେରିବା ପରେ ତାଙ୍କୁ ଦୈନନ୍ଦିନ କାର୍ଯ୍ୟ ଓ ନିଦ୍ରାରେ ବି କିଛିଦନ ସମସ୍ୟା ଭୋଗିବାକୁ ପଡ଼ିପାରେ ।

କେବଳ ଏତିକି ନୁହେଁ, ମହାକାଶରେ ସୌର ବିକିରିଣ ଓ ତେଜସ୍କ୍ରିୟ ରଶ୍ମିର କୁପ୍ରଭାବ ପଡ଼େ ଶରୀର ଉପରେ। ପୃଥିବୀ ପୃଷ୍ଠରେ ଆମେ ଗୋଟିଏ ବର୍ଷରେ ଯେତିକି ରେଡିଏସନ୍‌ର ସାମ୍ନା କରୁ, ମହାକାଶଚାରୀମାନେ ସପ୍ତାହେ ଭିତରେ ସେତିକି ସ୍ପେଶ୍ ରେଡିଏସନ୍‌ର ସାମ୍ନା କରନ୍ତି। ଯାହା ଫଳରେ କର୍କଟ ଓ ବ୍ରେନ୍ ଡ୍ୟାମେଜ୍ ଆଶଙ୍କା ବଢ଼ିଯାଏ। ଏଥିସହ ଆଉ ଏକ ରୋଚକ ବ୍ୟବହାର ମଧ୍ୟ ଦେଖିବାକୁ ମିଳେ ସଦ୍ୟ ପୃଥିବୀକୁ ଫେରିଥିବା ମହାକାଶଚାରୀଙ୍କ ମଧ୍ୟରେ। ସେମାନେ ସ୍ପେଶ ଷ୍ଟେସନରେ ଥିବା ବେଳେ କୌଣସି ସାମଗ୍ରୀ ଶୂନ୍ୟରେ ଛାଡ଼ିଦେଲେ ମଧ୍ୟ ତାହା ତଳେ ନପଡ଼ି ଭାସିବାରେ ଲାଗେ। ହେଲେ ପୃଥିବୀକୁ ଫେରିବା ପରେ ସେହି ଅଭ୍ୟାସ ସହଜରେ ଛାଡ଼େନାହିଁ । ତେଣୁ ମହାକାଶଚାରୀମାନେ ଏଠି ବି ହାତରେ ଧରିଥିବା ଜିନିଷକୁ ତଳେ ନଥୋଇ, ଶୂନ୍ୟରେ ଛାଡ଼ିଦିଅନ୍ତି, ଯାହାଫଳରେ ସେସବୁ ତଳେ ପଡ଼ି ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୁଏ। 

ବେଗ କମ୍ କରିବାକୁ ଡିଅର୍ବିଟ୍ ବର୍ନ୍ ଏବଂ ପାରାସୁଟ୍ ବା ଆକାଶଛତାର ବ୍ୟବହାର କରାଯିବ। ପରିଶେଷରେ ସୁରକ୍ଷିତ ସ୍ପିଡରେ ସମୁଦ୍ର ଜଳରେ ଖସିବ ସୁନୀତାଙ୍କ କ୍ରୁ ମଡ୍ୟୁଲ୍। 

ଅଧିକ ପଢ଼ନ୍ତୁ:ସ୍ପେସ୍ ଷ୍ଟେସନରେ ମହାକାଶଯାନ 'ଡ୍ରାଗନ୍' ପହଞ୍ଚିବାପରେ ଖୁସିରେ ଝୁମିଲେ ସୁନୀତା

Earth Sunita Williams
Advertisment
Advertisment