Advertisment

Axiom-4 mission ISS: ମହାକାଶରୁ ଆରମ୍ଭ ହୋଇଛି ଶୁଭାଂଶୁଙ୍କ ଘର ବାହୁଡ଼ା

ଅନ୍ତରୀକ୍ଷରେ ୧୮ ଦିନର ଐତିହାସିକ ରହଣି। ଅଭୁଲା ଅଭିଜ୍ଞତା, ଅପାସୋରା ଅନୁଭୂତି

author-image
Ramakrushna Dakua
ଅନ୍ତରୀକ୍ଷରେ ୧୮ ଦିନର ଐତିହାସିକ ରହଣି

Captain Subhanshu Shukla's Historic Space Mission Concludes

ଭୁବନେଶ୍ୱର: ଅନ୍ତରୀକ୍ଷରେ୧୮ ଦିନର ଐତିହାସିକରହଣି। ଅଭୁଲା ଅଭିଜ୍ଞତା, ଅପାସୋରା ଅନୁଭୂତି। ଭାରତର ଗଗନଯାନ ମିଶନ ପାଇଁ ଏସବୁକୁ ପୁଞ୍ଜି କରି, ପୃଥିବୀକୁ ଫେରୁଛନ୍ତି ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା। ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଭିତରେ ସାଥି ମହାକାଶଚାରୀଙ୍କୁ ବିଦାୟ ଜଣାଇ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲରେ ପ୍ରବେଶ କରିଥିଲେ ଶୁଭାଂଶୁଙ୍କ ସମେତ ଆକ୍ସିଅମ୍-୪ ମିଶନର ୪ ଜଣ ମହାକାଶଚାରୀ। ଭାରତୀୟ ସମୟ ଦିନ ପ୍ରାୟ ସାଢ଼େ ୪ଟା ବେଳକୁ ହୋଇଥିଲା ଅନ୍-ଡକିଂ। ସ୍ପେଶ୍ ଷ୍ଟେସନ୍ ରୁ ଅଲଗା ହୋଇ ଅନନ୍ତ ଅନ୍ତରୀକ୍ଷରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା କ୍ରୁ-ଡ୍ରାଗନ୍, ଯାହାର ନାଁ ରଖାଯାଇଛି 'ଗ୍ରେସ୍'। ଇଏ ସ୍ପେଶ୍-ଏକ୍ସର ସେଇ ମହାକାଶଯାନ, ଯାହାକି ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ଜୁନ୍ ୨୫ରେ ମହାକାଶକୁ ଯାଇଥିଲା ଏବଂ ୧୮ ଦିନ ଧରି ସ୍ପେଶ ଷ୍ଟେସନରେ ଡକିଂ ଅବସ୍ଥାରେ ଥିଲା। ଆଜି ତାହା ପୁଣି ୪ ଜଣଙ୍କୁ ଧରି ପୃଥିବୀ ଫେରୁଥିବା ବେଳେ, ଏଥିରେ ୬୦ଟି ବୈଜ୍ଞାନିକ ପରୀକ୍ଷାନିରୀକ୍ଷାର ତଥ୍ୟ ଓ ନାସାର ହାର୍ଡୱେରକୁ ମିଶାଇ ମୋଟ ୨୬୩ କେଜି ଓଜନର ସାମଗ୍ରୀ ରହିଛି। ଗୋଟିଏ ପଟେ ମହାକାଶରେ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ାର ଶୁଭାରମ୍ଭ ହୋଇଥିବା ବେଳେ, ଏପଟେ ପୃଥିବୀରେ ଆରମ୍ଭ ହୋଇଛି ପ୍ରାର୍ଥନା ଓ ପୂଜାର୍ଚ୍ଚନା। ଶୁଭାଂଶୁଙ୍କ ଶୁଭ ମନାସି ଶ୍ରାବଣ ପ୍ରଥମ ସୋମବାରରେ ପୂଜାର୍ଚ୍ଚନା କରିଛନ୍ତି ତାଙ୍କ ଶୁଭେଚ୍ଛୁ। ଏପଟେ ଅପଲକ ନୟନରେ ନୟନ ପିତୁଳାର ଫେରିବା ବାଟ ଚାହିଁ ବସିଛନ୍ତି ଶୁଭାଂଶୁଙ୍କ ବାପା ମାଆ।
 
ସ୍ପେଶ୍ ଷ୍ଟେସନରୁ ଡ୍ରାଗନ୍ କ୍ୟାପସୁଲ୍ 'ଗ୍ରେସ୍' ଅଲଗା ହେବା ପରେ, କେତେ ଜଟିଳ ରହିବ ଆଗାମୀ ସାଢ଼େ ୨୨ ଘଣ୍ଟାର ଯାତ୍ରା। କେମିତି କାଲି ଦିନ ୩ଟା ବେଳେ କାଲିଫର୍ଣ୍ଣିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଖସିବେ ୪ ମହାକାଶଚାରୀ। ଅନ୍-ଡକିଂ ପରେ ଭୂପୃଷ୍ଠରୁ ୪ଶହ କିଲୋମିଟର ଦୂରରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ଘୁରି ବୁଲୁଛି ଗ୍ରେସ୍, ଯାହାକି ଆଗାମୀ ୨୧ ଘଣ୍ଟା ଧରି ଚାଲିବ। କାଲି ଦିନ ପ୍ରାୟ ୨ଟା ୧୦ ବେଳକୁ ୧୨ ମିନିଟ୍ ପାଇଁ ଇଞ୍ଜିନ୍ ସକ୍ରିୟ ହେବ ଏବଂ ଏହା ପୃଥିବୀର ବାୟୁମଣ୍ଡଳ ଆଡ଼କୁ ମୁହାଁଇବ। ଶେଷରେ ୨ଟା ୪୦ ବେଳକୁ ଆରମ୍ଭ ହେବ ଶେଷ ୨୦ ମିନିଟର ଅଗ୍ନି ପରୀକ୍ଷା। ପ୍ରାୟ ୧୨୦ କିଲୋମିଟର ଉପରୁ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ଖସିବ ସ୍ପେଶ୍ କ୍ୟାପସୁଲ୍। ବାୟୁମଣ୍ଡଳ ସହ ଘର୍ଷଣର ତୀବ୍ରତା ଏତେ ଅଧିକ ରହିବ ଯେ, ମହାକାଶଯାନଟି ୧୨ରୁ ୧୫ ମିନିଟ୍ ପାଇଁ ଅଗ୍ନିପିଣ୍ଡୁଳା ପାଲଟିଯିବ। ବାହାରପଟେ ତାପମାତ୍ରା ଥିବ ୧୯ଶହ ଡିଗ୍ରୀ ସେଲସିୟସ୍।

Advertisment

ଭିତରେ ଶରୀର ଓଜନ ସ୍ବାଭାବିକ ଠୁ ୪ ଗୁଣ ଅନୁଭବ କରୁଥିବେ ମହାକାଶଚାରୀ। ବ୍ଲାକଆଉଟ୍ ଫେଜ୍ ରେ ୬ରୁ ୭ ମିନିଟ୍ ପାଇଁ ଗ୍ରାଉଣ୍ଡ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ପ୍ରାୟ ୨ଟା ୫୩ ବେଳକୁ ୫.୫ କିଲୋମିଟର ଉପରେ ଖୋଲିବ ୨ଟି ଡ୍ରଗ୍ ପାରାସୁଟ୍ ଏବଂ ୧.୮ କିଲୋମିଟର ଉପରେ ଖୋଲିବ ୪ଟି ବଡ଼ ମେନ୍ ପାରାସୁଟ୍। ଫଳରେ ଏହାର ବେଗ ତୁରନ୍ତ ହ୍ରାସ ପାଇ ଅପରାହ୍ଣ ପ୍ରାୟ ୩ଟା ବେଳେ ମଝି ସମୁଦ୍ରରେ ସୁରକ୍ଷିତ ଭାବେ ଖସିବ ଶୁଭାଂଶୁଙ୍କ ମହାକାଶଯାନ। ସେଠାରେ ପୂର୍ବରୁ ମହଜୁଦ ଥିବା ରେସ୍କ୍ୟୁ ଜାହାଜ ଓ ଉଦ୍ଧାରକାରୀ ଦଳ ୪ ମହାକାଶଚାରୀଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କୁ ନାସା ବେସ୍ କୁ ନିଆଯିବ।
 
 
୧୮ ଦିନ ମହାକାଶରେ ଭାସିବୁଲିବା ଏବଂ ପୃଥିବୀ ଚାରିପଟେ ୩ଶହ ଥର ଚକ୍କର୍ କାଟିବା ଭିତରେ, ଭୂଇଁରେ ଚାଲିବା ଓ ଛିଡ଼ା ହେବା ଶକ୍ତି ହରାଇସାରିଥିବେ ମହାକାଶଚାରୀ। ସ୍ବାଭାବିକ ହେବା ପାଇଁ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ। ଏହାପରେ ନାସାରୁ କ୍ଲିଅରାନ୍ସ ପାଇଲେ ଭାରତ ଫେରିବେ ଦେଶର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। 

ISRO SpaceX Mission Space Scientist Astronaut
Advertisment
Related Articles
Advertisment