/odishatv-khabar/media/post_attachments/uploadimage/library/16_9/16_9_0/ISRO_1747536349.jpg)
ISRO
ଇସ୍ରୋକୁ ଝଟକା । ରବିବାର ସକାଳ ୫.୫୯ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଂଟରରୁ ଲଞ୍ଚ୍ କରାଯାଇଥିବା ସାଟେଲାଇଟ EOS-09 ବିଫଳ ହୋଇଛି । PSLV-C61 ରକେଟରେ ଲଞ୍ଚିଂ ହୋଇଥିବା ସାଟେଲାଇଟ EOS-09 ଫେଲ ମାରିଛି । ଏ ନେଇ ଇସ୍ରୋ ମୁଖ୍ୟ ଡଃ ଭି. ନାରାୟଣନ ସୂଚନା ଦେଇଛନ୍ତି । ମିଶନ ସଫଳ ହୋଇ ପାରିଲା ନାହିଁ ବୋଲି କହିଛନ୍ତି । ବୈଷୟିକ ତ୍ରୁଟି ପାଇଁ ତୃତୀୟ ସୋପାନରେ ହିଁ ଫେଲ ମାରିଥିଲା । ୧୬୯୬.୨୪ କିଲୋଗ୍ରାମ୍ ଓଜନ ବିଶିଷ୍ଟ EOS-09 ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ ସୂର୍ଯ୍ୟର ସିନକ୍ରୋନସ ମେରୁ କକ୍ଷପଥରେ ପହଞ୍ଚିଥାନ୍ତା । ଏହା ୫ ବର୍ଷ ପାଇଁ କାର୍ଯ୍ୟ କରିଥାନ୍ତା । ଇସ୍ରୋର ଏହା ୧୦୧ତମ ଲଞ୍ଚିଂ ଥିଲା ।
ଅଧିକ ପଢନ୍ତୁ: ପାୱାରଫୁଲ ସାଟେଲାଇଟ୍ EOS-09, ସବୁ ସ୍ଥିତିରେ ଦେଶକୁ ଜଗିବା ସହ ଦେବ ହାଇ ରିଜୋଲ୍ୟୁସନ ଇମେଜ
ଦେଶର ସୁରକ୍ଷା ଦୃଷ୍ଟିରୁ ଏହି ସାଟେଲାଇଟ ଭିନ୍ନ ଥିଲା । ଏହାକୁ 'ଆଇ ଇନ୍ ଦି ସ୍କାଏ' ବା ଆକାଶରେ ଭାରତର ଆଖି ବୋଲି କୁହାଯାଉ ଥିଲା । କାରଣ ଏଥିରେ କିଛି ବିଶେଷତା ଥିଲା । ଏହା ଦିନ ରାତି ଭାରତର କୋଣ ଅନୁକୋଣ ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖିପାରିବା ସହ ଖାସ୍ କରି ପାକିସ୍ତାନ ସୀମା ବା ଏଲ୍ଓସି ଦେଇ ଅନୁପ୍ରବେଶ ରୋକିବାରେ ଏହା ସଫଳ ହେବ ବୋଲି ଆଶା କରାଯାଉଥିଲା । ଶତ୍ରୁ ଉପରେ ନଜର ରଖିଥାନ୍ତା ଏଥିରେ ଲାଗିଥିବା ସି-ବ୍ୟାଣ୍ଡ୍ ସିନ୍ଥେଟିକ୍ ଆପାରଚର୍ ରାଡାର୍ । ଉଭୟ ଦିନ ଓ ରାତିବେଳା ସମସ୍ତ ପାଗରେ, ଏପରିକି ମେଘୁଆ ଆକାଶରେ ମଧ୍ୟ ଏହା ଭାରତର ଯେକୌଣସି ସ୍ଥାନର ହାଇ ରିଜଲ୍ୟୁସନ୍ ଫଟୋ ନେଇପାରିଥାନ୍ତା । ଚୀନ୍ ଓ ପାକିସ୍ତାନ ସୀମା ଉପରେ କଡ଼ା ନଜର ରଖିଥାନ୍ତା ।
ଶତ୍ରୁ ଗତିବିଧି ସଂପର୍କରେ ଗୁଇନ୍ଦା ତଥ୍ୟ ହାସଲ, ଆତଙ୍କୀ ଅନୁପ୍ରବେଶ ରୋକିବା, ଆତଙ୍କୀ ନିପାତ ଅଭିଯାନ ଆଦିରେ ଏହା ସହାୟକ ହୋଇଥାନ୍ତା । ସର୍ଭେଲାନ୍ସ ଓ ମ୍ୟାପିଂ ଆଦି କରିବା ସହ ଭୂପୃଷ୍ଠରେ ମାତ୍ର ୧ ମିଟର ବି ପରିବର୍ତ୍ତନ ହୋଇଥିଲେ ତାହା ଧରିପାରିଥାନ୍ତା । ଗାଡ଼ି ଚକର ଚିହ୍ନ, ମାଟିରେ ସୁଡ଼ଙ୍ଗ ବା ବଙ୍କର ଖୋଳା ଆଦି ଚିହ୍ନଟ କରିପାରିଥାନ୍ତା। ଜମି, ଜଙ୍ଗଲ ଓ ମନୁଷ୍ୟକୃତ ନିର୍ମାଣ ମଧ୍ୟରେ ପ୍ରଭେଦ ଆପେ ଆପେ ଚିହ୍ନଟ କରିପାରିଥାନ୍ତା । କୃଷି ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମଧ୍ୟ ଏହା ଖୁବ୍ ସହାୟକ ହେବା ସହ ବନ୍ୟା, ଭୂସ୍ଖଳନ ଓ ଜଙ୍ଗଲକ୍ଷୟ ଉପରେ ନଜର ରଖିବାର ବିଶେଷ କ୍ଷମତା ରଖି ପାରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)