/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757497233.jpg)
India and Japan
ଲୁନାର ପୋଲାର ଏକ୍ସପ୍ଲୋରେସନ୍ ବା LUPEX ପ୍ରୋଗାମ ଅଧୀନରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚନ୍ଦ୍ରଯାନ-୫ ମିଶନ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ISRO ଅଣ୍ଟା ଭିଡ଼ିଲାଣି । ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ତେବେ ସବୁଠୁ ବଡ଼ କଥା ଏହି ମିଶନରେ ଭାରତ ସହ ସାମିଲ ହେବ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି ବା JAXA ।
ଭାରତ ଓ ଜାପାନ ଉଭୟ ମିଶି, ଚନ୍ଦ୍ରକୁ ଯାତ୍ରା କରିବାକୁ ଯୋଜନା କରିଥିବା ବେଳେ ଏବେ ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଉଛି । ଚନ୍ଦ୍ରଯାନ-୫ ମିଶନ ନେଇ ଉଭୟ ଇସ୍ରୋ ଓ ଜାଝା ମଧ୍ୟରେ ଚୁକ୍ତି ମଧ୍ୟ ହୋଇସାରିଛି । ନିକଟରେ ଯାହାକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ISRO ଓ JAXA ଦ୍ୱାରା ମିଳିତ ଭାବରେ ବିକଶିତ LUPEX ମିଶନ, ଚନ୍ଦ୍ରର ଦକ୍ଷିଣ ମେରୁରେ ଅନୁସନ୍ଧାନ କରିବା ସହ ୱାଟର ଆଇସ୍ ଅଛି କି ନାହିଁ ଏହାକୁ ପ୍ରମାଣ କରିବ । ଏହାସହ ଚନ୍ଦ୍ରର ଲୁକ୍କାୟିତ ରହସ୍ୟ ଓ ସମ୍ପଦ ଗୁଡ଼ିକର ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛି ଏହି ମିଶନ ।
ଚନ୍ଦ୍ରଯାନ-୫ ଭାରତର ଚନ୍ଦ୍ରଯାନ ସିରିଜର ପଞ୍ଚମ ମିଶନ ହେବାକୁ ଯାଉଥିବା ବେଳେ ଏବେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି । ଗତ ମାସ ଶେଷ ଆଡ଼କୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଏକ ମିଳିତ ପ୍ରେସ ବ୍ରିଫିଂକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ ଏହି ସମୟରେ ଚନ୍ଦ୍ରଯାନ-୫କୁ ନେଇ ସୂଚନା ଦେଇଥିଲେ ।
ସେ କହିଥିଲେ ଚନ୍ଦ୍ରଯାନ-୫ ମିଶନ ପାଇଁ ISRO ଏବଂ JAXA ମଧ୍ୟରେ ସହଯୋଗକୁ ଆମେ ସ୍ୱାଗତ କରୁଛୁ । ସେହିପରି ଆମର ସକ୍ରିୟ ଅଂଶଗ୍ରହଣ ପୃଥିବୀର ସୀମା ବାହାରକୁ ଯିବା ସହ ମହାକାଶରେ ମାନବଜାତିର ପ୍ରଗତିର ଏକ ପ୍ରତୀକ ପାଲଟିବ ବୋଲି ସେ କହିଥିଲେ । ୨୦୨୩ ମସିହାରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ମନେ ପକାଇ ମୋଦି କହିଥିଲେ ପରବର୍ତ୍ତୀ ମିଶନ ଚ୍ୟାଲେଞ୍ଜ ହେବ ।
ସେପଟେ LUPEX ମିଶନରେ, JAXA ପକ୍ଷରୁ H3-24L ରକେଟ୍ ମାଧ୍ୟମରେ ମିଶନ୍ ଲଞ୍ଚ କରାଯିବ ବୋଲି ଜଣାପଡ଼ିଛି । ଏଥିରେ ଏକ ଜାପାନୀ ରୋଭର ରହିବା ସହ ଭାରତର ISRO-ନିର୍ମିତ ଲୁନାର ଲ୍ୟାଣ୍ଡର୍ ମଧ୍ୟ ରହିବ । ସେହିପରି ISRO ଏହି ମିଶନ୍ ପାଇଁ ଅନେକ ବୈଜ୍ଞାନିକ ଉପକରଣ ମଧ୍ୟ ଯୋଗାଇବ ବୋଲି ଜଣାପଡ଼ିଛି । ଏହି ମିଶନ ୨୦୨୮ ମସିହା ସୁଦ୍ଧା ଲଞ୍ଚ କରାଯିବ ବୋଲି କୁହାଯାଉଛି ।
ଚନ୍ଦ୍ରଯାନ-୫ ବା LUPEX ଭାରତର ଲଙ୍ଗଟର୍ମ ଲୁନାର ରୋଡମ୍ୟାପ୍ରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି । ଯାହା ୨୦୪୦ ମସିହା ସୁଦ୍ଧା ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାର ଲକ୍ଷ୍ୟ ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)