‘ମୋତେ କାହିଁକି ଛାଡ଼ି ପଳଉଛ’ : ସ୍ୱାମୀଙ୍କୁ ଅନ୍ତିମ ଯାତ୍ରାରେ ନେବାବେଳେ ମୁଣ୍ଡ ପିଟି କାନ୍ଦୁଛନ୍ତି ନବଙ୍କ ପତ୍ନୀ

ସ୍ୱାମୀଙ୍କୁ ହରାଇ କୋହ ସମ୍ଭରଣ କରିପାରୁ ନାହାନ୍ତି ନବ ଦାସଙ୍କ ପତ୍ନୀ । ମାଆକୁ ବୁଝାଉଛି ପୁଅ ।

Naba Kishore Das

‘ତୋ ବାପା ଛାଡ଼ିକି ପଳଉଛନ୍ତି । ମୋତେ କାହିଁକି ଛାଡ଼ି ପଳଉଛ । କୁଆଡ଼େ ଯାଉଛ ତୁମେ । ମୁଁ କେମିତି ରହିବି । ’ସ୍ୱାମୀଙ୍କୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ନବଙ୍କ ପତ୍ନୀ । ସେ ନିଜକୁ ସମ୍ଭାଳି ପାରୁନାହାନ୍ତି । ବୁକୁଫଟା କାନ୍ଦଣାରେ ଫାଟି ପଡ଼ୁଛି ନବଙ୍କ ସରକାରୀ ବାସଭବନ ।  ଆଜି ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଓଦା ହୋଇଯାଉଛି । କେବଳ ନବଙ୍କ ପତ୍ନୀ ନୁହେଁ ତାଙ୍କ ପୁଅ, ପରିବାର ଲୋକ ଓ ଦଳୀୟ ଲୋକେ ମଧ୍ୟ ବିକଳରେ କାନ୍ଦୁଛନ୍ତି । ଅସମୟରେ ନବ ଦାସ ଯେ ଏପରି ପରିବାର, ବନ୍ଧୁ ପରିଜନ ଓ ଜନତାଙ୍କୁ ଛାଡ଼ି ଚାଲିଯିବେ କେହି ବିଶ୍ୱାସ କରି ପାରୁନାହାନ୍ତି । ଚାରିଆଡ଼େ ଶୁଭୁଛି ନବ ଭାଇ ଅମର ରହେ ଶବ୍ଦ ।

ଏବେ ଅନ୍ତିମ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ବାହାରିଛି ତାଙ୍କର ପାର୍ଥିବ ଶରୀର । ବିମାନରେ କର୍ମଭୂମି ଝାରସୁଗୁଡ଼ା ପହଞ୍ଚିବ ନବଙ୍କ ପାର୍ଥିବ ଶରୀର । ଆଉ ସେଠାରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ । ତେବେ ନବଙ୍କ ବିୟୋଗରେ ପରିବାର ଲୋକ ପୂରା ସ୍ତବ୍ଧ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ମନେ ପଡ଼ନ୍ତି ନବ... କଂଗ୍ରେସରୁ ବିଜେଡି ଯାଏଁ ଲମ୍ବା ଯାତ୍ରା

ବିମାନବନ୍ଦର ଯିବା ପୂର୍ବରୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ବାସଭବନରେ ପହଞ୍ଚି ଆଜି ନବଙ୍କ ମରଶରୀରକୁ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ନବଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ମରଶରୀରକୁ ଶୋଭାଯାତ୍ରାରେ ନିଆଯିବା ପାଇଁ କାର୍ଯ୍ୟକ୍ରମ ରହିଛି । ଏହାସହ ସୁରକ୍ଷା ବୁଝିବା ପାଇଁ ସେଠାରେ ପହଞ୍ଚିଛନ୍ତି ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ । ଏଡିଜି ଓ ଉତ୍ତରାଞ୍ଚଳ ଆଇଜି ମଧ୍ୟ ପହଞ୍ଚିଛନ୍ତି ।

ସେପଟେ ନବ ଦାସଙ୍କ ମୃତ୍ୟୁରେ ୩ ଦିନିଆ ରାଜ୍ୟ ଶୋକ ଘୋଷଣା ହୋଇଛି। ଗତକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଶୋକ ପାଳନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆସନ୍ତା ୩ ଦିନ ଧରି ସରକାରୀ ଭାବେ ହେବନି କୌଣସି ବି ମନୋରଞ୍ଜନ କାର୍ଯ୍ୟକ୍ରମ । ନବଙ୍କ ସମ୍ମାନରେ ୨ ଦିନ ଯାଏଁ ଅର୍ଦ୍ଧନମିତ ହେବ ଜାତୀୟ ପତାକା ।

ସୂଚନାଯୋଗ୍ୟ ଗୁଳିମାଡ଼ ହେବାପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଆଖି ବୁଜିଛନ୍ତି ନବ ଦାସ । ତାଙ୍କ ପାର୍ଥୀବ ଶରୀର ଏବେ ଭୁବନେଶ୍ୱର ବାସଭବନରେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତାଙ୍କୁ ଶେଷ ଦର୍ଶନ କରିବାକୁ ଆସୁଛନ୍ତି ସମର୍ଥକ ଓ ଦଳୀୟ ନେତା । ଆଜି ସ୍ୱତନ୍ତ୍ର ବିମାନରେ ନବଙ୍କ କର୍ମଭୂମି ଝାରସୁଗୁଡ଼ାକୁ ନିଆଯିବ । ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାରୁ ଅନେକ ଲୋକେ ଏବେ ପହଞ୍ଚୁଛନ୍ତି ।

ଗତକାଲି ବ୍ରଜରାଜନଗର ଗାନ୍ଧି ଛକରେ ନବଙ୍କୁ ଗୁଳି କରି ହତ୍ୟା କରିଛନ୍ତି ASI ଗୋପାଳକୃଷ୍ଣ ଦାସ । ତାଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ମେଡିକାଲକୁ ଅଣାଯାଇଥିଲା । ହେଲେ ଗୁଳିଟି ଶରୀର ଭେଦ କରି ବାହାରି ଯାଇଥିଲା ହୃତପିଣ୍ଡ ସହିତ ଫୁସଫୁସରେ ବାଜିଥିଲା ଗୁଳି । ଏହା ଫଳରେ ପ୍ରବଳ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲା । ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ନବ ଦାସଙ୍କ ବିୟୋଗ ଘଟିଛି ... ।