Advertisment

Waqf Voting Controversy: ବିଜେଡି କଳି ତୁଟୁନ, ନବୀନ ନିବାସରେ ବରିଷ୍ଠ ଓ ଅଂଶୁମାନଙ୍କ ଘରେ ଯୁବ ନେତା ଏକାଠି

ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି। ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ।

undefined

naveen

Advertisment

ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି। ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ। ପୁରା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ଚୁପ୍ ଥିବାବେଳେ ବିଜେପି କହିଛି- ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ। ସେ ହିଁ ପୁରା ଏପିସୋଡର ନାୟକ ଓ ଖଳନାୟକ।

Advertisment

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ଗୋଟିଏ ପଟେ ନବୀନ ନିବାସରେ ବରିଷ୍ଠ ତ ଅନ୍ୟପଟେ ଅଂଶୁମାନ ମହାନ୍ତିଙ୍କ ଘର ଓ ପରେ ଶଙ୍ଖ ଭବନରେ ଯୁବ ନେତୃତ୍ବଙ୍କ ମେଳି। ୱକ୍ଫ ବିଲକୁ ସମର୍ଥନ ନେଇ କାହିଁକି ସୃଷ୍ଟି ହେଲା ଦ୍ବନ୍ଦ୍ବ? ଏହାର ଉତ୍ତର ଜାଣିବାକୁ ନବୀନ ନିବାସରେ ସଭାପତିଙ୍କୁ ଭେଟିବାକୁ ଯାଇଥିଲେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳୀକେଶ ସିଂଦେଓ, ପ୍ରତାପ ଦେବ ଓ ଦେବୀ ମିଶ୍ରଙ୍କ ଭଳି ପୁରୁଖା ନେତା। ହେଲେ ଗଣମାଧ୍ୟମ ଆଗରେ ୱକ୍ଫ କି ପାଣ୍ଡିଆନ୍ ଝଡ଼କୁ ନେଇ କେହି ଜଣେ ବି ମୁହଁ ଖୋଲିନଥିଲେ। ବରଂ କଥା ବାଆଁରେଇ ଦଳର ସାଂଗଠନିକ ନିର୍ବାଚନ ଉପରେ ଆଲୋଚନା ହେଲା କହି ପଳାଇଥିଲେ। ହେଲେ ୱକ୍ଫ ଭୋଟିଂ ପ୍ରସଙ୍ଗରେ ଦଳର ନିଷ୍ପତ୍ତିରେ ହଠାତ୍ ୟୁ ଟର୍ଣ୍ଣ ନେଇ ପୂର୍ବରୁ ବର୍ଷିଥିବା ଭେଟେରାନ୍ ଲିଡର ବଦ୍ରି ପାତ୍ର, ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପରେ ଆଜି ବିଷୋଦଗାର କରିଛନ୍ତି ବରିଷ୍ଠ ନେତା ପଦ୍ମନାଭ ବେହେରା। ପଦ୍ମନାଭ କହିଛନ୍ତି- ପୁରା ଘଟଣା ଉପରେ ଖୁବଶୀଘ୍ର ଯବନିକା ପଡ଼ୁ, ଅଧିକ ସମୟ ନେଲେ ଦଳ ପାଇଁ ଠିକ୍ ହେବନି। ଏଥିସହ ଭିକେ ପାଣ୍ଡିଆନଙ୍କ ସପକ୍ଷରେ ୪ ସାଂସଦଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପ୍ରସଙ୍ଗରେ କଡ଼ା ମନ୍ତବ୍ୟ ବି ରଖି କହିଛନ୍ତି- ଏସବୁ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ସେମାନେ ଦଳର କ୍ଷତି କରୁଛନ୍ତି। ଶୀଘ୍ର ସଭାପତି ଏହା ଉପରେ ଯବନିକା ପକାଇବା ଉଚିତ। ତେଣେ ବିଜେଡି ନେତା ଅଂଶୁମାନ ମହାନ୍ତିଙ୍କ ଘରେ ଆଜି ଦେଖିବାକୁ ମିଳିଥିଲା ଯୁବ ନେତାଙ୍କ ମେଳି। ଯେଉଁଥିରେ ସମ୍ବିତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ପ୍ରଣବ ବଳବନ୍ତରାୟ, ରୁଦ୍ର ମହାରଥୀ ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଘଣ୍ଟାଏ କାଳ ରୁଦ୍ଧଦ୍ବାର ଆଲୋଚନା କରିବା ପରେ ସିଧା ଶଙ୍ଖ ଭବନ ଯାଇଥିଲେ। ସେଠି ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସହ ବିଜେଡି ସାଂସଦ ମୁନ୍ନା ଖାଁଙ୍କୁ ବି ଭେଟିଥିଲେ। ପ୍ରତିକ୍ରିୟାରେ ସମ୍ବିତ୍ ରାଉତରାୟ ମାନିଥିଲେ- ୱକ୍ଫ ଭୋଟିଂକୁ ନେଇ ଦଳର ନିଷ୍ପତ୍ତି ତୃଣମୂଳ ସ୍ତର ଯାଏଁ ଦ୍ବନ୍ଦ୍ବ ସୃଷ୍ଟି କରିଛି। ତାସହ ଦେବାଶିଷଙ୍କ ସପକ୍ଷରେ ବାହାରି କହିଥିଲେ- ‘ଟ୍ବିଟ୍ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍ ହେଲାନି’। ଏମିତିକି ପାଣ୍ଡିଆନଙ୍କ କଥା ପଚାରିବାରୁ ଚିହିଁକି ଉଠି, ସେ ବିଜେଡି ପାଇଁ ଅତୀତ ବୋଲି କହିଥିଲେ ସମ୍ବିତ୍।

ରାଜ୍ୟସଭାରେ ୱକ୍ଫ ଭୋଟିଂ ଷ୍ଟାଣ୍ଡରେ ବିଜେଡିର ୟୁ-ଟର୍ଣ୍ଣକୁ ନେଇ ଶଂଖ ଶିବିରରେ ଭୂକଂପ ଆସିଛି। ଜଣକ ପରେ ଜଣେ ଭେଟେରାନ୍ ନେତାଙ୍କ ମଧ୍ୟରୁ କିଏ ପାଣ୍ଡିଆନଙ୍କ ନାଁ ନେଇ ତ କିଏ ମୁଖ୍ୟ ପରାମର୍ଶଦାତାଙ୍କୁ ଭିଲେନ୍ ଦର୍ଶାଇ ଖୋଲାଖୋଲି ଆକ୍ଷେପ ଓ ବିଷୋଦଗାର କରି ଚାଲିଛନ୍ତି। ଏମିତିକି ନବୀନ ସବୁ ଜାଣିଛନ୍ତି ବୋଲି ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ କହିଥିବାବେଳେ ଯୁବ ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ନବୀନଙ୍କ ଅଜାଣତରେ କିଛି ହେଉନି ବୋଲି କହିଥିଲେ। ହେଲେ ନବୀନ କିନ୍ତୁ ଏଯାଏଁ ମୁହଁ ଖୋଲୁ ନାହାନ୍ତି। ଯାହାକୁ ନେଇ ବିଜେପି ମାରିଛି ତେରଛା ବାଣ। ବିଧାୟକ ବାବୁ ସିଂ କହିଛନ୍ତି- ନବୀନ ଏବେ ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି। ପୁରା ଏପିସୋଡ୍ ରେ ନବୀନ ନିଜେ ନାୟକ ଓ ନିଜେ ହିଁ ଖଳନାୟକ। ଏମିତିକି ନବୀନ ନିବାସରେ ବିଜେଡି କର୍ମୀଙ୍କ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେବା ବି ଡ୍ରାମା ବୋଲି କହିଛନ୍ତି ବାବୁ। ତେବେ ବାବୁ ସିଂଙ୍କ ଏଭଳି ମନ୍ତବ୍ୟ ନେଇ ନବୀନ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment

ୱକ୍ଫ ଭୋଟିଂ ବିବାଦକୁ ନେଇ ନିଇତି ବିଜେଡି ନେତାଙ୍କ ମେଳି ପରେ ମେଳି ଚାଲିଛି, ହେଲେ ନିଷ୍କର୍ସ ଶୂନ। ସୂଚନା ଅନୁସାରେ ଆସନ୍ତାକାଲି ଦଳ ମୁଖିଆଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ବିଜେଡିର ଯୁବ ନେତା। ତେବେ ଏମାନଙ୍କ ଅସନ୍ତୋଷକୁ ନବୀନ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା 

Odisha BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ