• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ । ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ହେଉଛି ।

ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ପୂର୍ବ ୪ଟି ପର୍ଯ୍ୟାୟରେ ବହୁ ସ୍ଥାନରେ ହିଂସା, ଅନିୟମିତତା ଦୃଷ୍ଟିରୁ ଶେଷ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ଆଜି ଶେଷ ପର୍ଯ୍ୟାୟ ମତଦାନ ରହିଥିବା ବେଳେ ପୁଣି ଗଡ଼ିଲା ମୁଣ୍ଡ । ଏଥର ପଞ୍ଚାୟତ ନିର୍ବାଚନରେ ହିଂସା ଥମିବାର ନାଁ ଧରୁନି । ନୟାଗଡ଼ ଜିଲ୍ଲା ବଡ଼ବୋଦସା ଅଞ୍ଚଳରେ ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ସେଠାରେ ଜଣକୁ ବୋମାମାଡ଼ କରି ହତ୍ୟା କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଗାଁର ଶ୍ୟାମ ତାରେଣିଆଙ୍କ ପୁଅ ପ୍ରଶାନ୍ତ ତାରେଣିଆ ବାଇକରେ ଯିବାବେଳେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ପ୍ରଶାନ୍ତ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ତେବେ ବୋମାମାଡ଼ର କାରଣ କଣ, ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଆଜି ସକାଳୁ ଏଠାରେ ମତଦାନ ଆରମ୍ଭ ହୋଇଛି । ବୋମାମାଡ଼ କରିଥିବା ଯୁବକ ଜଣକ ସେହି ଗାଁର ନରେଶ ମାଝୀ ଓରଫ କାମେନା ବୋଲି ଜଣାପଡ଼ିଛି । ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁ ଦାଣ୍ଡରେ ଭଙ୍ଗାରୁଜା କରିଛନ୍ତି । ଖବରପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ।