Advertisment

କାଲି IBରେ ନରହି ଘରେ ରହିଲେ, ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
President Of India Droupadi Murmu To Visit Similipal

President Of India Droupadi Murmu To Visit Similipal

ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଅଢେଇ ଘଣ୍ଟା ଅର୍ଥାତ୍ ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ଯିବେ ଶିମିଳିପାଳ ଅଭୟାରଣ୍ୟ । ଆସନ୍ତାକାଲି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । 

Advertisment

ତେବେ ପ୍ରଥମ ଦିନର କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରସ୍ଥିତ ନିଜ ଘରେ ରାତ୍ରିଯାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ ସନ୍ଧ୍ୟାରେ ରାଇରଙ୍ଗପୁରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେବା ପରେ ରାଷ୍ଟ୍ରପତି ମହୁଲଡିହା ଘରେ ପହଞ୍ଚିିଥିଲେ । ସେଠାରେ ରାତ୍ରଭୋଜନ କରିଥିଲେ ରାଷ୍ଟ୍ରପତି । ପୂର୍ତ୍ତ ବିଭାଗ ଆଇବିରେ ରାଷ୍ଟ୍ରପତିଙ୍କର ରାତ୍ରିଯାପନ କାର୍ଯ୍ୟକ୍ରମ ଥିଲା । ତେବେ ସେ ଆଇବି ବଦଳରେ ତାଙ୍କ ଘରେ ରହିଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ତାଙ୍କ ମହୁଲଡିହା ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ସୁପ୍ରିମ୍‌ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ଗତକାଲି ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବାପାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି । ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ ତ ଆଉ କିଏ ଗଛ ଡାଳରେ ଚଢ଼ି ଅପେକ୍ଷାରତ ଥିଲେ ।

Advertisment

ସ୍ୱାମୀ ଶ୍ୟାମଚରଣ ଓ ୨ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ଏବଂ ତାଙ୍କର ନାମକରଣରେ ନିର୍ମିତ ଏସଏଲଏସ୍ ଆବାସିକ ସ୍କୁଲକୁ ପ୍ରଥମେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏସଏଲଏସ ଟ୍ରଷ୍ଟ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ଏହି କୋଠରୀରେ ଏବଂ ଏହି ଖଟରେ କିଛି ସମୟ ବସି ପଇଡ଼ ପିଇଥିଲେ। ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଭେଟି ଭଲ ମନ୍ଦ ପଚାରିଥିଲେ।

ଭାଇ ଭାଉଜଙ୍କଠୁ ଆରମ୍ଭ କରି ମାମୁ ମାଇଁ, ଦାଦା ଖୁଡ଼ି, କେତେ କ’ଣ ସମ୍ପର୍କୀୟଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ଉଠିଥିଲା ରାଷ୍ଟ୍ରପତିଙ୍କ ସଂଘର୍ଷର କାହାଣୀ କହୁଥିବା ପାହାଡ଼ପୁର ଗାଁ । ଏସ୍ଏଲଏସ୍ ଆବାସିକ ସ୍କୁଲକୁ ପହଞ୍ଚିଥିଲେ ୧୨୦ ଜଣ ସମ୍ପର୍କୀୟ। ଦେଶର ସର୍ବୋଚ୍ଚ ପଦରେ ଥିଲେ ବି ସେ ଯେହେତୁ ପରିବାରର ସୁନା ଝିଅ, ତେଣୁ ପାରିବାରିକ ସମ୍ପର୍କ ଆଧାରରେ ସମସ୍ତଙ୍କୁ ଭେଟିଥିଲେ ଦ୍ରୌପଦୀ । ଖାଲି ଭେଟିନଥିଲେ ସମ୍ପର୍କର ଆବେଗ ଭିତରେ ଭଲ ମନ୍ଦ ପଚାରି ଭାବବିହ୍ୱଳ ହୋଇଥିଲେ। ସାଙ୍ଗରେ ଆଣିଥିବା ଲୁଗାପଟା, ପିଠା ମିଠା ସହ ମନ ପସନ୍ଦର ଉପହାର ବି ଭେଟିଦେଇଥିଲେ ସଂପର୍କୀୟ ଏବଂ ଛୋଟ ଛୋଟ ପିଲାଙ୍କୁ।

President Of India Droupadi Murmu
Advertisment
Advertisment