• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ୬ ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ କଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରଙ୍କୁ ବହିଷ୍କାର ନେଇ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଛି ଏଆଇସିସି ।

ବିଗତ ଦିନରେ ବିଜେଡି ସାଂସଦ ପ୍ରାର୍ଥୀ ବନିଥିବା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରି ବିବାଦ ଘେରକୁ ଆସିଥିଲେ ସୁର। କିଛିଦିନ ପୂର୍ବ ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ୍ ମ୍ୟାଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ବି ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗଲା ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି । ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି । ଏଥର ସୁଶାନ୍ତ ହିଁ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସୁର । ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍ ଦିଆଯାଇଥିଲା ବେଳେ ସୁର ଏହାକୁ ବଡ଼ ସୁଯୋଗ ବୋଲି ଭାବି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ ବୋଲି ଦୋହରାଇଛନ୍ତି । ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ ସୁର ରାଉତରାୟ ।

ଭୁବନେଶ୍ୱର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ପ୍ରଚାର କରିବାରୁ ସୁରଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଥିଲା ।

ତେବେ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ସୁର ରାଉତରାୟ କହିଥିଲେ, ସେ କୌଣସି ଦଳ ପାଇଁ ପ୍ରଚାର କରିନି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ସେ କଂଗ୍ରେସ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଛନ୍ତି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ବୋଲି ମଧ୍ୟ କହିଥିଲେ ।