କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ଟ୍ରାକରେ ଗାଡି ଚଳାଇବା ଘଟଣାକୁ ନେଇ ବିଜେଡିକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କଡ଼ା କାଉଣ୍ଟର । ଆଜି ଏହି ପ୍ରସଙ୍ଗରେ ସେ କହିଛନ୍ତି, ‘ଟ୍ରାକ୍ ରେ କାର୍ ଏକ ଅଭାବନୀୟ ପରିସ୍ଥିତିରେ ଯାଇଥିଲା, ଏହାକୁ କେବେ ଠିକ୍ ବୋଲି କହିନି । ଗାଡି ଯାଇଥିଲେ ବି ଟ୍ରାକର କିଛି ଅସୁବିଧା ହୋଇନି । ଦିନ ଥିଲା, ଏହି କଳିଙ୍ଗ ଷ୍ଟାଡିୟମକୁ ମନ୍ତ୍ରୀମାନଙ୍କୁ ବି ଛଡା ଯାଉନଥିଲା । କେବଳ ଜଣେ ଲୋକ ବୁଲୁଥିଲେ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ସେ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ପିଚ୍ ନଷ୍ଟ ହେଉଥିଲା ।
ନାଁ ନ ନେଇ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ସୂର୍ଯ୍ୟବଂଶୀ । ସେ କହିଛନ୍ତି, ‘ନବୀନ ନିବାସରେ ଥିବା ସନ୍ନ୍ୟାସୀ ଭୈରବାନନ୍ଦଙ୍କ ବୁଦ୍ଧିରେ ପଡି ବିଜେଡି ନେତା ଏମିତି କହିଛନ୍ତି । ସେ ଦଳକୁ ବୁଡେଇ ଦେଲେ, ଏବେ ବିଭିନ୍ନ ବ୍ୟକ୍ତିବିଶେଷକୁ ବୁଡେଇବାକୁ ବସିଛନ୍ତି ।
ଅଧିକ ପଢନ୍ତୁ:ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି
ବିଜେଡିର ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ମହିଳା କର୍ମୀଙ୍କ ଗଣ୍ଡଗୋଳ ଘଟଣା ଓ ରୁବେନଙ୍କ ପାଣ୍ଡୁ ଉପାଖ୍ୟାନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିଲା ବେଳେ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ସେ କହିଛନ୍ତି । ରାଜ୍ୟରେ ଅନେକ ସମସ୍ୟା ରହିଛି ଯେଉଁଥି ପାଇଁ ଗତ ବିଜେଡି ସରକାର ଦାୟୀ ବୋଲି ସେ କହିଛନ୍ତି । ରାଜ୍ୟରେ ପାନୀୟ ଜଳର ସମସ୍ୟା ରହିଛି, ଏଥିପାଇଁ ବିଜେଡି ଦାୟୀ । ଅନେକ ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି, ଏଥିପାଇଁ ମଧ୍ୟ ବିଜେଡି ଦାୟୀ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ବିଜେଡି ଏବେ ସରକାରଙ୍କୁ ଗଠନମୂଳକ ପ୍ରସ୍ତାବ ଦେବା ଉଚିତ ବୋଲି ସେ କହିଛନ୍ତି । କାରଣ ରାଜ୍ୟର ଏତେ ସବୁ ଅସୁବିଧା ପାଇଁ ସେହି ଦଳ ହିଁ ଦାୟୀ । କିନ୍ତୁ ସେମାନେ ଗଠନମୂଳକ ପ୍ରସ୍ତାବ ଦେଉନଥିବା କହିଛନ୍ତି ସୂର୍ଯ୍ୟବଂଶୀ । ବିଜେଡି ନେତାମାନେ ସନ୍ନ୍ୟାସୀ ଭୈରବାନନ୍ଦଙ୍କ କଥାରେ ଏଭଳି ମତ ରଖୁଥିବାର କହି ସେ ବିଜେଡିକୁ ଆକ୍ରମଣ କରିଛନ୍ତି ।
ବିଜେଡିର ସଫେଇ
ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି, ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ ତା’ର ଉତ୍ତର ଦେଇପାରିନାହାନ୍ତି କ୍ରୀଡ଼ା ମନ୍ତ୍ରୀ । କେଉଁ ପରିସ୍ଥିତିରେ ଟ୍ରାକରେ ଗାଡି ଯାଇଥିଲା, ତାହା ସେ କହିପାରି ନାହାନ୍ତି ବୋଲି କହିଛନ୍ତି ଲେନିନ ।